ଓଡ଼ିଶାଲାଇଭ୍‍ ବ୍ୟୁରୋ

୨୦୧୪ ନଭେମ୍ବରରେ ବିଶାଖାପାଟଣାରୁ ବାହାରି ୨୦୧୮ ଜୁଲାଇରେ ଉତ୍ତରପ୍ରଦେଶର ବସ୍ତିରେ ପହଞ୍ଚିଲା ସାର ବୋଝେଇ ମାଲଗାଡ଼ି ଡବା।

ଯାତ୍ରୀବାହୀ ଟ୍ରେନ୍‌ ବିଳମ୍ବରେ ଛାଡ଼ିବା କି ପହଞ୍ଚିବା ସାଧାରଣ କଥା। ମାଲଗାଡ଼ି ବିଳମ୍ବରେ ପହଞ୍ଚିବାରେ ବି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ସାଢ଼େ ତିନିବର୍ଷ ବିଳମ୍ବରେ ପହଞ୍ଚିବା ନିହାତି ଅସାଧାରଣ କଥା। ବିଶ୍ୱାସଯୋଗ୍ୟ ମନେ ହେଉ ନ ଥିଲେ ହେଁ ଏହା ହିଁ ସତ। ରେଳ ଯୋଗେ ମାଲ ପରିବହନ କ୍ଷେତ୍ରରେ ବିରଳ ରେକର୍ଡ। ଆନ୍ଧ୍ରପ୍ରଦେଶରୁ ବାହାରି ସାଢ଼େ ତିନିବର୍ଷରୁ ଅଧିକ ସମୟ ପରେ ଉତ୍ତରପ୍ରଦେଶରେ ପହଞ୍ଚିଲା ମାଲଗାଡ଼ିର ଡବା। ଡବାରେ ଥିବା ଦଶ ଲକ୍ଷ ଟଙ୍କାର ସାର ସଂପୂର୍ଣ୍ଣ ନଷ୍ଟ।

୨୦୧୪ ନଭେମ୍ବରରେ ବିଶାଖାପାଟଣାର ଇଣ୍ଡିଆନ୍‌ ପଟାସ୍‌ କମ୍ପାନି ମାଲଗାଡ଼ିର ଏକ ୱାଗନ୍‌ ବା ଡବା ବୁକ୍‌ କରିଥିଲେ। ବିଶାଖାପାଟଣା ବନ୍ଦର ଅଞ୍ଚଳରୁ ଉତ୍ତରପ୍ରଦେଶର ବସ୍ତିକୁ ଯାଇଥିଲା ସାର ବୋଝେଇ ୱାଗନ ନମ୍ବର ୧୦୭୪୬୨। ବସ୍ତିର ସାର ବ୍ୟବସାୟୀ ରାମଚନ୍ଦ୍ର ଗୁପ୍ତାଙ୍କ ପାଖକୁ ସାର ପଠାଯାଇଥିଲା। କିନ୍ତୁ କିଛି ମାସ ଧରି ଯେତେବେଳେ ସାର ପହଞ୍ଚିଲାନି ଗୁପ୍ତା ରେଳବାଇରେ ଅଭିଯୋଗ କରିଥିଲେ। ବ୍ୟବସାୟୀ ଓ ରେଳବାଇ ମଧ୍ୟରେ ଚିଠିପତ୍ର ଦିଆନିଆ ଚାଲିଲା ସିନା, ସାର ବୋଝେଇ ୱାଗନର ପତ୍ତା ମିଳିଲାନି।

ନିରୁପାୟ ହୋଇ ଗୁପ୍ତା ଚିଠି ଲେଖିବା ବନ୍ଦ କରିଦେଲେ। ରେଳବିଭାଗ ବି ଚୁପ୍‌ ରହିଲା। କିନ୍ତୁ ଗତ ବୁଧବାର ଦିନ ଅଚାନକ ଗୁପ୍ତାଙ୍କୁ ଖବର ମିଳିଲା ଯେ ତାଙ୍କ ପାଖକୁ ପଠାଯାଇଥିବା ସାର ୱାଗନ ପହଞ୍ଚିଯାଇଛି। ବିଶାଖାପାଟଣାରୁ ଯାଇ ସାଢେ ତିନିବର୍ଷରୁ ଅଧିକ ସମୟ ପରେ ବସ୍ତିରେ ପହଞ୍ଚିଲା ସାର ବୋଝେଇ ମାଲଗାଡ଼ି ଡବା। ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସାର ନେବା ପାଇଁ ଗୁପ୍ତା ମନା କରିଦେଲେ। ଏବେ ସେ ରେଳବିଭାଗ ନିକଟରୁ କ୍ଷତିପୂରଣ ଦାବି କରିଛନ୍ତି।

ଏତେ ଦିନ ଧରି କେଉଁଠି ଥିଲା ଏ ୱାଗନ ନମ୍ବର ୧୦୭୪୬୨? ରେଳବିଭାଗର କାହାରି ପାଖରେ ଏ ପ୍ରଶ୍ନର ଉତ୍ତର ନାହିଁ। ସଫେଇ ଦେବାକୁ ଯାଇ ବିଭାଗୀୟ ଅଧିକାରୀମାନେ କେବଳ ସମ୍ଭାବନା ବ୍ୟକ୍ତ କରିଛନ୍ତି। ଉତ୍ତର-ପୂର୍ବ ରେଳବାଇର ମୁଖ୍ୟ ଲୋକସଂପର୍କ ଅଧିକାରୀଙ୍କ କହିବା ଅନୁସାରେ ବୈଷୟିକ ତ୍ରୁଟି ଦେଖାଦେଲେ ମାଲଗାଡ଼ିର କୌଣସି ଡବାକୁ ଅଲଗା କରି ଦିଆଯାଏ। କିନ୍ତୁ ମାଲଗାଡ଼ି ଅଟକି ରହେନି। ଏହି କାରଣରୁ ଡବାଟି କୌଣସି ଷ୍ଟେସନରେ ରହିଯାଇଥାଇପାରେ ବୋଲି ସେ ଅନୁମାନ କରୁଛନ୍ତି। କିନ୍ତୁ ପ୍ରାପକ ବ୍ୟବସାୟୀଙ୍କଠାରୁ ସୂଚନା ପାଇ ମଧ୍ୟ ରେଳବିଭାଗ କାହିଁକି ଏହାକୁ ଖୋଜି ବାହାର କରିପାରି ନଥିଲା ସେ ସଂପର୍କରେ କୌଣସି ଅଧିକାରୀ କିଛି କହୁନାହାନ୍ତି। କେବଳ ତଦନ୍ତ ହେବ, ଉତ୍ତରଦାୟିତ୍ୱ ନ୍ୟସ୍ତ କରାଯିବଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ଦଣ୍ଡ ଦିଆଯିବ ବୋଲି ଚିରାଚରିତ ଭାବେ କୁହାଯାଇଛି।

ରେଳବିଭାଗର ଚରମ ଅବହେଳା ଏବଂ ଦାୟିତ୍ୱହୀନତା ଯୋଗୁଁ ହିଁ ସାଢ଼େ ତିନିବର୍ଷରୁ ଅଧିକ ସମୟ ଧରି ଗୋଟିଏ ମାଲଗାଡ଼ିର ଡବା ଯେ ନିଖୋଜ ରହିଲା ଏବଂ ଦଶ ଲକ୍ଷ ଟଙ୍କା ପାଣିରେ ପଡ଼ିଲା ଏଥିରେ ସନ୍ଦେହ ନାହିଁ।

Comment