ଓଡ଼ିଶାଲାଇଭ୍ ବ୍ୟୁରୋ

ବାର ହଲ୍ ବ୍ୟବସ୍ଥା ନଥିବାରୁ ନୟାଗଡ଼ ଜିଲ୍ଲାରେ କୋର୍ଟ ବର୍ଜନ କରିଛନ୍ତି ଓକିଲ ସଂଘ। କୋର୍ଟ ଗେଟ ପାଖରୁ ଫେରୁଛନ୍ତି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ।
ନୟାଗଡ଼ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ପରିସରରେ ବାର ହଲ୍ ସୁବିଧା ଦାବି ନେଇ ଜୁଲାଇ ୧୬ରୁ ଓକିଲଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ କୋର୍ଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଜିଲ୍ଲା ଜଜ୍ କୋର୍ଟ ସମେତ ଅନ୍ୟ ସମସ୍ତ ଅଦାଲତରେ ଅଚଳାବସ୍ଥା ଦେଖାଦେଇଛି।
ଏହି ଆନ୍ଦୋଳନ ଜୁଲାଇ ୧୬ରୁ ୩୦ ଜୁଲାଇ ପର୍ଯ୍ୟନ୍ତ କଲମଛାଡ଼ ଆନ୍ଦୋଳନରେ ସୀମିତ ରହିଥିଲା। କିନ୍ତୁ ଜୁଲାଇ ୩୧ ତାରିଖରୁ ଆନ୍ଦୋଳନରତ ଓକିଲ କୋର୍ଟ ଭିତରକୁ ଜିଲ୍ଲା ଜଜ୍ କିମ୍ବା ବିଚାର ବିଭାଗ କୌଣସି ଅଧିକାରୀ ଓ କର୍ମଚାରୀଙ୍କୁ ଛାଡ଼ୁ ନାହାନ୍ତି। ଫଳରେ ବିଚାରପତି ଓ କର୍ମଚାରୀମାନେ କୋର୍ଟ ବାହାରୁ ଫେରୁଥିବା ଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି।
କିଛି ମାସ ତଳେ ପ୍ରତିଷ୍ଠା ହୋଇଥିବା ନୟାଗଡ଼ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ମଧ୍ୟରେ ଓକିଲମାନଙ୍କ ପାଇଁ ବାର ହଲ୍ ବ୍ୟବସ୍ଥା ନାହିଁ। ନିୟମିତ କୋର୍ଟ କାର୍ଯ୍ୟ କରିବାରେ ସମସ୍ୟ ଉପୁଜିବାକୁ ନେଇ ସ୍ଥାନୀୟ ଓକିଲ ସଂଘ ଜୁଲାଇ ମାସ ୧୬ ତାରିଖରୁ ଆନ୍ଦୋଳନ ଚଳାଇଛି। ଏହାକୁ ସମର୍ଥନ କରି ଜିଲ୍ଲାର ଅନ୍ୟ ବାର ଆସୋସିଏସନ ୨ ଅଗଷ୍ଟରୁ କୋର୍ଟ ବର୍ଜନ କରିଛନ୍ତି।
ଏହା ବିଭିନ୍ନ ମୋକଦ୍ଦମାର ଆବେଦନକାରୀ ଓ ଟ୍ରାଏଲ ସମ୍ମୁଖୀନ ବ୍ୟକ୍ତି ନ୍ୟାୟ ପାଇବାରେ ବ୍ୟାଘାତ ସୃଷ୍ଟି କରିଛି। ସେପଟେ କୋର୍ଟ ପରିସରରେ ବାର ଆସୋସିଏସନ ହଲ୍ ସୁବିଧା ପାଇଁ ହାଇକୋର୍ଟଙ୍କ ଅନୁମତିକୁ ଜିଲ୍ଲା ବିଚାର ବିଭାଗ ଅପେକ୍ଷା କରିଥିବା ଅନୁମାନ କରାଯାଉଛି।














