ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ହେଇଯାଉ ଚା ଚର୍ଚ୍ଚା କାର୍ଯ୍ୟକ୍ରମରେ କାନ୍ଧରେ ଗେରୁଆ ଗାମୁଛା ପକାଯିବା ପ୍ରସଙ୍ଗ ଉପରେ ମତ ରଖିଛନ୍ତି ବୈଜୟନ୍ତ ପଣ୍ଡା।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି ‘ହେଇଯାଉ’। ରାଜଧାନୀ ଭୁବନେଶ୍ବର ପରେ କଟକ। କଟକ ଚୌଧୁରୀ ବଜାର ସ୍ଥିତ ସିଏମ୍‌ସି ରୋଡ୍ ନିକଟ ମଙ୍ଗୁଳି ଚା’ ଦୋକାନରେ ବୁଧବାରଦିନ ଏହି ଚା’ ଖଟିର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ  ବର୍ଗର ଲୋକେ ସାମିଲ ହୋଇ ଚା’ର ମଜା ଉଠାଇଥିଲେ।

ବୈଜୟନ୍ତ ଚା’ ଖଟିରେ ଯୋଗ ଦେବା ଅବସରରେ ତାଙ୍କ କର୍ମୀମାନେ ପୂର୍ବତନ ସାଂସଦଙ୍କୁ ଘେରି ଯାଇ ସେଲଫି ଉଠାଇଥିଲେ। କିଏ ଫୁଲମାଳ ପକାଉଥିଲା ତ କିଏ ଉପଢ଼ୌକନରେ ବୈଜୟନ୍ତଙ୍କୁ ସମ୍ମାନୀତ କରୁଥିଲା। ଏସବୁ ଭିତରେ ଜଣେ କେହି କର୍ମୀ ଗେରୁଆ ଗାମୁଛାଟିଏ ବୈଜୟନ୍ତଙ୍କ କାନ୍ଧରେ ପକାଇ ଦେଇଥିଲା। ଯାହାକୁ ନେଇ ଉଠିଛି ଚର୍ଚ୍ଚା।

ବିଜେଡିରୁ ଇସ୍ତଫା ଦେବା ପରେ ବୈଜୟନ୍ତ ବିଜେପି ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ଥମି ନଥିବାବେଳେ ତାଙ୍କ କାନ୍ଧରେ ଗେରୁଆ ଗାମୁଛା ପଡ଼ିଥିବାର ଦେଖି ଲୋକମାନଙ୍କ ଭିତରେ ଏହାକୁ ନେଇ ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।

କିନ୍ତୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ ବୈଜୟନ୍ତ ପଣ୍ଡା। ଗୁରୁବାରଦିନ ସକାଳୁ ଟୁଇଟ୍ କରି ଏପର୍ଯ୍ୟନ୍ତ କୌଣସି ଦଳରେ ଯୋଗ ଦେଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବୈଜୟନ୍ତ।


“କାଲି ‘ହେଇଯାଉ’ରେ ଲୋକମାନେ ଖୁସିରେ ମୋ କାନ୍ଧ ଉପରେ ଗାମୁଛା ପକାଇଥଲେ। ସେ ଭିତରେ ଗୋଟିଏ ଦଳୀୟ ଚିହ୍ନଥିବା ଗାମୁଛା ଥିଲା। ସେମାନଙ୍କ ଭଲ ପାଇବାକୁ ମୁଁ ସାଦରେ ଗ୍ରହଣ କରିଥିଲି। ଯେହେତୁ ମୁଁ କୌଣସି ଦଳରେ ଯୋଗ ଦେଇନାହିଁ। ତେଣୁ ଯେକୌଣସି ଦଳର କର୍ମୀ ମୋତେ ସମ୍ମାନୀତ କଲେ କିଛି ଅସୁବିଧା ନାହିଁ”, ବୈଜୟନ୍ତ ଟୁଇଟରରେ ଏହା ଲେଖିଛନ୍ତି।

ବୁଧବାରଦିନ ଚା’ ଖଟି ‘ହେଇଯାଉ’ରେ ସ୍ଥାନୀୟ କର୍ମୀମାନେ ବୈଜୟନ୍ତ ପଣ୍ଡାଙ୍କ ସହ ମତ ବିନିମୟ ମଧ୍ୟ କରିଥିଲେ। ଚା’ ପିଇବା ସହ ବିଭିନ୍ନ ପ୍ରସଙ୍ଗରେ ଅନୌପଚାରିକ ଆଲୋଚନା ମଧ୍ୟ ହୋଇଥିଲା। ଏହି ସମୟରେ କଟକ ସହରରେ ହେଉଥିବା ଜଳବନ୍ଦୀ ସମସ୍ୟା ସମ୍ପର୍କରେ ଲୋକେ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ।

ଏହାପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ସମାନ ଢଙ୍ଗରେ ଚା’ ଖଟିର ଆୟୋଜନ କରାଯାଇଥିଲା।

Comment