ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଚାର୍ଯ୍ୟ ବିହାର ଅଂଚଳରେ ଥିବା ସାଇନସ୍ ପାର୍କ ବସ୍ତିର ଉଚ୍ଛେଦ କାର୍ଯ୍ୟ ସଫଳ ହୋଇଛି। ଉଚ୍ଛେଦ ସମୟରେ ଉଚ୍ଛେଦକାରୀ ଦଳଙ୍କୁ ବହୁ ପ୍ରତିରୋଧର ସାମନା କରିବାକୁ ପଡିଥିଲା।

ଆଚାର୍ଯ୍ୟ ବିହାର ଅଂଚଳରେ ଏକ ବକ୍ସ ଡ୍ରେନ ନିର୍ମାଣ କରି ସେଠାରେ ଜମୁଥିବା ଜଳକୁ ଡ୍ରେନେଜ ୪ ର ଚ୍ୟାନେଲ ଦେଇ ନେବା ଯୋଜନା କରାଯାଇଛି।

ଭୁବନେଶ୍ୱର ମହାନଗର ନିଗମର ଉପ ଆୟୁକ୍ତ ବିନୟ କୁମାର ଦାଶ ଏହି ଉଚ୍ଛେଦ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ବିଏମସି ବିଡିଏ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଉଚ୍ଛେଦକାରୀ ଦଳଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ ହୋଇଛି। ୧୫ଟି ଆଜବେଷ୍ଟସ ଛପର ଘର ଏବଂ ୧୦୦ ଫୁଟ ଲମ୍ବର ପ୍ରାଚୀରକୁ ଭାଙ୍ଗି ଦିଆଯାଇଛି।

ଗତ ଜୁଲାଇ ୧୮ ତାରିଖରେ ରାଜ୍ୟ ସରକାର ଜାତୀୟ ରାଜପଥ ୧୬ ତଳ ଦେଇ ଯାଇଥିବା ଏବଂ ଡ୍ରେନେଜ ଚ୍ୟାନେଲକୁ ଯୋଗ କରୁଥିବା ଡ୍ରେନ୍ରେ ଏକ ବକ୍ସ ଡ୍ରେନ ନିର୍ମାଣ ପାଇଁ ୫.୫ କୋଟି ଟଙ୍କା ମଂଜୁର କରିଥିଲେ।

ଆଂଚଳିକ ବିଜ୍ଞାନ କେନ୍ଦ୍ରର ପାଖ ଦେଇ ଯାଇଥିବା ଡ୍ରେନେଜ୍ ଚ୍ୟାନେଲ ନଂ ୪ କୁ ଲାଗିଥିବା ଡ୍ରେନ୍ ଗୁଡିକରୁ ପାଣି ଯାଇ ସବୁବେଳେ ଆଚାର୍ଯ୍ୟ ବିହାର ଅଂଚଳରେ ଜଳବନ୍ଦୀ ସମସ୍ୟା ଦେଖାଯାଉଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଜଳସମ୍ପଦ ବିଭାଗ ଅଧିନରେ କଟକ ଡ୍ରେନେଜ ଡିଭିଜନ ଏହି ବକ୍ସସେଲ୍ ଡ୍ରେନ୍ ନିର୍ମାଣ କାର୍ଯ୍ୟ କରିଥିଲେ। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ୫୭୭ ମିଟର ଲମ୍ବର ଏହି ବକ୍ସ ଡ୍ରେନ ନିର୍ମାଣ କରାଯାଇଥିଲା।

ପରବର୍ତ୍ତି ସମୟରେ ଜଳସମ୍ପଦ ବିଭାଗ ଭୁବନେଶ୍ୱରରେ ଡ୍ରେନେଜ ଡିଭିଜନ ଗଠନ କରିଥିଲେ ଏବଂ ଏହାପରେ ଡ୍ରେନେଜ ଡିଭିଜନର ଭାର ବିଏମସି ଇଂଜିନିୟରିଂ ବିଭାଗ ଅଧିନକୁ ଆସିଥିଲା। ତେଣୁ ଉକ୍ତ ବକ୍ସଡ୍ରେନର ଆଉ ବାକି ୩୭୭ ମିଟରର ନିର୍ମାଣ ବର୍ତମାନ ବିଏମସି ଡ୍ରେନେଜ ଡିଭିଜନକୁ ସମାପ୍ତ କରିବାକୁ ହେବ।

ବକ୍ସଡ୍ରେନର ଗତିପଥ ସାଇନସ୍ ପାର୍କ ବସ୍ତି ଦେଇ ଯାଉଥିବାରୁ ଏଠାରେ ଉଚ୍ଛେଦ କରିବା ଅତ୍ୟାବଶ୍ୟକୀୟ ହୋଇପଡିଥିଲା। ଏହି ବକ୍ସ ଡ୍ରେନର ପ୍ରକଳ୍ପ ଅଟକଳ ୫.୧୪ କୋଟି ବୋଲି ବିଏମସିର ଡ୍ରେନେଜ୍ ଡିଭିଜନ ଉପସ୍ଥାପନ କରିଛନ୍ତି।

ଏହି ବକ୍ସଡ୍ରେନ୍ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ବିହାର ଅଂଚଳରୁ ୨୦୧୫ରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ଯାହା ୨୦୧୪ରୁ ବିଏମସି ଏବଂ ବିଡିଏର ମିଳିତ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା। ତେବେ ବକ୍ସ ସେଲ୍ ଡ୍ରେନ୍ ବାଟରୁ କେତେକ ଅପରିହାର୍ଯ୍ୟ ସେବାର ସ୍ଥାନାନ୍ତରର କିଛି ଦିନ ପରେ ଏହି ଉଚ୍ଛେଦ କାର୍ଯ୍ୟି ବିଳମ୍ବରେ ଆରମ୍ଭ ହୋଇଥିଲା।

ଉଚ୍ଛେଦର ପ୍ରଥମରୁ ପ୍ରତିରୋଧ ଏବଂ ଅଭିଯୋଗ କରୁଥିବା ସେଠାକାର ବାସିନ୍ଦା ପରବର୍ତ୍ତୀ ସମୟରେ ଏହାକୁ ସହଯୋଗ କରିବା ଦେଖାଯାଇଥିଲା।

ଏହି ଉଚ୍ଛେଦ ଦ୍ୱାରା ଉପଯୁକ୍ତ ଭାବେ ବକ୍ସଡ୍ରେନ୍ର ନିର୍ମାଣ କାର୍ଯ୍ୟ ଏବଂ ଏହା ଦ୍ୱାରା ଆଚାର୍ଯ୍ୟ ବିହାର ଅଂଚଳ ଜଳବନ୍ଦୀରୁ ମୁକ୍ତି ପାଇବା ସହିତ ଆଚାର୍ଯ୍ୟବିହାର ଅଂଚଳ ଏବଂ ବସ୍ତି ଅଂଚଳରେ ବସତି ପାଇଁ ସୁବିଧା ହେବ ବୋଲି ସଂପୃକ୍ତ ବସ୍ତିବାସିନ୍ଦା ବୁଝିପାରିଥିଲେ।

Comment