ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁପ୍ରିୟା ସେତୁକୁ ବିରୋଧ କରିବା, ମାଓବାଦୀ ସଙ୍ଗଠନକୁ ସୁଦୃଢ଼ କରିବା, ଶହୀଦ ନକ୍ସଲଙ୍କ ସ୍ମୃତିକୁ ମନେ ପକାଇବା ଓ ନକ୍ସଲ ଚିନ୍ତାଧାରାକୁ ଆଗେଇ ନେବା ପାଇଁ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।
ଗୁରୁପ୍ରିୟା ସେତୁକୁ ବିରୋଧ କରିଛନ୍ତି ମାଓବାଦୀ। ମାଓ ସଂଗଠନ ପକ୍ଷରୁ ସପ୍ତାହବ୍ୟାପୀ ସହିଦ ଦିବସ ପାଳନ ପାଇଁ ଆହ୍ଵାନ ଦିଆଯାଇଛି। ଏଥିପାଇଁ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଏହାସହ ନିକଟରେ ଉଦଘାଟନ ହୋଇଥିବା ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ମାଓବାଦୀ ସଙ୍ଗଠନକୁ ସୁଦୃଢ଼ କରିବା, ସହିଦ ନକ୍ସଲଙ୍କ ସ୍ମୃତିକୁ ମନେ ପକାଇବା ଓ ନକ୍ସଲ ଚିନ୍ତାଧାରାକୁ ଆଗେଇ ନେବା ପାଇଁ ଏହି ବ୍ୟାନରରେ ଉଲ୍ଲେଖ କରିଛନ୍ତି।
ଚିତ୍ରକୋଣ୍ଡା ବ୍ଲକ କୁରମାନୁର ଛକ ନିକଟରେ ମାଓବାଦୀମାନେ ସହୀଦ ମାଓବାଦୀ ସ୍ତୁପ ସ୍ଥାପନ କରିଛନ୍ତି। ଏହି ସ୍ତୁପଟି ପାପୁଲୁର ପଞ୍ଚାୟତରେ ନିର୍ମାଣ କରାଯାଇଛି। ଏହି ସ୍ତୁପଟିକୁ ସହିଦ ମାଓନେତ୍ରୀ ପୁନମ ଚାନ୍ଦଙ୍କ ନାମରେ ନାମିତ କରାଯାଇଛି। ସହିଦ ସପ୍ତାହର ତୃତୀୟ ଦିନ ମାଓବାଦୀମାନେ କୌଣସି ମାଓ ହିଂସା ନ ଘଟାଇ ସହୀଦ ସ୍ତମ୍ଭ ଓ ବ୍ୟାନର ମାଧ୍ୟମରେ ପାଳନ କରିଛନ୍ତି।ଏହି ସ୍ତୁପକୁ ମାଲକାନଗିରି କୋରାପୁଟ ବିଶାଖା ଡିଭିଜନ କମିଟି ପକ୍ଷରୁ ନିର୍ମାଣ କରାଯାଇଛି। ମାଓବାଦୀମାନେ ସ୍ତୁପ ନିର୍ମାଣ କରିବା ସହ ଏଥିରେ ଏକ ବ୍ୟାନର ଲଗାଇଛନ୍ତି।
ପୋଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ମାଓପ୍ରବଣ ଅଞ୍ଚଳରେ ଅଧିକା ଫୋର୍ସ ମୁତୟନ କରିବା ସହ ମୁଖ୍ୟ ସହରର ପ୍ରବେଶ ପଥକୁ ସିଲ କରି ସିଆରପିଏଫ ଓ ପୋଲିସ ପକ୍ଷରୁ ଗାଡ଼ି ଗୁଡ଼ିକ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।
ଏହାବ୍ୟତୀତ ରାୟଗଡ଼ା ଜିଲ୍ଲାରେ ଚଳାଚଳ କରୁଥିବା ୭ଟି ସରକାରୀ ବସ ଗୁଡ଼ିକୁ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି। ସେହିଭଳି ଜୟପୁର ଓ ରାୟଗଡ଼ା ଦେଇ କେବି ଲାଇନରେ ଚଳାଚଳ କରୁଥିବା କଟକ-ଭୁବନେଶ୍ୱର ଅଞ୍ଚଳକୁ ମଧ୍ୟ ବସ ଚଳାଚଳ ବନ୍ଦ ରହିଛି। କେବଳ ଜିଲ୍ଲା ମଧ୍ୟରେ ଘରୋଇ ବସ ଗୁଡ଼ିକ ଚଳାଚଳ କରୁଥିବା ଜଣାପଡିଛି।
ସହିଦ ସପ୍ତାହ ଅବସରରେ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଏସପି ରାହୁଳ ପିଆର ଗଣମାଧ୍ୟମକୁ କହିଛନ୍ତି, “ମାଓ ହିଂସାକାଣକୁ ପ୍ରତିହତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଏବଂ ମୁଖ୍ୟ ପ୍ରବେଶ ପଥରେ ଗାଡ଼ି ଗୁଡ଼ିକୁ ଖାନ ତଲାସି କରାଯାଇ ରେଳଷ୍ଟେସନ, ବସଷ୍ଟାଣ ଏବଂ ମୁଖ୍ୟ ସ୍ଥଳ ଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି। ପୋଲିସ ପାଟ୍ରୋଲିଂକୁ ବୃଦ୍ଧି କରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ଦୃଷ୍ଟି ଦିଆଯାଇଛି”।














