ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରରେ ଘଟିଛି ଦୁଃଖଦ ଘଟଣା। ସବୁଦିନ ପରି ପୁଅର ଫେରିବା ବାଟକୁ ଚାହିଁ ବସିଥିଲେ ଘର ଲୋକେ। ହେଲେ ଘରକୁ ଆଉ ଫେରି ନ ଥିଲେ ସେମାନେ, ମିଳିଥିଲା ତାଙ୍କ ମୃତଦେହ।

ସମ୍ବଲପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ପାଓ୍ୱାର ଚ୍ୟାନେଲରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରାଣ ହରାଇଥିବା ୨ ଛାତ୍ର ହେଲେ ସୁମିତ୍ ଦାସ ଓ ସମୀର ଦଳେଇ। ଉଭୟେ ଦଶମ ଶ୍ରେଣୀରେ ପଢୁଥିଲେ।

କୋଚିଂ କ୍ଲାସକୁ ପଢ଼ିବାକୁ ଆସିଥିବା ୫ ଜଣ ୧୦ମ ଶ୍ରେଣୀ ଛାତ୍ର କୋଚିଂ ସେଣ୍ଟରକୁ ନ ଯାଇ  ସିଧା ଯାଇଥିଲେ ଝାଙ୍କରପାଲ୍ଲି ମୁଣ୍ଡୋଘାଟସ୍ଥିତ ପାଓ୍ଵାର ଚାନେଲକୁ। ସେଠାରେ ଗାଧୋଉଥିବା ବେଳେ  ହଠାତ ପାଣିରେ ନିଖୋଜ ହୋଇ ଯାଇଥିଲେ ଦୁଇଜଣ ଛାତ୍ର। ଅନ୍ୟ ତିନି ଜଣ ଛାତ୍ର  ନିଜକୁ ସୁରକ୍ଷିତ ପାଓ୍ଵାର ଚାନେଲ ବାହାରକୁ ଆସିପାରିଥିବାବେଳେ ଦୁଇଜଣ ଛାତ୍ରଙ୍କ  ମୃତଦେହକୁ ଉଦ୍ଧାର କରିଛି ସମ୍ବଲପୁର ଅଗ୍ନିଶମ ବିଭାଗ।

ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ୧୦ମ ଶ୍ରେଣୀରେ ପଢ଼ୁଥିବା କେତେକ ଛାତ୍ର ଶୁକ୍ରବାରଦିନ ଟ୍ୟୁସନ ହେବାକୁ ସିଗ୍‌ମା କୋଚିଂ ସେଣ୍ଟରକୁ ଯାଉଥିଲେ। ମାତ୍ର ଏହି ୫ ଜଣ ଛାତ୍ର କୋଚିଂ ସେଣ୍ଟରରେ ନ  ପହଞ୍ଚି ସିଧା ଗାଧୋଇବାକୁ ଯାଇ ପହଞ୍ଚି ଯାଇଥିଲେ ହୀରାକୁଦ ଡ୍ୟାମ୍‌ ପାଓ୍ଵାର ଚାନେଲରେ।

ସେଠାରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଦୁଇଜଣ ଛାତ୍ର ନିଖୋଜ ହୋଇ ଯାଇଥିଲେ। ଖବରପାଇ ସମ୍ବଲପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ପାଓ୍ଵାର ଚାନେଲରେ ଖୋଜାଖୋଜି କରି  ଝାଙ୍କରପାଲି ମୁଣ୍ଡୋଘାଟ ନିକଟରୁ ଦୁଇଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ  ପହଞ୍ଚିଥିଲେ। ପୁଅର ମୃତଦେହ ଦେଖି ଡାକ୍ତରଖାନାରେ ବାପାମା ଓ ସମ୍ପର୍କୀୟମାନଙ୍କ କାନ୍ଦବୋବାଳିରେ ପରିବେଶ  ଫାଟି ପଡ଼ିଛି।

ଅକାଳ ମୃତ୍ୟୁବରଣ କରିଥିବା ଛାତ୍ର ଦୁଇଜଣଙ୍କ  ଚକ୍ଷୁଦାନ ପାଇଁ ଉଭୟ ପରିବାର ନିଷ୍ପତ୍ତି ନେଇଥିବାରୁ ବୁର୍ଲା ମେଡିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲରେ  ସେମାନଙ୍କ ଚକ୍ଷୁଦାନ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ମୃତ ଛାତ୍ର ଦୁଇଜଣ ସମ୍ବଲପୁର ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ହୋଇଥିବାରୁ ଶୁକ୍ରବାରଦିନ ସେମାନଙ୍କ ଅକାଳ ମୃତ୍ୟୁରେ ଶୋକ ବ୍ୟକ୍ତ କରି ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷେ  ଜୀବନ ହରାଇଥିବା ଦୁଇଜଣ ଛାତ୍ରଙ୍କ ଚକ୍ଷୁ ଦାନ ପାଇଁ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଗତ କିଛିଦିନ ତଳେ ଭୁବନେଶ୍ୱର କୁଆଖାଇ ନଦୀରେ ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

Comment