ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୧୧ ରେ ପାକିସ୍ତାନରେ ଗଠନ ହେବ ନୂଆ ସରକାର। ଦାୟିତ୍ୱ ନେବେ ନୂଆ ପ୍ରଧାନମନ୍ତ୍ରୀ। କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ୍ ଖାନ୍ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ଶପଥ ଗ୍ରହଣ ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ କରିବାକୁ ଚାହୁଁଛନ୍ତି ଇମ୍ରାନ୍।

ଶପଥ ଗ୍ରହଣ ଉତ୍ସବକୁ ସାର୍କ ଦେଶ ସମୂହର ପ୍ରତିନିଧିମାନଙ୍କୁ ଆମନ୍ତ୍ରିତ କରିବାକୁ ଚାହୁଁଛନ୍ତି ଇମ୍ରାନ। ଏଥି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ମଧ୍ୟ ଉଠିଛି। ଯଦିଓ ଏପର୍ଯ୍ୟନ୍ତ ନିମନ୍ତ୍ରଣ ଆସିନାହିଁ ତେବେ ମୋଦିଙ୍କୁ ଇମ୍ରାନ୍ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଡାକିବେ ବୋଲି ଚର୍ଚ୍ଚା ହେଉଛି। ତେବେ ମୋଦି ଯିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଇମ୍ରାନ୍ ଖାନ୍‌ଙ୍କ ପାର୍ଟି ପାକିସ୍ତାନରେ ବିଜୟୀ ହେବା ପରେ ମୋଦି ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ଜଣାଇଥିବାରୁ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଇମ୍ରାନ୍।

ଏହାସହ ଇମ୍ରାନ ନିର୍ବାଚନରେ ବିଜ଼ୟୀ ହେବା ପରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏଥିରେ ସେ ଭାରତ-ପାକିସ୍ତାନ ସମ୍ପର୍କ କଥା ଉଠାଇଥିଲେ। ସେ କହିଥିଲେ ଯେ ଯଦି ଭାରତର ନେତୃବୃନ୍ଦ ପାକିସ୍ତାନ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତାହାଲେ ଆମେ ବି ପ୍ରସ୍ତୁତ ଅଛୁ। ସମ୍ପର୍କ ସ୍ଥାପନରେ ଭାରତ ଯଦି ଗୋଟିଏ ପାଦ ଆଗକୁ ଯିବ ତାହାଲେ ଆମେ ଦୁଇ ପାଦ ଆଗକୁ ଯିବୁ ବୋଲି ଇମ୍ରାନ କହିଥିଲେ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଦିନରୁ ପାକିସ୍ତାନ-ଭାରତ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉତ୍ତେଜନା ଦେଖାଦେଇଛି। ପାକିସ୍ତାନ ସୀମା ଭିତରେ ପଶି ଭାରତୀୟ ଯବାନ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା କେନ୍ଦ୍ର ସରକାର ଦାବି କରୁଛନ୍ତି। ଏହାସହ ସୀମାରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ ମଧ୍ୟ ଲାଗି ରହିଛି। ଆତଙ୍କବାଦ ସମସ୍ୟାକୁ ନେଇ ଉଭୟ ଦେଶ ସବୁବେଳେ ମୁହାଁମୁହିଁ ହେଉଛନ୍ତି।

ସବୁଠୁ ବଡ଼ କଥା ହେଉଛି ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଅବସରରେ ସାର୍କ ଦେଶ ସମୂହର ମୁଖ୍ୟ ମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା। ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଆସିଥିଲେ।

୨୦୧୫ରେ ମଧ୍ୟ ମୋଦି ଲାହୋର ଗସ୍ତ କରିଥିଲେ। ନୱାଜ ସରିଫ୍‌ଙ୍କ  ଜନ୍ମଦିନ ଉତ୍ସବରେ ସାମିଲ ହୋଇଥିଲେ ମୋଦି। ହେଲେ ଦୁଇ ଦେଶ ଭିତରେ ଭଲ ସମ୍ପର୍କ ସ୍ଥାପନ ହୋଇପାରି ନଥିଲା। ଏବେ ଇମ୍ରାନ୍ ଖାନ୍ ଆସିବା ପରେ ଭାରତ-ପାକ୍ ସମ୍ପର୍କରେ କେତେ ଉନ୍ନତି ହେଉଛି ତାହା ଦେଖିବାର କଥା।

Comment