ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରେଳବାଇରେ ଖାଦ୍ୟ ବ୍ୟବସ୍ଥା ଓ ପର୍ଯ୍ୟଟନ ନିଗମ(ଆଇଆରସିଟିସି) ଦୁର୍ନୀତି ଘଟଣାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମେତ ତାଙ୍କ ପତ୍ନୀ ରାବିଡ଼ି ଦେବୀ ଓ ପୁତ୍ର ତେଜସ୍ୱୀଙ୍କୁ ଦିଲ୍ଲୀ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି।

ପୁଣି ଲାଲୁ ଓ ତାଙ୍କ ପରିବାରକୁ ଝଟକା। ଦିଲ୍ଲୀର ଏକ ଅଦାଲତ ‘ଇଣ୍ଡିଆନ୍‌ ରେଲୱେ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌’ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ ଓ ଅନ୍ୟମାନଙ୍କୁ ସମନ ଜାରି କରିଛନ୍ତି।

ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ବେଳେ ବେଆଇନ୍‌ ଭାବେ ଆଇଆରସିଟିସ୍‌ର ୨ଟି ହୋଟେଲର ଦାୟିତ୍ୱ ଘରୋଇ କମ୍ପାନିକୁ ଦେଇଥିଲେ। ଏଥିରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗରେ ଏହି ସମନ ଜାରି କରିଛନ୍ତି।

୩୧ ଅଗଷ୍ଟରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୬ଏପ୍ରିଲରେ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ତା’ର ଅଭିଯୋଗ ପତ୍ର କୋର୍ଟରେ ଦାଖଲ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଯୁକ୍ତି ଦର୍ଶାଇ ଥିଲେ।

ଏହି ଅଭିଯୋଗରେ ଲାଲୁଙ୍କ ପରିବାରବର୍ଗଙ୍କ ସମେତ ପୂର୍ବ କେନ୍ଦ୍ର ମନ୍ତ୍ରୀ ପ୍ରେମଚନ୍ଦ୍ର ଗୁପ୍ତା ଓ ତାଙ୍କ ପତ୍ନୀ ସରଳା ଗୁପ୍ତାଙ୍କ ସମେତ ଆଇଆରସିଟିସିର ତତ୍କାଳୀନ ପ୍ରବନ୍ଧକ ବି କେ ଅଗ୍ରୱାଲ, ତତ୍କାଳୀନ ନିର୍ଦେଶକ ରାକେଶ ସକସେନାଙ୍କୁ ମଧ୍ୟ ସମନ ଜାରି କରାଯାଇଛି।

ଏହି ଦୁର୍ନୀତିରେ ଆଇଆରସିଟିସିର ତତ୍କାଳୀନ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଅନ୍ୟତମ ଅଭିଯୁକ୍ତ ତାଲିକାରେ ସ୍ଥାନିତ କରାଯାଇଛି। ଏହି ଦୁର୍ନୀତି ଲାଲୁ ପ୍ରସାଦ ଯାଦବ କେନ୍ଦ୍ର ରେଳ ମନ୍ତ୍ରୀ ଥିବାବେଳେ ହୋଇଥିଲା।

ପାଟନାରେ ନିର୍ମାଣଧୀନ ଏକ ଅଟ୍ଟାଳିକାର ମାଟି ସେଠାକାର ପ୍ରାଣୀ ଉଦ୍ୟାନକୁ ପ୍ରଦାନ କରିବା ଘଟଣା ଲୋକଲୋଚନକୁ ଆସିବା ପରେ ଆଇଆରସିଟିସି ଦୁର୍ନୀତି ସାମ୍ନାକୁ ଆସିଥିଲା।

ଏହି ଅଟ୍ଟାଳିକା ନିର୍ମିତ ସ୍ଥାନଟି ଲାଲୁଙ୍କ ପରିବାରବର୍ଗଙ୍କୁ ଉପହାର ସ୍ୱରୂପ ମିଳିଥିବା ଜଣାପଡ଼ିଥିଲା। ଆଇଆରସିଟିସିର ପୁରୀ ଓ ରାଞ୍ଚିରେ ଥିବା ହୋଟେଲ ଏକ ଘରୋଇ କମ୍ପାନିକୁ ପ୍ରଦାନ ନକରି ତା’ ପ୍ରତିବଦଳରେ ଲାଲୁଙ୍କ ପରିବାରବର୍ଗଙ୍କୁ ଏହି ଜାଗା ମିଳିଥିଲା।

Comment