ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଟିଟୋ। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପରେ ମାର୍ଶାଘାଇ ଥାନା ପୋଲିସ ଟିଟୋକୁ ଦିନିକିଆ ରିମାଣ୍ଡରେ ନେଇଛି। ଏସ୍ଟିଏଫ୍ ପରେ ଗତ ୪ ଓ ୫ ତାରିଖରେ ଟିଟୋକୁ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ରିମାଣ୍ଡରେ ନେଇଥିଲା।
କେନ୍ଦ୍ରାପଡ଼ା ସହରର ବଡ଼ ମଙ୍ଗଳାଠାରେ ବିଦ୍ୟୁତ ବିଭାଗର ନିର୍ମାଣାଧିନ ଏକ ପାୱାର ଟର୍ମିନାଲ ନିର୍ମାଣ ବେଳେ ଦାଦା ବଟି ମାଗି ନିରାଶ ହେବାରୁ ଦେବାଶିଷ ସାହୁ ନାମକ ଜଣେ ଯୁବ ଇଞ୍ଜିନିୟରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ୨୦୧୭ ଡିସେମ୍ବର ୨୧ ତାରିଖରେ ଘଟିଥିଲା। ଏହି ହତ୍ୟାକାଣ୍ଡରେ ପୋଲିସ କଟା ଦୀପୁ ସହିତ ୫ ଜଣଙ୍କୁ ଗିରଫ କରି ମାମଲା ଶେଷ କରି ଦେଇଥିଲା।
ଟିଟୋ ଗିରଫ ହେବା ପରେ ପୋଲିସ ଏହି ମାମଲା ରିଓପନ୍ କରିଥିଲା। କେନ୍ଦ୍ରାପଡ଼ା ଟାଉନ ପୋଲିସର ରିମାଣ୍ଡ ଅବଧି ଶେଷ ପରେ ଆଜି ଟିଟୋକୁ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ମାର୍ଶାଘାଇ ପୋଲିସ ଟିଟୋକୁ ରାଜୁ ବେହେରା ହତ୍ୟାକାଣ୍ଡ ଘଟଣାରେ ରିମାଣ୍ଡରେ ନେଇଛି।
ଗତ ୨୦୧୫ ଏପ୍ରିଲ ମାସ ୨୪ ତାରିଖରେ ଧନିଆପଡ଼ା ଗାଁର ରାଜ କିଶୋର ବେହେରାକୁ ସନ୍ଧ୍ୟା ସମୟରେ ଚିତ୍ରୋତ୍ପଳା ନଦୀ ବନ୍ଧର ଖଜୁରି ମାଳ ନିକଟରେ କେତେକ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇ ଯାଇଥିଲେ। ରାଜୁ ଟେଣ୍ଡର ଫିକ୍ସିଂ କାର୍ଯ୍ୟରେ ସମ୍ପୃକ୍ତ ରହି ଠିକାଦାରି କକରୁଥିଲା।
ସେତେବେଳେ ପୋଲିସ କୁଖ୍ୟାତ ଅପରାଧୀ ବାବୁ ସାହୁ, ମିଟୁ ମହାରଣା ଓ ତ୍ରିଲୋଚନ ବେହେରାଙ୍କୁ ଗିରଫ କରି ମାମଲା ବନ୍ଦ କରିଦେଇଥିଲା। ଟିଟୋ ଗିରଫ ହେବା ପରେ ପୋଲିସ ଏହି ମାମଲାର ରିଓପନ୍ କରି ଆଜି ରିମାଣ୍ଡରେ ନେଇଛି। ଆସନ୍ତା କାଲି ମଧ୍ୟ ଅଶ୍ୱଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ପୁଣି ଟିଟୋକୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।