ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜରାସ୍ତାରେ ଜୟପୁର ରାଜପରିବାରର କଳି। ଐତିହାସିକ ହାୱା ମହଲ ମାଲିକାନାକୁ ନେଇ ଦୁଇ ଜା’ଙ୍କ ମଧ୍ୟରେ ବିବାଦ ତେଜିଛି।

ଯୋଶବନ୍ତ ନାରାୟଣ ପାଢ଼ୀ, (ବିଶାଖାପାଟଣା): ବିଶାଖାପାଟଣାର ରାମକ୍ରିଷ୍ଣା ବିଚ୍ ନିକଟରେ ଥିବା ଐତିହାସିକ ହାୱା ମହଲ ମାଲିକାନାକୁ କେନ୍ଦ୍ର କରି ବିବାଦ ତେଜିଛି। କୋରାପୁଟ ଜିଲ୍ଲା ଜୟପୁର ରାଜ ପରିବାର ରାଜା ବିକ୍ରମ ଦେବଙ୍କ ଦୁଇ ବୋହୂଙ୍କ ମଧ୍ୟରେ ମାଲିକାନାକୁ କେନ୍ଦ୍ରକରି ମତାନ୍ତର ଜୋର ଧରିଛି।

ମହାରାଜା ରାମଚନ୍ଦ୍ର ଦେଓ ୧୯୧୭ ମସିହାରେ ବିଶାଖାପାଟଣାରେ ଏହି ହାୱା ମହଲ ନିର୍ମାଣ କରିଥିଲେ। ଏଥିରେ ୧୯ଟି ରୁମ ଓ ଗୋଟିଏ ବଡ ଡ୍ୟାନ୍ସ ଫ୍ଲୋର ରହିଛି। ଏହାକୁ ରାଜା ନିଜ ପରିବାର ଲୋକଙ୍କ ପାଇଁ ଖରା ଦିନ ଛୁଟି ବିତାଇବା ନିର୍ମାଣ କରିଥିଲେ। ୧୯୬୧ ମସିହାରେ ବିଶାଖାପାଟଣାରେ ହିନ୍ଦୁସ୍ତାନ ସିପୟାଡ଼ର ଉଦଘାଟନ ପାଇଁ ଆସିଥିବା ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ମହଲରେ କିଛି ଦିନ ରହିଥିଲେ।

୧୯୬୦ ମସିହାରେ ଏଠାରେ ପ୍ରଥମ ମହିଳା ସରକାରୀ କଲେଜ ଖୋଲା ଯାଇଥିଲା। ଏହି ମହଲରେ ପୂରାତନ ଯୁଗର ବହୁ କାଠ ସରଞ୍ଜାମ ସହ ବହୁ ପୁରାତନ ସାମଗ୍ରୀ ରହିଛି।  ଜୟପୁର ରାଜା ବିକ୍ରମ ଦେଓଙ୍କ ବହୁ ସମ୍ପତି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଓ ମାଡୁଗୁଲା ଗ୍ରାମରେ ରହିଥିବା ଜଣାପଡ଼ିଛି। ନିଜର ମୃତ୍ୟୁ ପୂର୍ବରୁ ରାଜା ନିଜର କିଛି ସମ୍ପତି ତାଙ୍କ ସ୍ତ୍ରୀ ରମା କୁମାରୀ ଦେବୀଙ୍କ ନାମରେ ଓ ଆଉ କିଛି ସମ୍ପତ୍ତି ନିଜର ଦୁଇ ପୁତ୍ର ଶକ୍ତି ବିକ୍ରମ ଦେଓ ଓ ବିଭୁତି ଭୂଷଣ ଦେଓଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଆଉ କିଛି ସମ୍ପତି ଦୁଇ ପୁତ୍ରଙ୍କ ମିଳିତ ନାମରେ ରଖିଥିଲେ। ଏହି ମିଳିତ ସମ୍ପତ୍ତି ମଧ୍ୟରେ ରହିଛି ବିଶାଖାପାଟଣାର ଐତିହାସିକ  ହାୱା ମହଲ।

୨୦୦୬ ମସିହାରେ ଓଡ଼ିଶା ଜୟପୁର ତହସିଲଦାର ଅନନ୍ତ ଭଟ୍ଟ ମିଶ୍ରଙ୍କ ଦ୍ୱାରା ଲିଖିତ ଦଲିଲ୍ ଅନୁଯାୟୀ ବିଶାଖାପାଟଣାସ୍ଥିତ ହାୱା ମହଲ ଉପରେ ଉଭୟ ପୁଅ ଓ ତାଙ୍କ ପରିବାରର ଅଧିକାର ରହିଛି। କିନ୍ତୁ ୧୯୯୭ ମସିହାରେ ରାଜା ବିଭୁତି ଭୂଷଣ ଦେଓଙ୍କ ମୃତ୍ୟୁ ପରେ ବିକ୍ରମ ଦେଓଙ୍କ ବଡ ବୋହୂ ମାୟାଙ୍କା କୁମାରୀ ଦେବୀ ମହଲର ମରାମତି କାର୍ଯ୍ୟ କରିବା ପାଇଁ ଚାବି ନେଇ ଆସିଥିଲେ। ହେଲେ ସେ ଏଠାରେ କୌଣସି ମରାମତି ନକରି ଏହି ମହଲଟିକୁ ଭଡ଼ାରେ ଦେଇଥିଲେ। ଏଥିରେ ନିଜର ମାଲିକାନା ଜାହିର କରିଥିଲେ। ଏପରିକି ନିଜ ଶାଶୁ ରମା କୁମାରୀ ଦେବୀ ଓ ଜା ସାରିକା ଦେବୀଙ୍କଠାରୁ କୌଣସି ଅନୁମତି ନନେଇ ସେ ଏହି ମହଲକୁ ଭଡ଼ାରେ ଦେଇଥିବା କୁହାଯାଉଛି।

ଗତ ୫ ବର୍ଷ ହେଲା ସେ ଏହି ହାୱା ମହଲ ଉପରେ ନିଜର ମାଲିକାନା ଜାହିର କରିବା ସହ ଜୟପୁର ରାଜପରିବାରର କୌଣସି ବ୍ୟକ୍ତିଙ୍କୁ ଏଠାରେ ପ୍ରବେଶ ପାଇଁ ଅନୁମତି ଦେଉ ନଥିଲେ। ଗତ ୨୦୧୩ ମସିହାରେ ଜୟପୁର ରାଜବଂଶ ଓ ବିଭୁତି ଭୂଷଣ ଦେଓଙ୍କ ଏକମାତ୍ର ପୁଅ ବିଶ୍ଵେଶ୍ଵର ଚନ୍ଦ୍ରଚୂଡ଼ ଦେଓଙ୍କୁ ବଂଶାନୁକ୍ରମିକ ଓ ଓଡ଼ିଶା ସରକାରଙ୍କ ଅନୁମତି କ୍ରମେ ଜୟପୁର ରାଜଦରବାରର ମହାରାଜା ଘୋଷଣା କରାଯାଇଥିଲା। ସେ ଲଣ୍ଡନରେ ଓକିଲାତି କରୁଥିବା ଯୋଗୁଁ ନିଜ ଗୋସାଇଁ ବାପାଙ୍କ ସମ୍ପତି ସମ୍ପର୍କରେ ଅଜଣା ଥିଲେ। ଗତ ବର୍ଷ ରାଜପରିବାରର ସବୁ ସମ୍ପତି ସମ୍ପର୍କରେ ସୂଚନା ପାଇବା ପରେ ସେ ହାୱା ମହଲରୁ ଅଧା ମାଲିକାନା ନେବା ପାଇଁ କହିଥିଲେ। କିନ୍ତୁ ବଡ଼ ମା’ ମାୟାଙ୍କା କୁମାରୀ ଦେବୀ ଏହି ମହଲା ବିଭୁତି ଭୂଷଣ ଦେଓ ସେମାନଙ୍କୁ ବିକ୍ରି କରିଦେଇଥିବା କହିଥିଲେ।

ଏହି କଥାର କୌଣସି ସତ୍ୟତା ନ ଥିବାରୁ ବର୍ତ୍ତମାନର ରାଜା ବିଶ୍ଵେଶ୍ଵର ଚନ୍ଦ୍ରଚୂଡ଼ ଦେଓ ହାୱା ମହଲର ଅଧା ମାଲିକାନା ପାଇଁ ଯୁକ୍ତି କରିଥିଲେ। ସେହି ସମୟରେ ମାୟାଙ୍କା କୁମାରୀ ଦେବୀ ଓ ତାଙ୍କ ଏକମାତ୍ର ଝିଅ ଲଳିତ ଲବଙ୍ଗ ଲତିକା ଦେବୀ ବିଶାଖାପାଟଣାରେ ସାମ୍ବାଦିକ ସମ୍ମିଳନୀ କରି ଜୟପୁର ରାଜବଂଶର କୌଣସି ବ୍ୟକ୍ତି ଜୀବିତ ନାହାନ୍ତି ବୋଲି ଦର୍ଶାଇଥିଲେ। ଏଣୁ ସେ ରାଜମାତା ଓ ତାଙ୍କ ଝିଅ ରାଜକୁମାରୀ ବୋଲି ଘୋଷଣା କରିଥିଲେ।

ଗତ କିଛିଦିନ ଧରି ରାଜା ବିଶ୍ଵେଶ୍ଵର ଚନ୍ଦ୍ରଚୂଡ଼ ଦେଓ ହାୱା ମହଲର ଅଧା ମାଲିକାନା ପାଇଁ ଜିଦ ଧରିଥିଲେ ଓ ହାୱା ମହଲରେ ରହିବା ପାଇଁ ଆସିଥିଲେ। ମାତ୍ର  ମାୟାଙ୍କା କୁମାରୀ ଦେବୀ ଓ ତାଙ୍କ ଝିଅ ଲଳିତ ଲବଙ୍ଗ ଲତିକା ଦେବୀ ଏହି ମହଲ ଉପରେ ତୁମର କୌଣସି ଅଧିକାର ନାହିଁ କହି ତାଙ୍କୁ ଓ ତାଙ୍କ ମା’ ସାରିକା ଦେବୀଙ୍କୁ  ବାହାର କରିଦେଇଥିଲେ।

ପରେ ରାଜା ଚନ୍ଦ୍ରଚୂଡ଼ ଦେଓ ନିଜର ଅଧିକାର ପାଇବା ପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ଆଗେଇ ଆସିଥିଲେ। ଏହାର ପ୍ରଥମ ପଦକ୍ଷେପ ରୂପେ ଆଜି ବିଶାଖାପାଟଣାରେ ସାମ୍ବାଦିକ ସମ୍ମିଳନୀ କରି ମାୟାଙ୍କା କୁମାରୀ ଦେବୀ ଓ ତାଙ୍କ ଝିଅ ଲଳିତ ଲବଙ୍ଗ ଲତିକା ଦେବୀଙ୍କ ଅସଲ ରୂପକୁ ପଦାରେ ପକାଇଥିଲେ। ସମ୍ପତ୍ତିର ମାଲିକାନା ସମ୍ପର୍କିତ ସମସ୍ତ ତଥ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବା ସହ ସେ ନିଜେ ଜୟପୁର ରାଜବଂଶର ରାଜା ରୂପେ ପରିଚୟ ଦେବା ସହ ଓଡ଼ିଶା ସରକାରଙ୍କ ସମସ୍ତ ସ୍ୱିକୃତି ପତ୍ରକୁ ଏଠାରେ ଜଣାଇଥିଲେ।

ଏହାର ପାଲଟା ଜବାବ ଦେଇଛନ୍ତି ମାୟାଙ୍କା କୁମାରୀ ଦେବୀ ଓ ତାଙ୍କ ଝିଅ ଲଳିତ ଲବଙ୍ଗ ଲତିକା ଦେବୀ। ସେମାନେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଦଲିଲରେ କାହାର ଦସ୍ତଖତ ନାହିଁ। ଏଣୁ ଏହା ଗ୍ରହଣ ଯୋଗ୍ୟ ନୁହେଁ।

“ସେମାନେ ବିଶାଖାପାଟଣାରେ ରହୁନାହାନ୍ତି। ମୁଁ ଏଠାରେ ରହି ଏହି ମହଲର ଦେଖାଶୁଣା କରୁଛି”, କହିଛନ୍ତି ମାୟାଙ୍କା କୁମାରୀ ଦେବୀ।

ସେ ଆହୁରି କହିଛନ୍ତି ଯେ ଜୟପୁର ରାଜବଂଶର ବଡ଼ ବୋହୂ ହୋଇଥିବାରୁ ଯେପର୍ଯ୍ୟନ୍ତ ମୁଁ  ବିଶ୍ଵେଶ୍ଵର ଚନ୍ଦ୍ରଚୂଡ଼ ଦେଓକୁ ମୋ’ ପୁଅ ଓ ମହାରାଜା ରୂପେ ଘୋଷଣା କରିନାହିଁ ସେପର୍ଯ୍ୟନ୍ତ ସେ ମହାରାଜା ରୂପେ ପରିଗଣିତ ହୋଇପାରିବ ନାହିଁ।

ଗତ ୨୦ ବର୍ଷ ଧରି ଏହି ହାୱା ମହଲର  ଦେଖାଶୁଣା କରୁଥିବାରୁ ଏହି ମହଲ ଉପରେ ମୋର ଓ ପରେ ମୋ’ ଝିଅ  ଲଳିତ ଲବଙ୍ଗ ଲତିକା ଦେବୀ ଓ ତାଙ୍କ ସନ୍ତାନ ମାନଙ୍କର ଅଧିକାର ରହିଛି ବୋଲି ସେ ଯୁକ୍ତି କରିଛନ୍ତି।   ଗତ ବହୁ ବର୍ଷ ଧରି ଏହି ହାୱାମହଲରେ ବାହାଘର, ବହୁ ମେଳା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଭଡ଼ାରେ ଦିଆଯାଉଥିଲା। ୨୦୧୫ ମସିହାରେ ଏଠାରେ ଗୋଟିଏ ପଞ୍ଚତାରକା ହୋଟେଲ ନିର୍ମାଣ ପାଇଁ ଉଦ୍ୟମ କରାଯାଇଥିଲା  କିନ୍ତୁ କୌଣସି କାରଣ ଯୋଗୁଁ ତାହା ଫେଲ ହୋଇଯାଇଥିଲା। ଏହି ହାୱାମହଲରେ ସିଂଘମ – ୩ ଭଳି ସିନେମା ନିର୍ମାଣ ପାଇଁ ମଧ୍ୟ ଭଡ଼ାରେ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here