ଓଡ଼ିଶାଲାଇଭ୍ ବ୍ୟୁରୋ

ସହରରେ ଡ୍ରେନେଜ୍ ବ୍ୟବସ୍ଥାକୁ ତ୍ୱରିତ ଭାବରେ ସୁସଂଗଠିତ କରିବା ପାଇଁ ଯୋଜନାର ଅଂଶସ୍ୱରୂପ ବିଏମସି ଡ୍ରେନେଜ୍ ଡିଭିଜନରେ ତିନୋଟି ସବ୍-ଡିଭିଜନ୍ କରାଯିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସଂଖ୍ୟକ ଇଂଜିନିୟର ଓ ଅଧିକାରୀ ନିଯୁକ୍ତି କରାଯାଇଛି।
ଚଳିତ ଅଗଷ୍ଟ ପହିଲାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ବିଏମସି ଡ୍ରେନେଜ୍ ଡିଭିଜନକୁ ଚାରିଜଣ ସହକାରୀ ତଥା କନିଷ୍ଠ ଯନ୍ତ୍ରୀ ନିଯୁକ୍ତ ହୋଇଛନ୍ତି।
ଡ୍ରେନେଜ୍ ଡିଭିଜନରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଯନ୍ତ୍ରୀ ତଥା ଅନ୍ୟ ଅଧିକାରୀମାନେ ନବଗଠିତ ସବଡିଭିଜନରେ ଦାୟିତ୍ୱ ନେଇ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବେ।
ଡ୍ରେନେଜ୍ ନିର୍ବାହୀ ଯବୀ ସଂପୃକ୍ତ ଡିଭିଜନରେ ସାମଗ୍ରିକ ପରିଚାଳନା ର ମୁଖ୍ୟ ଦାୟିତ୍ୱ ସମ୍ପାଦନ କରିବେ ଏବଂ ଜଣେ ଲେଖାଏଁ ସହକାରୀ ନିର୍ବାହୀ ଯବୀ ସମ୍ପୃକ୍ତ ସବ-ଡିଭିଜନର ନେତୃତ୍ୱ ନେବେ।
ସମ୍ପୃକ୍ତ ସବ-ଡିଭିଜନର କାର୍ଯ୍ୟକୁ ତ୍ୱରିତ ଭାବରେ ରୂପାୟିତ କରିବା ନିମନ୍ତେ ପ୍ରତି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଦୁଇଜଣ ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରିବେ। ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ତାଙ୍କ ଅଧୀନରେ ରହୁଥିବା ଦୁଇଜଣ ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀଙ୍କ ଦଳକୁ ସଫଳ ପରିଚାଳନା ପାଇଁ ନିର୍ଦ୍ଧିଷ୍ଟ ଡ୍ରେନେଜ୍ ଚ୍ୟାନେଲର ଦାୟିତ୍ୱ ପ୍ରଦାନ କରାଯିବ।
ମହାନଗର ନିଗମର ତିନୋଟି ସବ-ଡିଭିଜନ୍ ଉତ୍ତର, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ଭାବରେ ପରିଗଣିତ ହେବେ। ପ୍ରଦୀପ ସାଗର ଦୂରିଆ ଡ୍ରେନେଜ୍ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ରହିଥିବାବେଳେ ମଦନ ମୋହନ ମିଶ୍ର, ଗୌତମ ଚରଣ ଦାସ ଓ ଅଜିତ ଭୂଷଣ ଦାସ ସଂପୃକ୍ତ ସବ-ଡିଭିଜନ ଦାୟିତ୍ୱରେ ରହିବେ।
ସହରରେ ପ୍ରାୟ ୧୦୦ କିମି ଦୈର୍ଘ୍ୟର ୧୨ଟି ଡ୍ରେନେଜ୍ ଚ୍ୟାନେଲର ରହିଥିବାବେଳେ, ପ୍ରାୟ ୪୦୦ କିମି ଦୈର୍ଘ୍ୟର ମଧ୍ୟମ ଧରଣର ଓ କ୍ଷୁଦ୍ର ଡ୍ରେନ୍ ରହିଛି। ସମସ୍ତ ଡ୍ରେନେଜ୍ ଚ୍ୟାନେଲର ଜରିଆରେ ସହରର ବର୍ଷାଜଳ ଗଙ୍ଗୁଆ ନାଳକୁ ନିଷ୍କାସିତ ହୋଇଥାଏ। ଯେଉଁଠାରୁ ଏହା ପରିଶେଷରେ ଦୟାନଦୀକୁ ପ୍ରବାହିତ ହୋଇଥାଏ।
୨୦୧୫ ମସିହା ଅଗଷ୍ଟ ମାସରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ବିଏମସିରେ ଡ୍ରେନେଜ୍ ଡିଭିଜନ୍ ୨୦୧୬ ମସିହାରେ ଗଠନ କରାଯାଇଥିଲା।














