ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ତିନି ମାସ ଧରି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ବୁଧବାର ଖୋଲିବ। କୁମ୍ଭୀରମାନଙ୍କ ପ୍ରାକୃତିକ ପ୍ରଜନନ ନିମନ୍ତେ ଗତ ମେ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରିଥିଲା ବନ ବିଭାଗ।

ଜାତୀୟ ଉଦ୍ୟାନ ମଧ୍ୟରେ ବହୁଳ ସଂଖ୍ୟାରେ ବଉଳା କୁମ୍ଭୀର ରହିଛନ୍ତି। ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି। ଅଣ୍ଡାଦେବା ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। ଏପରିକି ମଣିଷମାନଙ୍କୁ ସେମାନଙ୍କ ଅଣ୍ଡାଦେବା ସ୍ଥାନ ନିକଟରେ ଦେଖିଲେ କୁମ୍ଭୀର ଆକ୍ରମଣ କରିଥାନ୍ତି। ଏଣୁ ବନ ବିଭାଗ ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରିଥାଏ।

ଚଳିତ ବର୍ଷ ଭିତରକନିକା  ରେଞ୍ଜ ଅଞ୍ଚଳରେ  ୮୫ଟି କୁମ୍ଭୀର ବସା ଚିହ୍ନଟ କରାଯାଇଥିବା ବେଳେ ରାଜନଗର ଅଞ୍ଚଳରେ ୧୩ଟି ଓ ଗହୀରମଥା ରେଞ୍ଜ ଅଞ୍ଚଳରେ ୩ କୁମ୍ଭୀର ବସା ଚିହ୍ନଟ କରାଯାଇଛି। ଚଳିତ ବର୍ଷ ପ୍ରଥମ କରି ବନବିଭାଗ ବିଭିନ୍ନ ସ୍ଥାନରୁ ୪୦ଟି କୁମ୍ଭୀର ଅଣ୍ଡା ସଂଗ୍ରହ କରି ନନ୍ଦନକାନକୁ ପଠାଇଛି। ସେଠାରେ କୃତ୍ରିମ ଉପାୟରେ ଏହି ଅଣ୍ଡାରୁ କୁମ୍ଭୀର ଛୁଆ ବାହାର କରାଯିବାର ବ୍ୟବସ୍ଥା କରାଯାଇଛି।

ଏହାଛଡ଼ା ଡାଙ୍ଗମାଳ ଜାତୀୟ ଉଦ୍ୟାନ ମଧ୍ୟରେ ମଧ୍ୟ କିଛି କୁମ୍ଭୀର ଅଣ୍ଡାକୁ ସଂଗ୍ରହ କରାଯାଇ କୃତ୍ରିମ ବସା ତିଆରି କରାଯାଇ ସେଥି ମଧ୍ୟରୁ କୁମ୍ଭୀର ଛୁଆ ବାହାର କରାଯିବାକୁ ବ୍ୟବସ୍ଥା ହୋଇଛି।

Comment