ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୪୮ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରି ଷ୍ଟ୍ରଙ୍ଗ ରୁମ୍‍ରେ ରଖାଯିବ।

ଦୀର୍ଘ ୪୮ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଟ୍ରେଜେରି(ଜିଲ୍ଲା କୋଷାଗାର)ରେ ରହିବ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ କଟକ ବଦଳି ହୋଇଥିବାରୁ ଦାୟିତ୍ୱ ହସ୍ତାନ୍ତର ପୂର୍ବରୁ ସେ ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ଜମା କରିବେ। ତା’ପୂର୍ବରୁ ଜିଲ୍ଲା ରେକର୍ଡରୁମ୍‍ରୁ ମିଳିଥିବା ୨ଟି ଚାବି ଖୁବ୍‍ଶୀଘ୍ର ଟ୍ରେଜେରି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ।

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାୟୀ ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ରଖାଯିବା କଥା। କିନ୍ତୁ ୧୯୭୦ ମସିହା ପରଠାରୁ ଚାବି ଆଉ ଟ୍ରେଜେରିକୁ ଫେରିନାହିଁ। ଦୀର୍ଘ ୪୮ବର୍ଷ ପରେ ଡୁପ୍ଲିକେଟ ଚାବି ଟ୍ରେଜେରି ଷ୍ଟ୍ରଙ୍ଗରୁମ୍‍ରେ ରଖାଯିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ପୁରୀ ଛାଡିବା ପୂର୍ବରୁ ଟ୍ରେଜେରିକୁ ଚାବି ହସ୍ତାନ୍ତର କରି ଡୁପ୍ଲିକେଟ ଚାବି ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି।

ତଦନ୍ତ କମିଶନଙ୍କ ପାଖରେ ସତ୍ୟପାଠ ଦାଖଲ ପୂର୍ବରୁ ଜିଲ୍ଲାପାଳ ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ୨ଦିନ ଧରି ଅଭିଜ୍ଞ ଅଫିସର ଓ ବରିଷ୍ଠ ଆଇନଜୀବୀଙ୍କ ସହ ବିଚାର ବିମର୍ଶ କରାଯାଉଛି।

ରତ୍ନଭଣ୍ଡାର ଚାବି ତତ୍ତ୍ୱାବଧାରକ ଭାବେ ଟ୍ରେଜେରି ଅଫିସର କିମ୍ବା ଜିଲ୍ଲାପାଳଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାର୍ଯ୍ୟ କରିବେ। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ପ୍ରଶାସନ ଚିନ୍ତା କରୁଛି। ମଙ୍ଗଳବାର ଦିନ ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି ଜିଲ୍ଲା ପ୍ରଶାସନ ଟ୍ରେଜେରିକୁ ହସ୍ତାନ୍ତର କରିବାର ସମ୍ଭାବନା ରହିଛି। ଟ୍ରେଜେରି ଷ୍ଟ୍ରଙ୍ଗରୁମ୍‍ରେ ରତ୍ନଭଣ୍ଡାର ଚାବି ରଖାଯିବ। ଏଥିପାଇଁ ସ୍ୱତନ୍ତ୍ର ରେଜିଷ୍ଟର (ଖାତା) ପ୍ରସ୍ତୁତ କରାଯାଉଛି।

ରତ୍ନଭଣ୍ଡାର ଚାବି ଖୋଜାଖୋଜିବେଳେ ଜିଲ୍ଲା ରେକର୍ଡରୁମ୍‍ରୁ ୨ଟି ଚାବିଥିବା ଗୋଟିଏ ଜଉମୁଦ ସିଲ୍‍ ଲଫାପା ମିଳିଥିଲା। ତାହା ଡୁପ୍ଲିକେଟ ଚାବି ବୋଲି ଲଫାପା ଉପରେ ଲେଖାଯାଇଛି।

କିନ୍ତୁ ଶ୍ରୀମନ୍ଦିର ଆଇନ କିମ୍ବା ରେକର୍ଡ ଅଫ୍‍ ରାଇଟ୍ସ (ସ୍ୱତ୍ୱଲିପି)ରେ ଡୁପ୍ଲିକେଟ ଚାବି ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ତେଣୁ ଜିଲ୍ଲା ରେକର୍ଡରୁମ୍‍ରୁ ମିଳିଥିବା ୨ଟି ଚାବି ମଧ୍ୟରୁ ଗୋଟିଏ ମୂଳଚାବି ଏବଂ ଅନ୍ୟଟି ଦ୍ୱିତୀୟ ଚାବି ବୋଲି କୁହାଯାଉଛି। ଜିଲ୍ଲା ପ୍ରଶାସନ ପାଖରେ ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି ରହିଛି।

ଜିଲ୍ଲା ପ୍ରଶାସନଠାରୁ ଡୁପ୍ଲିକେଟ ଚାବି ନେବାକୁ ମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ ଦାବି କରିନାହିଁ। ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ସୁପାରିସକୁ ମନ୍ଦିର ପ୍ରଶାସନ ଅପେକ୍ଷା କରିଛି।

Comment