ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ସପ୍ତାଶ୍ଚର୍ଯ୍ୟ ଭିତରେ ରହିଥିବା ତାଜମହଲର ଅବସ୍ଥା ବେହାଲ୍ ହୋଇଯାଇଛି। ପ୍ରବଳ ବର୍ଷାରେ ପାଣିଘେରରେ ରହିଯାଇଛି ପ୍ରେମର ପ୍ରତୀକ ତାଜମହଲ। ଆଣ୍ଠୁଏ ଆଣ୍ଠୁଏ ପାଣିରେ ପର୍ଯ୍ୟଟକ ତାଜମହଲ ପରିସରରେ ବୁଲୁଥିବା ଦେଖିବାକୁ ମିଳିଛି। ବର୍ଷାପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ଦେଖାଦେଇଛି।
ଗତ ଦୁଇ ଦିନ ହେଲା ଉତ୍ତର ପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। ଆଗ୍ରାରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଅଣାୟତ୍ତ ହୋଇଯାଇଛି। ରାସ୍ତାରେ ପାଣିର ସୁଅ ଛୁଟୁଥିବା ବେଳେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ତାଜହମହଲ ବି ବାଦ୍ ପଡ଼ିନି। ତାଜମହଲ ଜଳବନ୍ଦୀ ଅବସ୍ଥାରେ ରହିଛି।
ଏପଟେ ଗତ ୨୪ ଘଣ୍ଟାରେ ହୋଇଥିବା ଲଗାଣ ବର୍ଷାରେ ଆଗ୍ରାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ଉତ୍ତର ପ୍ରଦେଶ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଲାଗଣ ବର୍ଷାରେ ପ୍ରାୟ ୮୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ସମସ୍ତ ସ୍କୁଲକୁ ୨୭ ଏବଂ ୨୮ ତାରିଖରେ ଛୁଟି ଘୋଷଣା କରିଛନ୍ତି।
ତାଜମହଲର ରକ୍ଷଣାବେକ୍ଷଣକୁ ନେଇ ଗତ ୨୬ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାର ଉପରେ ଜୋର ବର୍ଷିଥିଲେ। ସୁପ୍ରିମକୋର୍ଟର ବିଚାରପତି କହିଛନ୍ତି ଯେ ତାଜମହଲର ସଂରକ୍ଷଣ ପାଇଁ ଏ ଦୁଇ ସରକାର କିଛି କରୁନାହାନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ତାଜ ସଂରକ୍ଷଣ ନେଇ ଭିଜନ ଡକୁମେଣ୍ଟର ଏକ ଚିଠା କୋର୍ଟରେ ଉପସ୍ଥାପିତ କରାଯାଇଥିଲା। ଏହା ଦେଖି କୋର୍ଟ ପଚାରିଲେ କ’ଣ ଏଠି ତାମସା ଚାଲିଛି ବୋଲି ପ୍ରଶ୍ନ କରିଥିଲେ।


















