ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ ଲାଲୁ ଯାଦବଙ୍କଠାରୁ ଆରମ୍ଭ ହୋଇଥିବା ଯାଦବ ପରିବାର ରାଜନୀତି ଏବେ ପୁଅ ତେଜସ୍ଵୀ ଯାଦବଙ୍କ ପାଖରେ ପହଞ୍ଚିଛି।

ସରିଛି ବିହାର ବିଧାନସଭା ଭୋଟ୍। ଏବେ ଚାଲିଛି ମତଗଣନା। ନିର୍ବାଚନ ଜିତି ବିହାର ଗାଦି ହାତେଇବାକୁ ମହାମେଣ୍ଟ ଏବଂ ଏନଡିଏ ମଧ୍ୟରେ ଲାଗିରହିଛି କଡ଼ା ଟକ୍କର। ଲାଲୁ ଯାଦବଙ୍କ ପୁଅ ତେଜସ୍ଵୀ ଯାଦବ ଏବଂ ଜେଡିୟୁରୁ ନୀତିଶ୍ କୁମାରଙ୍କ ମଧ୍ୟରେ ଲାଗିଛି ନିର୍ବାଚନୀ ବାଜି।

କେବଳ ତେଜସ୍ଵୀ ହିଁ ନୁହଁନ୍ତି ତାଙ୍କ ପୂର୍ବରୁ ବିହାର ରାଜନୀତିରେ ଯାଦବ ପରିବାରର ବିଶେଷ ଦବ୍‌ଦବା ରହିଆସିଛି। ଲାଲୁ ଯାଦବଙ୍କଠାରୁ ବିହାରରେ ଆରମ୍ଭ ହୋଇଥିବା ଯାଦବ ପରିବାରର ଏହି ରାଜନୀତିକ ଯାତ୍ରା ପ୍ରଥମେ ପତ୍ନୀ ଏବଂ ପରେ ଝିଅ, ପୁଅ ଏହିଭଳି କ୍ରମରେ ଚାଲିଆସୁଛି।ବିହାର ରାଜନୀତିରେ ଲାଲୁଙ୍କ ପରିବାର

ବିହାର ରାଜନୀତିରେ ଲାଲୁ ଯାଦବ ଜଣେ ଟାଣୁଆ ଏବଂ ଆଗଧାଡ଼ିର ନେତା। ଯାଦବ ପରିବାରରୁ ପ୍ରଥମେ ଲାଲୁ ହିଁ ରାଜନୀତିକୁ ଆସିଥିଲେ। ୧୯୭୦ ମସିହାରେ ପାଟନା ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇ ରାଜନୀତିକୁ ପ୍ରବେଶ କରିଥିଲେ ଲାଲୁ। ୧୯୭୭ ମସିହାରେ ମାତ୍ର ୨୯ ବର୍ଷ ବୟସରେ ସେ ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ୧୯୮୦ରୁ ୧୯୮୯ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଭାବେ ଲାଲୁ ବିହାର ରାଜନୀତିରେ ସକ୍ରିୟ ରହିଥିଲେ। ୧୯୮୯ରେ ସେ ଦ୍ଵିତୀୟଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।୧୯୯୦ରୁ ୧୯୯୭ ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ ଲାଲୁ। ୧୯୯୭ରେ ସେ ଜନତା ଦଳରୁ ବାହାରି ରାଷ୍ଟ୍ରୀୟ ଜନତା ଦଳ ଗଢ଼ିଥିଲେ ଏବଂ ୧୯୯୮ରେ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ଚତୁର୍ଥ ଥର ପାଇଁ ଲୋକସଭା ସାଂସଦ ହୋଇ କେନ୍ଦ୍ର କ୍ୟାବିନେଟ୍‌ରେ ରେଳ ମନ୍ତ୍ରୀ ରହିଥିଲେ। ୨୦୦୯ରେ ସେ ପୁନର୍ବାର ପଞ୍ଚମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୩ରେ  ଦୁର୍ନୀତି ଅଭିଯୋଗରେ ତାଙ୍କୁ ଜେଲ ହୋଇଥିଲା।ଲାଲୁଙ୍କ ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ବିହାର ରାଜନୀତିରେ ବେଶ୍ ସକ୍ରିୟ ରହିଛନ୍ତି। ଦୁର୍ନୀତି ଘଟଣାରେ ଲାଲୁ ଯାଦବ ଫସିବାପରେ ତାଙ୍କ ପତ୍ନୀ ରାବ୍ରି ଦେବୀ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ଶାସନ କରିଥିଲେ। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ୨୦୧୫ରେ ଆର୍‌ଜେଡିରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ଏବଂ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀତ୍ଵ ଲାଭ କରିଥିଲେ।ଲାଲୁଙ୍କ ବଡ଼ ଝିଅ ମିସା ଭାରତୀ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇ ବିହାର ରାଜନୀତିରେ ସକ୍ରିୟ ରହିଥିଲେ। ଲାଲୁଙ୍କ ସାନ ପୁଅ ତେଜସ୍ଵୀ ଯାଦବ ବର୍ତ୍ତମାନ ସମୟରେ ବିହାର ରାଜନୀତିରେ ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ରହିଛନ୍ତି। ସେ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ରହିସାରିଥିବା ବେଳେ ବିରୋଧୀଦଳ ନେତା ଭାବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ନିର୍ବାଚନ ଲଢୁଛନ୍ତି।ବିହାରରେ ମତ ଗଣନା ଜାରି ରହିଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ଏକଜିଟ୍ ପୋଲରେ ଯେଉଁ ଆକଳନ କରାଯାଇଥିଲା, ତାହା ଏବେ ବଦଳିବା ଭଳି ଦେଖିବାକୁ ମିଳୁଛି। ବିହାରରେ ମହାମେଣ୍ଟକୁ ପଛରେ ପକାଇ ଏନଡିଏ ଅଧିକାଂଶ ଆସନରେ ଆଗୁଆ ରହିଛି।

ଏକଜିଟ୍ ପୋଲରେ ତେଜସ୍ୱୀଙ୍କୁ ନେଇ ଯେଉଁ ଅନୁମାନ ଲଗାଯାଉଥିଲା, ତାହା ଏବେ ଭୁଲ୍ ସାବ୍ୟସ୍ତ ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି। ତେବେ ଯଦି ତେଜସ୍ଵୀ ଯାଦବ ଏହି ନିର୍ବାଚନ ଜିତନ୍ତି ତେବେ ସେ ବିହାରର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ। ଅନ୍ୟପଟେ ଜନାଦେଶ ଯଦି ନୀତିଶ୍‌ଙ୍କ ପକ୍ଷରେ ଯାଏ ତେବେ ସେ ପୁଣି ମୁଖ୍ୟମନ୍ତ୍ରୀ ପଦରେ ବସିବେ।

Comment