ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵରସ୍ଥିତ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଲିକ ଘଟଣାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରୁଥିବାବେଳେ କ୍ରାଇମବ୍ରାଞ୍ଚକୁ ମିଳିଛି ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ। ଏନେଇ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। କେଉଁଠାରୁ ଟଙ୍କା ଆସୁଥିଲା, ଏଥିରେ ସାମିଲ ଥିବା ମହିଳା ଜଣଙ୍କ କିଏ ଏବଂ ଆଉ କେଉଁ କେଉଁ ତଥ୍ୟ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଦେଇଛନ୍ତି ଇତ୍ୟାଦି ଅନେକ ପ୍ରଶ୍ନ ଅଭିଯୁକ୍ତମାନଙ୍କୁ ପଚରା ଯାଇଥିଲା।

ସେ କହିଛନ୍ତି, “ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ ସିଜ୍ କରାଯାଇଛି। ଏଥିସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଉଛି। ଯାଞ୍ଚ ସମୟରେ ଜଣେ ଅଭିଯୁକ୍ତଙ୍କ ପାଖକୁ ଦୁବାଇରୁ ଟଙ୍କା ଆସୁଥିବା ଜଣାପଡ଼ିଛି। ତାଙ୍କ ନିକଟକୁ ଦୁଇଟି କିସ୍ତିରେ ୩୮ ହଜାର ଟଙ୍କା ଆସିଛି। ସେହିପରି ଅନ୍ୟ ଅଭିଯୁକ୍ତମାନଙ୍କ ଆକାଉଣ୍ଟଙ୍କୁ ବିଦେଶରୁ ଟଙ୍କା ଆସିଛି କି ନାହିଁ ସେନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି।”

ସେ ଆଉ ମଧ୍ୟ କହିଛନ୍ତି, “ଅଭିଯୁକ୍ତମାନଙ୍କ ସହ ଜଣେ ମହିଳା ସୋସିଆଲ ମିଡିଆରେ ଚାଟିଂ କରୁଥିଲେ। ଉକ୍ତ ମହିଳା ଜଣଙ୍କ ୟୁକେର ଏକ ଟେଲିଫୋନ ନମ୍ବର ବ୍ୟବହାର କରୁଥିଲେ। ତେବେ ସେହି ମହିଳା ଜଣଙ୍କ କିଏ ଏବଂ କେଉଁଠାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।”

ଏଡିଜିଙ୍କ କହିବାନୁସାରେ କଟକରେ ଏନଆଇଏ ଟିମ୍ ଅଭିଯୁକ୍ତଙ୍କୁ ଜେରା କରିନାହିଁ। କେବଳ ଏୟାର ଫୋର୍ସର ଏକ ଟିମ୍ ସୋମବାର କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ୫ଘଣ୍ଟା ଧରି ଜେରା କରିଥିଲେ।

ସୂଚନା ଥାଉକି, ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଘଟଣାରେ ବାଲେଶ୍ଵର ପୋଲିସ ବସନ୍ତ ବେହେରା, ଶେଖ ମୁଶାଫିର, କୋପସ ରଞ୍ଜନ ନାୟକ, ହେମନ୍ତ ମିସ୍ତ୍ରୀ ଓ ସଚିନ କୁମାର ନାମକ ତିନି ଜଣ ଠିକା ଶ୍ରମିକଙ୍କୁ ଗିରଫ କରିଥିଲା। ପରେ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏହି ଦାୟିତ୍ଵ ନେଇଥିଲା। ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅତିରିକ୍ତ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ଵରେ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଥିଲା।

Comment