ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ଘଟଣା। ଘରର ବାରଣ ନ ମାନି ପ୍ରେମ ବିବାହ କରିଥିବା ନବଦମ୍ପତିଙ୍କୁ ନିଜ ଘର ଲୋକେ ଛେଚିବା ସହ ପିଆଇଲେ ପରିସ୍ରା।

ପ୍ରେମ ବିବାହ କରିବା ପଡ଼ିଲା ମହଙ୍ଗା। ଘର ଲୋକଙ୍କ ବିନା ଅନୁମତିରେ ବିହାହ କରିଥିବାରୁ ନବଦମ୍ପତ୍ତିଙ୍କୁ ଅକଥନୀୟ ନିର୍ଯାତନା ଦେଲେ ଘର ଲୋକେ। ପରିସ୍ଥିତି ଏମିତି ହୋଇଥିଲା ଯେ ସେମାନଙ୍କୁ ପରିସ୍ରା ପିଇବାକୁ ପଡ଼ିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ଆଲିରାଜପୁର ଜିଲ୍ଲାର ହରଦାସପୁରରେ।

ପରିବାରର ବିରୋଧ ସତ୍ତ୍ଵେ ଗତ ମେ ମାସରେ ହରିଦାସପୁର ଗାଁର ଜଣେ ୧୯ବର୍ଷୀୟ ଯୁବତୀ ସେହି ଗାଁର ୨୧ବର୍ଷର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଏହି ଘଟଣାକୂ ନେଇ ଝିଅ ଘର ଲୋକ ଅସନ୍ତୁଷ୍ଟ ଥିଲେ। ଘରର ଇଚ୍ଛା ବିରୋଧରେ ଝିଅ ବାହା ହୋଇଥିବାରୁ ସେମାନେ ପଞ୍ଚାୟତରେ ଅଭିଯୋଗ କରିଥିଲେ।

ଗାଁର ଜାଟ୍‌ ପଞ୍ଚାୟତ ଏହି ମାମଲାରେ ହସ୍ତକ୍ଷେପ କରି ସମ୍ପୃକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡସ୍ବରୂପ ଯୁବତୀଙ୍କ ପରିବାରକୁ ୭୦ହଜାର ଟଙ୍କା ଜରିମାନା ଦେବା ପାଇଁ ଯୁବକଙ୍କ ପରିବାରକୁ ଆସିଲା ନିର୍ଦ୍ଦେଶ।

ଏହି ଘଟଣା ପରେପରେ ନୂଆ ବାହା ହୋଇଥିବା ଦମ୍ପତ୍ତି ଚାକିରି ଖୋଜିବା ପାଇଁ ଗୁଜୁରାଟ ପଳାଇଯାଇଥିଲେ। କିଛିଦିନ ତଳେ ସେମାନେ ଗାଁକୁ ଫେରି ଜଣେ ସମ୍ପର୍କୀୟ ମଉସାଙ୍କ ଘରେ ରହିଥିଲେ। ଖବର ପାଇ ଝିଅର ପରିବାର ଲୋକେ ସେଠାରେ ପହଞ୍ଚି ନବଦମ୍ପତ୍ତିଙ୍କୁ ମାରଧର କରିଥିଲେ। ସେତିକିରେ ସେମାନଙ୍କ ରାଗ ଶେଷ ହୋଇନଥିଲା। ଏପରିକି ସେମାନେ ଯୁବତୀଙ୍କୁ କେଶ କାଟିଦେଇଥିଲେ।

ନିଜ ଘର ଲୋକଙ୍କ ପଶୁ ପ୍ରବୃତ୍ତିରେ ସମ୍ପୃକ୍ତ ଯୁବତୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ତାଙ୍କର କୌଣସି ନିବେଦନକୁ ଭ୍ରୁକ୍ଷେପ ନକରି ଓଲଟା ତାଙ୍କୁ ଜୋରଜବରଦସ୍ତ ପରିସ୍ରା ପିଆଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କ ସ୍ଵାମୀ ପ୍ରତିବାଦ କରିବାରୁ ଝିଅ ଘର ଲୋକେ ମାରଧର କରିବା ସହ ତାଙ୍କୁ ମଧ୍ୟ ପରିସ୍ରା ପିଆଇଥିଲେ।

ପୋଲିସ ତଦନ୍ତ କରି ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ନିର୍ଯାତନା ଦେଇଥିବା ୬ ଜଣଙ୍କ ନାଁରେ ମାମଲା ଦାଏର କରିଛି। ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ୪ ଜଣ ଫେରାର ଅଛନ୍ତି।

ନିଜ ଇଚ୍ଛାରେ ବାହା ହୋଇ ପରିବାର ଇଜ୍ଜତରେ ଆଞ୍ଚ୍ ଆଣିବାରୁ ସେମାନେ ଏଭଳି କାଣ୍ଡ ଭିଆଇ ଥିଲେ ବୋଲି ଗିରଫ ହୋଇଥିବା ପରିବାର ଲୋକେ ପୋଲିସକୁ କହିଛନ୍ତି।

Comment