ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଶେଷରେ ସୋମବାର କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଲେ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ। ‘ସଂପୂର୍ଣ୍ଣ’ ଓ୍ଵେବପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଆଜି ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ୍ ଭଦ୍ରକ ଜିଲ୍ଲା ନଳାଙ୍ଗଠାରୁ ଗିରଫ କରିଛି। ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା।

ଉଭୟ ଶର୍ମିଷ୍ଠା ଏବଂ ଝୁନାଙ୍କୁ ଆଜି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ। ସେମାନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ ମଧ୍ୟ କରାଯିବ। ଏହା ସହ ପୂର୍ବରୁ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇବ୍ରାଞ୍ଚ ଆବେଦନ କରିବ ବୋଲି ସୂଚନା ରହିଛି।

ମାନସ ହତ୍ୟାକାଣ୍ଡ ପରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠାଙ୍କୁ ଧରିବା ପାଇଁ ନାକେଦମ ହୋଇଯାଇଥିଲା ପୋଲିସ୍ ଟିମ୍। ଶର୍ମିଷ୍ଠାଙ୍କୁ ଧରିବାରେ ପୋଲିସ ବିଫଳ ହେବା ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। କ୍ରାଇମବ୍ରାଞ୍ଚ ଦୁଇଟି ଟିମ୍ ଗଠନ କରି ତନାଘନା ଜାରି ରଖିଥିଲା। ଗୋଟିଏ ଟିମ୍ ରାଜ୍ୟ ବାହାରକୁ ଶର୍ମିଷ୍ଠାଙ୍କୁ ଠାବ କରିବାକୁ ଯାଇଥିବାବେଳେ ଅନ୍ୟ ଟିମ୍ ଭୁବନେଶ୍ଵର, ନୟାଗଡ଼ ଏବଂ ଭଦ୍ରକରେ ତଦନ୍ତ କରୁଥିଲା।

ପୂର୍ବରୁ ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିଲା। ବିଭିନ୍ନ ମହଲରୁ ତୁରନ୍ତ ଶର୍ମିଷ୍ଠାଙ୍କ ଗିରଫ ପାଇଁ ଦାବି ହେଉଥିଲା। ଆଜି ଶର୍ମିଷ୍ଠା ଗରିଫ ହେବା ପରେ ମାନସ ହତ୍ୟାକାଣ୍ଡ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି। ଅନ୍ୟ ପଟେ ମେମୋରି କାର୍ଡର ଗୁମର ଖୋଲିବ ବୋଲି ମଧ୍ୟ କୁହାଯାଉଛି।

ଏହି ହତ୍ୟାକଣ୍ଡରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଜଣେ ସରକାରୀ ବାବୁ। ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନିଆଯିବା ପରେ ଏହି ହତ୍ୟାକାଣ୍ଡର ନୂଆ ଦିଗ ଉନ୍ମୋଚନ ହେବ ନା ଅଭିଯୁକ୍ତଙ୍କର ଲିଷ୍ଟ ଏତିକିରେ ଶେଷ ହେବ ତାକୁ ନେଇ ଏବେ ବଡ଼ ପ୍ରଶ୍ନ।

ଗତ ଫେବ୍ରୁଆରି ୮ ତାରିଖ ମାନସଙ୍କୁ ହତ୍ୟା କରାଯାଇ ନୟାଗଡ଼ରେ ପୋତା ଯାଇଥିଲା। ପୋଲିସ୍ ଗତ ମାର୍ଚ୍ଚ ୧୨ ତାରିଖରେ ଶବ ଉଦ୍ଧାର କରିଥିଲା। ଏହି ହତ୍ୟା ମାମଲାରେ ମାର୍ଚ୍ଚ ୧୦ ତାରିଖରେ ପୋଲିସ ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମା ଗାଁର ବିବେକ ନାୟକ ଏବଂ ପୁରୁଣା ଭୁବନେଶ୍ଵର ମଙ୍ଗଳା ସାହିର କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା। ଅଧିକ ଖୋଳତାଡ ପରେ ମାର୍ଚ୍ଚ ୨୧ ତାରିଖ ମାନସ ହତ୍ୟା ଘଟଣାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ଟେକ୍ନିକାଲ) ନିରଞ୍ଜନ ସେଠୀ ଏବଂ ରାଜ କମ୍ୟୁନିକେସନର ମାଲିକ ରଂଜନ ନାୟକଙ୍କୁ ଗିରଫ କରିଥିଲା ପୋଲିସ।

Tags: #CameramanManasSwainMurderCare #MaterMindSarmisthaRout #SarmisthaRoutArrested #JhunaBhoi #CrimebranchTeam

Comment