ଓଡ଼ିଶାଲାଇଭ୍‍ ବ୍ୟୁରୋ

ନିଜ ପାଇଁ ନିଜେ କବର ଖୋଳି ସମାଧି ନେବାକୁ ସ୍ଥିର କରିଥିଲେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ୭୦ ବର୍ଷର ବୃଦ୍ଧ ଥାଟିରେଡ୍ଡି ଲଛି ରେଡ୍ଡିକିନ୍ତୁ ଏଭଳି ଉଦ୍ୟମରୁ ତାଙ୍କୁ ନିବୃତ୍ତ କରାଇଲା ପୋଲିସ ଓ ପ୍ରଶାସନ

“ଭଗବାନଙ୍କ ଡାକରା ଆସିଲାଣି। ମତେ ଯିବାକୁ ହେବ। ପୁଅ, ନାତି ତ ଘରସଂସାର କରିଗଲେ। ଆଉ ମୋର ଏଠି ରହିବା କି ଦରକାର” – ଏମିତି କଥା ଗାଁ ଲୋକଙ୍କୁ କହୁଥିଲେ ୭୦ ବର୍ଷର ଲଛି ରେଡ୍ଡି। ନିଜ ପାଇଁ ନିଜେ କବର ଖୋଳିଲେ। ସମାଧି ନେବାକୁ ସ୍ଥିର କଲେ। କିନ୍ତୁ ଏଭଳି ଉଦ୍ୟମରୁ ତାଙ୍କୁ ନିବୃତ୍ତ କରାଇଲା ପୋଲିସ ଓ ପ୍ରଶାସନ।

‘ନିଜ ହାତରେ ନିଜ କବର ଖୋଳିବା’ ଉକ୍ତିର ସାଂକେତିକ ବା ଆଳଙ୍କାରିକ ବ୍ୟବହାର କଥା ସମସ୍ତେ ଜାଣନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଜଣେ ୭୦ ବର୍ଷର ବୃଦ୍ଧ ଏହାର ବ୍ୟାବହାରିକ ପ୍ରୟୋଗ କରିବାକୁ ଚାହିଁ ବିଫଳ ହୋଇଛନ୍ତି। ସେ ହେଲେ ଗୁଣ୍ଟୁର ଜିଲ୍ଲାମାଞ୍ଚେର୍ଲା ବ୍ଳକ୍‌ର ଗନ୍ନାଭରମ୍‌ ଗାଁର ବାସିନ୍ଦା ଥାଟିରେଡ୍ଡି ଲଛି ରେଡ୍ଡି।

ନିଜ ଜମିରେ ନିଜ ପାଇଁ ସମାଧିସ୍ଥଳ ନିର୍ମାଣ କରିଥିଲେ ଲଛି ରେଡ୍ଡି। କବର ନେବାକୁ ୧୦ ଫୁଟ ଗଭୀର ଗାତ ଖୋଳି ଉପରେ କଂକ୍ରିଟ୍‌ ସ୍ଲାବ୍‌ ବିଛାଇଥିଲେ। ଭିତରେ ପଶିବା ପାଇଁ ବାଟ ରଖିଥିଲେ। ଠିକ୍‌ କରିଥିଲେ, ଭିତରେ ପଶି ଶେଷ ସ୍ଲାବ୍‌ଟିକୁ ପକାଇ ଗାତ ବନ୍ଦ କରିଦେବେ। ଅର୍ଥାତ୍‌ ନିଜେ ନିଜେ ଜୀବନ୍ତ ସମାଧି ନେଇଥାଆନ୍ତେ ଲଛି ରେଡ୍ଡି। କିନ୍ତୁ ତା’ ପୂର୍ବରୁ ପୋଲିସ ପହଞ୍ଚି ତାଙ୍କୁ ଏଥିରୁ ନିବୃତ୍ତ କରାଇଥିଲା।

ଲଛି ରେଡ୍ଡି କବର ଖୋଳି ସମାଧି ନେବାକୁ ଇଚ୍ଛା କରୁଥିବା କଥା ଗାଁରେ କହିଥିଲେ। କିନ୍ତୁ ଗାଁ ଲୋକେ ତାଙ୍କୁ ବାରଣ କରିଥିଲେ। କିନ୍ତୁ ସେ କାହାରି କଥା ଶୁଣି ନଥିଲେ। ବରଂ ଭଗବାନଙ୍କ ଡାକରା ପାଇ ତାଙ୍କ ପାଖକୁ ଯିବେ ବୋଲି ଉତ୍ତର ଦେଉଥିଲେ। ଏହା ବେଆଇନ ବୋଲି ଗାଁ ଲୋକେ କହିବା ପରେ ସ୍ୱେଚ୍ଛାରେ ମୃତ୍ୟୁବରଣ କରିବାକୁ ଚାହୁଁଛନ୍ତି ବୋଲି ଦର୍ଶାଇ ଏଥିପାଇଁ ଗୁଣ୍ଟୁର ଜିଲ୍ଲାପାଳଙ୍କ ଅନୁମତି ଲୋଡ଼ିଥିଲେ। ଏଭଳି ଅସ୍ୱାଭାବିକ ଅନୁରୋଧ ପାଇବା ପରେ ଜିଲ୍ଲାପାଳ ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ପୋଲିସ ତାଙ୍କୁ ସମାଧି ନେବାକୁ ଅଟକାଇ ଥିଲା।

ଲଛି ରେଡ୍ଡି ଜଣେ ଧର୍ମପରାୟଣ ବ୍ୟକ୍ତି। ପୂଜାପାଠ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ କାଟନ୍ତି। କିଛିଦିନ ତଳେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏଭଳି ସ୍ଥିତିରେ, ହୁଏତ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସଂସାରରେ ତାଙ୍କର ସବୁ ଦାୟିତ୍ୱ ସରିଗଲା ବୋଲି ଅନୁଭବ କରି ସେ ଏଭଳି କରିଥିଲେ ବୋଲି ଗାଁ ଲୋକେ କହିଛନ୍ତି। ପୋଲିସ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିନାହିଁ। ତାଙ୍କର କାଉନ୍‌ସେଲିଂ ଚାଲିଛି। କିନ୍ତୁ ସେ ଖୋଳିଥିବା ସମାଧିସ୍ଥଳ ଏବେ ବି ରହିଛି।

Comment