ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ନିର୍ବାଚନୀ ପ୍ରଚାରରେ ତେଜପ୍ରତାପ ଯାଦବଙ୍କ ଦେଶୀ ଷ୍ଟାଇଲକୁ ନେଇ ସବୁଠି ଚର୍ଚ୍ଚା।

ବିହାର ନିର୍ବାଚନରେ ଏଥର ସବୁଠୁ ଅଧିକ ଚର୍ଚ୍ଚିତ ହୋଇଛନ୍ତି ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ। ଏହି ଚର୍ଚ୍ଚାର କାରଣ ହେଉଛି ତେଜପ୍ରତାପଙ୍କ ନିଆରା ନିର୍ବାଚନୀ ପ୍ରଚାର। ଏଥର ସେ ଭୋଟରଙ୍କଠାରୁ ଭିନ୍ନ ଭିନ୍ନ ଅନ୍ଦାଜରେ ଭୋଟ ମାଗିଛନ୍ତି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ତେଜପ୍ରତାପ କେତେବେଳେ ପ୍ରଚାର କରୁ କରୁ ନିଜ ନିର୍ବାଚନ ମଣ୍ଡଳୀ ପିଲାଙ୍କ ସହ କ୍ରିକେଟ ଖେଳିଛନ୍ତି ତ କେତେବେଳେ ବିଲରେ ଟ୍ରାକ୍ଟରରେ ହଳ ବୁଲାଇଛନ୍ତି, ଆଉ କେତେବେଳେ ସାଇକେଲ ଧରି ଗାଁ ଗାଁ ବୁଲିଛନ୍ତି। କେବଳ ଏତିକି ନୁହେଁ ତେଜପ୍ରତାପ ଏଥର ବଂଶୀ ବଜାଇ, ଗାଡ଼ିର ଛାତ ଉପରେ ବସି ଭୋଟରଙ୍କୁ ଭୋଟ୍ ମାଗୁଥିବା ଦେଖିବାକୁ ମିଳିଛି।

ତେଜପ୍ରତାପ ଏଥର ନିଜର ନିର୍ବାଚନୀ କ୍ଷେତ୍ର ବଦଳାଇଛନ୍ତି। ବୈଶାଳୀର ମହୁଆ ଆସନ ବଦଳରେ ଏଥର ସେ ସମସ୍ତିପୁରର ହସନପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ୨୦୧୫ରେ ତେଜପ୍ରତାପ ମହୁଆ ଆସନରୁ ନିର୍ବାଚନ ଜିତିଥିଲେ। ହସନପୁର ଆସନ ଲାଗି ଏଥର ପ୍ରାର୍ଥିପତ୍ର ଦାଖଲ କରିବା ପରଠାରୁ ହିଁ ସେ ନିର୍ବାଚନୀ ପ୍ରଚାରରେ ଲାଗି ପଡ଼ିଛନ୍ତି। ପ୍ରଚାରରେ ତାଙ୍କ ନିଆରା ଷ୍ଟାଇଲ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ତେଜପ୍ରତାପଙ୍କ ଏହି ଦେଶୀ ଷ୍ଟାଇଲ ଲୋକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି।

ହସନପୁରର ୪ଟି ଗାଁ ବିଥାନ, ମରଥୁଆ, ଉଜାନ, ବଟରଡିହା ଗାଁରେ ସାଇକେଲରେ ପ୍ରଚାର କରିଥିଲେ ତେଜପ୍ରତାପ। ଏହି ସମୟରେ ତାଙ୍କ ଚାରିପଟେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।TEJ PRATAP_Bihar Election

ନିର୍ବାଚନ ପ୍ରଚାରରେ ଲାଗିଥିବା ତେଜ ପ୍ରତାପ ଯାଦବଙ୍କ ଏହି ଷ୍ଟାଇଲ ଦେଖି ଅନେକ ଲାଲୁଙ୍କୁ ମନେ ପକାଇଛନ୍ତି। କାରଣ ଲାଲୁ ମଧ୍ୟ ଏମିତି ଅନ୍ଦାଜରେ ଭୋଟ ମାଗିବାକୁ ଲୋକଙ୍କ ପାଖରେ ପହଞ୍ଚିଥାନ୍ତି। ଏବେ ଜେଲରେ ଥିବାରୁ ପ୍ରଥମ ଥର ଲାଲୁଙ୍କ ବିନା ଆରଜେଡି ନିର୍ବାଚନ ଲଢ଼ୁଛି।

ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ

ବିହାରର ୧୬ ଟି ଜିଲ୍ଲାରେ ୭୧ଟି ନିର୍ବାଚନ ମଣ୍ଡଳୀ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ୧,୦୬୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏହାପରେ ନଭେମ୍ବର ୩ରେ ଦ୍ୱିତୀୟ  ଓ ୭ରେ ତୃତୀୟ ପର୍ଯ୍ୟାୟ ଭୋଟ ହେବ। ନଭେମ୍ବର ୧୦ ତାରିଖରେ ବିହାର ନିର୍ବାଚନର ଫଳାଫଳ ଘୋଷଣା ହେବ।

Comment