ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୌତୁକ ନିର୍ଯାତନା ସହି ନ ପାରି ଜଣେ ବିବାହିତା ମହିଳା ଗୀତା ଫାଶୀ ଦେଉଥିବାବେଳେ ତାଙ୍କ ସ୍ଵାମୀ ଏହାର ଲାଇଭ୍‌ ଭିଡ଼ିଓ ସୁଟିଂ କରିଥିଲେ।

ଶାଶୁଘର ଲୋକଙ୍କ ଯୌତୁକ ନିର୍ଯାତନା ସହି ନ ପାରି ବୋହୂ କଲା ଆତ୍ମହତ୍ୟା। ସୈତାନ ସ୍ୱାମୀ ଏହି ପୂରା ଘଟଣାର ଭିଡ଼ିଓ ରେକର୍ଡ଼ିଂ କରି ସୋସିଆଲ ମିଡିଆରେ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମଥୁରା ନଗରରେ।

ଯୌତୁକ ନିର୍ଯାତନା ସହି ନ ପାରି ଜଣେ ବିବାହିତା ମହିଳା ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମଥୁରା ହାଇୱେ ଥାନା ଅନ୍ତର୍ଗତ ବୁଦ୍ଧ ନଗର କଲୋନୀଠାରେ ବାସ କରୁଥିବା ଗୀତା ଫାଶୀ ଦେଉଥିବାବେଳେ ତାଙ୍କ ସ୍ଵାମୀ ରାଜକପୁର ଏହାର ଲାଇଭ୍‌ ଭିଡ଼ିଓ ସୁଟିଂ କରିଥିଲେ। ପରେ ରାଜକପୁର ଏହାକୁ ସୋସିଆଲ୍‌ ମିଡ଼ିଆରେ କରିଥିଲେ ଅପଲୋଡ୍‌।

ଏବେ ଏହି ଭିଡିଓ ଫୋନ୍‍ରୁ ଫୋନ୍‍ ଘୂରି ବୁଲୁଛି। ଭିଡ଼ିଓରେ ମହିଳା ଜଣକ ଶ୍ୱଶୂରଘର ଲୋକଙ୍କ ସମ୍ମୁଖରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରୁଛନ୍ତି। ହେଲେ ତାଙ୍କ ସ୍ୱାମୀ ଓ ପରିବାରବର୍ଗ ତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ବାହାରେ ଠିଆ ହୋଇ ଝରକା ପଟେ ତାଙ୍କ ମୃତ୍ୟୁର ଭିଡ଼ିଓ ସୁଟିଂ କରିଥିଲେ। ଏହି ଲଜ୍ଜାଜନକ ଘଟଣାରେ ପୁଲିସ ଶ୍ୱଶୂରଘର ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।

ମଥୁରା ସ୍ଥିତ ପ୍ରେମନଗର ଗାଁ’ର ଗୀତାଙ୍କ ବିବାହ ୨୨ ଏପ୍ରିଲ୍‍ ୨୦୧୫ ରେ ଥାନା ରାଜରାସ୍ତା ଅନ୍ତର୍ଗତ ବୁଦ୍ଧ ବିହାର କଲୋନୀରେ ରହୁଥିବା ରାଜ କପୁରଙ୍କ ସହ ହୋଇଥିଲା।

ବିବାହର କିଛିଦିନ ପରେ ଗୀତାଙ୍କ ଶାଶୁଘର ଲୋକେ ତାଙ୍କୁ ଯୌତୁକ ପାଇଁ ହଇରାଣ କରୁଥିଲେ।

ଯୌତୁକରେ କାର ଏବଂ ନଗଦ ଟଙ୍କା ପାଇଁ ଗୀତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଏହାକୁ ନେଇ ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ପ୍ରତିଦିନର ଏହି ଝଗଡ଼ାରେ ଅତିଷ୍ଠ ହୋଇ ଗୀତା ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ।

ଗୀତା ଘରଭିତରେ ଆତ୍ମହତ୍ୟା କରୁଥିଲେ ଓ ତାଙ୍କ ସ୍ୱାମୀ ରାଜ କପୁରଙ୍କ ସହ ପରିବାର ବର୍ଗ ମିଶି ଏହାର ଭିଡ଼ିଓ କରୁଥିଲେ। ଏହି ଭିଡ଼ିଓରେ ଏଥିରେ ରାଜକପୁର ଗୀତାଙ୍କୁ ଉସୁକାଉଥିବାରୁ ଦୃଶ୍ୟ ରହିଛି। ଶାଶୁ ଓ ନଣନ୍ଦ ଗୀତାଙ୍କୁ ଏପରି ନ କରିବାକୁ କାନ୍ଦି କାନ୍ଦି ମନା କରୁଥିବାର ଶବ୍ଦ ଶୁଣାଯାଉଛି।

ଗୀତାଙ୍କ ପରିବାର ପକ୍ଷରୁ ଥାନାରେ ଏନେଇ ଏତଲା ଦିଆଯିବା ପରେ ପୋଲିସ ରାଜକପୁର ଏବଂ ଗୀତାଙ୍କ ଶାଶୁ ବିମଳାଙ୍କୁ ଗିରଫ କରିଥିଲେ। ତେବେ ପରେ ପୋଲିସ ସୋସିଆଲ ମିଡ଼ିଆରେ ଅପଲୋଡ୍‌ ହୋଇଥିବା ୧୨ ମିନିଟ୍‌ ୨୪ ସେକେଣ୍ଡ୍‌ର ଲାଇଭ୍‌ ଆତ୍ମହତ୍ୟା ଭିଡ଼ିଓକୁ ହସ୍ତଗତ କରିଥିଲା।

Comment