ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକିଛନ୍ତି। ଆକାଶଙ୍କ ଭାବି ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର କିଛି ଘନିଷ୍ଠ ସହଯୋଗୀ ମଧ୍ୟ ଏହି ଠକେଇରେ ସାମିଲ ଅଛନ୍ତି। ଏନେଇ ୬ ଜଣ ବ୍ୟକ୍ତି ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି। ଏମାନଙ୍କ ଛଡ଼ା ଅନ୍ୟ ଯେଉଁମାନେ ଏଭଳି ଠକେଇର ଶିକାର ହୋଇଛନ୍ତି, ସେମାନେ ନିର୍ଭୟରେ ଆସି ରିପୋର୍ଟ କରିବାକୁ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆକାଶ ପାଠକ ଓ ତାଙ୍କ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଅନେକ ଯୁବକ ଯୁବତୀଙ୍କଠାରୁ ବିପୁଳ ପରିମାଣର ଟଙ୍କା ଠକି ନେଇଥିଲେ। ଫଳରେ ଠକେଇର ଶିକାର ହୋଇଥିବା ୬ ଜଣ ବ୍ୟକ୍ତି ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀଙ୍କ ମଧ୍ୟରୁ ୨ ଜଣ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବା ନିଜ ଅଭିଯୋଗରେ ଦର୍ଶାଇଥିଲେ। ଅନ୍ୟ ୪ ଜଣ ସହଯୋଗୀ ପ୍ରଦୀପଙ୍କ କିଛି ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଚାକିରି କରାଇଦେବାକୁ ଟଙ୍କା ଦେଇଥିଲେ।ଆକାଶ ପାଠକ, ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଘନିଷ୍ଠ ସହଯୋଗୀମାନେ ଆଶାୟୀ ପ୍ରାର୍ଥୀଙ୍କଠାରୁ ଟଙ୍କା ନେଇ ଜାଲ୍ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏପରିକି ଆଶାୟୀଙ୍କ ପାଇଁ ଅନଲାଇନ୍ ଟ୍ରେନିଂ ଦେବାକୁ ମଧ୍ୟ ବ୍ୟବସ୍ଥା କରିଥିଲେ। ସେପଟେ ପ୍ରଦୀପ ପାଣିଗ୍ରାହୀ ନିଜ ଭାବି ଜ୍ୱାଇଁ ଆକାଶ ପାଠକ ଟାଟା ମୋଟର୍ସରେ କାମ କରୁଥିବା କହି ଲୋକଙ୍କୁ ଠକି ଚାଲିଥିଲେ। ଚାକିରି ଆଶାରେ ଅନେକ ଆଶାୟୀ ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କୁ ବିପୁଳ ପରିମାଣର ଟଙ୍କା ଦେଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଆକାଶଙ୍କ ବାପା ତଥା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମାମଲା ରୁଜୁ କରିଥିଲା। ଏହାପରେ ଉଭୟ ବାପ ପୁଅଙ୍କୁ ଗିରଫ କରାଯାଇଥିଲା। ତେବେ ଚାକିରି ନାଁରେ ଟଙ୍କା ଠକେଇ ଅଭିଯୋଗରେ ଆକାଶ ମୁଖ୍ୟ ଅଭିଯୁକ୍ତ ଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ରିମାଣ୍ଡରେ ନେବାକୁ ପ୍ରାର୍ଥନା କରିଥିଲା। ଏହାପରେ ହାଇକୋର୍ଟ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଶୁକ୍ରବାରଠାରୁ ଆକାଶଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି।

Comment