ଓଡ଼ିଶାଲାଇଭ୍ ବ୍ୟୁରୋ

ଚାନ୍ଦିପୁର ଡିଆରଡିଓ ତଥ୍ୟ ଚୋରି ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ତଥ୍ୟ। ଏହାକୁ ଆଧାର କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଅଧିକ ତଦନ୍ତ ପାଇଁ ଆଗକୁ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ତଥ୍ୟ ଅନୁସାରେ, ଏହି ଘଟଣାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ସହ ଯୋଗାଯୋଗରେ ରହିଥିବା ରହସ୍ୟମୟୀ ମହିଳାଙ୍କ ଫଟୋ କ୍ରାଇବ୍ରାଞ୍ଚକୁ ମିଳିଛି। ମହିଳା ଜଣଙ୍କ ସୋସିଆଲ ମିଡିଆରେ ଏକରୁ ଅଧିକ ଆକାଉଣ୍ଟ ଖୋଲି ଏବଂ ୟୁକେ ନମ୍ବର ଜରିଆରେ ଅଭିଯୁକ୍ତମାନଙ୍କ ସହ ଯୋଗାଯୋଗରେ ରହିଥିଲେ। ତେବେ ଏହି ମହିଳା ଜଣଙ୍କ କେଉଁଠାର ଏବଂ ତାଙ୍କର ପ୍ରକୃତ ପରିଚୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।

ଏଡିଜି କହିଛନ୍ତି, “ଗୋଟିଏ ଆକାଉଣ୍ଟର ପ୍ରୋଫାଇଲ ଫଟୋ ସହ ଭିଡିଓ କଲ ମ୍ୟାଚ କରୁଥିବା ଜଣାଯାଇଛି। ତେଣୁ ରହସ୍ୟମୟୀଙ୍କୁ ଠାବ କରିବାକୁ ଇଣ୍ଟରପୋଲର ସହାୟତା ନିଆଯିବ। ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ନିଆଯିବ।”

ସେ ଆଉ ମଧ୍ୟ କହିଛନ୍ତି, “ବ୍ୟାଙ୍କ ଆକାଉଣ୍ଟ ଛଡ଼ା ଆଉ କେଉଁ ଉପାୟରେ ଟଙ୍କା ଆସୁଥିଲା, ତାହାର ତଦନ୍ତ କରାଯାଉଛି। ଏକ ତଦନ୍ତକାରୀ ଟିମ ବାଲେଶ୍ୱରରେ ରହି ତଦନ୍ତ କରୁଛନ୍ତି। ଯେଉଁ ଆକାଉଣ୍ଟରୁ ଅଭିଯୁକ୍ତଙ୍କ ନିକଟକୁ ଟଙ୍କା ଆସୁଥିଲା, ତାହା ସେହି ରହସ୍ୟମୟୀ ମହିଳାଙ୍କର ନା ତାଙ୍କର ସହଯୋଗୀଙ୍କର ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ପ୍ରମାଣ ମିଳିନାହିଁ।”

ମହିଳା ଜଣଙ୍କ ବ୍ୟବହାର କରୁଥିବା ଫୋନ ନମ୍ବରଟି ବାହାର ଦେଶର ହୋଇଥିବାରୁ, ଅଧିକ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଇଣ୍ଟରପୋଲର ସହାୟତା ନେବାକୁ ପଡ଼ିଥାଏ। ତେଣୁ ଏହି ଆଧାରରେ ଓଡ଼ିଶା କ୍ରାଇମବ୍ରାଞ୍ଚ ବି ସହାୟତା ଲୋଡ଼ିଛି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।

ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଘଟଣାରେ ବାଲେଶ୍ଵର ପୋଲିସ ବସନ୍ତ ବେହେରା, ଶେଖ ମୁଶାଫିର, କୋପସ ରଞ୍ଜନ ନାୟକ, ହେମନ୍ତ ମିସ୍ତ୍ରୀ ଓ ସଚିନ କୁମାର ନାମକ ତିନି ଜଣ ଠିକା ଶ୍ରମିକଙ୍କୁ ଗିରଫ କରିଥିଲା। ପରେ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏହି ଦାୟିତ୍ଵ ନେଇଥିଲା। ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅତିରିକ୍ତ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ଵରେ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଥିଲା।

Comment