ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵରସ୍ଥିତ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ୪ ଠିକା ଶ୍ରମିକଙ୍କୁ ଗିରଫ କରିଥିଲା ବାଲେଶ୍ଵର ପୋଲିସ। ଏହି ଘଟଣା ଆଜି ଏକ ନୂଆ ମୋଡ଼ ନେଇଛି। ଅଭିଯୁକ୍ତମାନଙ୍କର ହନିଟ୍ରାପ ଲିଙ୍କ ରହିଥାଇପାରେ ବୋଲି ଏସପି ସୁଧାଂଶୁ ମିଶ୍ର ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ତଥ୍ୟ ଲିକ୍ ଘଟଣାରେ ୪ ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ଆଉ କିଛି ଲୋକଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କର ହନିଟ୍ରାପ ଲିଙ୍କ ଥାଇପାରେ ବୋଲି ସନ୍ଦେହ କରାଯାଉଛି, କିନ୍ତୁ ସ୍ପଷ୍ଟ ହୋଇନାହିଁ।”

ତଥ୍ୟ ଲିକ୍ ଘଟଣାରେ ୪ ଅଭିଯୁକ୍ତ ଗିରଫ

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେବା ଘଟଣାରେ ମଙ୍ଗଳବାର ଦିନ ୪ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏବେ ସମସ୍ତ ଅଭିଯୁକ୍ତଙ୍କୁ ବାଲେଶ୍ଵର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ସେମାନେ ହେଲେ ତାପସ ରଞ୍ଜନ ନାୟକ, ବସନ୍ତ ବେହେରା, ହେମନ୍ତ ମନ୍ତ୍ରୀ, ସେକ ମୁସାକ।  ଏମାନଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ହେଉଛି ବସନ୍ତ ବେହେରା। ସେ ବିଦେଶୀ ବ୍ୟକ୍ତିଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲେ ଏବଂ ତାଙ୍କ ଆକାଉଣ୍ଟକୁ ବିଦେଶରୁ ଟଙ୍କା ଆସୁଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ସୂଚନା ଥାଉକି, ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ପ୍ରତିରକ୍ଷା ସମ୍ପର୍କୀତ ଗୁପ୍ତ ତଥ୍ୟ ଦେଉଥିବା ସୂଚନା ପ୍ରଥମେ ଇଣ୍ଟେଲିଜେନ୍ସି ବ୍ୟୁରୋ(ଆଇବି)କୁ ମିଳିଥିଲା। ଏହାପରେ ସମସ୍ତ ତଥ୍ୟ କ୍ରାଇମ ବ୍ରାଞ୍ଚକୁ ଅବଗତ କରାଇଥିଲା ଆଇବି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କ୍ରାଇମ ବ୍ରାଞ୍ଚ ଓ ବାଲେଶ୍ଵର ପୋଲିସ ମିଳିତ ଭାବେ ଏକ ଯୋଜନା କରିଥିଲେ। ଏଥିପାଇଁ  ଆଇଜି ହିଂମାସୁ ଲାଲଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଥିଲା। ଗତ ଦୁଇ ଦିନ ଧରି ଯାଞ୍ଚ କରିବାପରେ ଶେଷରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ।୨୦୧୫ରେ ତଥ୍ୟ ଲିକ୍ ଘଟଣାରେ ଜଣଙ୍କୁ ଗିରଫ କରିଥିଲା ପୋଲିସ

୨୦୧୫ ମସିହାରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ତଥ୍ୟ ଲିକ ଘଟଣାରେ ଈଶ୍ବର ବେହେରା ନାମକ ଜଣେ ଫଟୋଗ୍ରାଫରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏସବୁ ଘଟଣା ଜାଣିଥିବା ସତ୍ତ୍ଵେ ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରା ସମସ୍ତ ତଥ୍ୟ ପାକିସ୍ତାନ ଗୁଇନ୍ଦା ବିଭାଗକୁ ଦେଉଥିବା ସେ ନିଜେ ସ୍ଵୀକାର କରିଛି। ପୋଲିସ ତଦନ୍ତ କରିବା ସମୟରେ ପ୍ରଥମେ ବସନ୍ତ ମାନିନଥିଲା। ଏହାପରେ ସମସ୍ତ କଥା ପୋଲିସ ଆଗରେ ଗୋଟି ଗୋଟି କରି ପ୍ରକାଶ କରିଥିଲା ବସନ୍ତ। ସେ ତିନି ନମ୍ବର ଗେଟରେ ଜେନେରେଟର ଅପରେଟର ଭାବେ କାର୍ଯ୍ୟ କରୁଥିଲା।

ହନିଟ୍ରାପ ଲିଙ୍କ ଥିବା ଆଶଙ୍କା

୪ ଠିକା ଶ୍ରମିକଙ୍କ ଏଭଳି କାରନାମ ପଛରେ ହନିଟ୍ରାପ ଲିଙ୍କ ଥିବା ଘଟଣା କୁହାଯାଉଛି। ତେବେ ଏକଥା କେତେ ଦୂର ଠିକ୍ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହି ହନିଟ୍ରାପ କ’ଣ, ତାହାକୁ ନେଇ ଉଠିଛି ପ୍ରଶ୍ନ?

ହନିଟ୍ରାପ କ’ଣ

ହନିଟ୍ରାପ ହେଉଛି ଏମିତି ଏକ ପ୍ରକ୍ରିୟା, ଯାହାକୁ ଗୁପ୍ତ ତଥ୍ୟ ସଂଗ୍ରହ କରିବାରେ ବ୍ୟବହାର କରାଯାଇଥାଏ। ସାଧାରଣତଃ ହନିଟ୍ରାପର ମୁଖ୍ୟ ମାଧ୍ୟମ ହେଉଛନ୍ତି ସୁନ୍ଦରୀ ଓ ଆକର୍ଷଣୀୟ ଯୁବତୀ। ଗୁଇନ୍ଦା ସଂସ୍ଥାମାନେ ଏମାନଙ୍କୁ ବ୍ୟବହାର କରି ଶତ୍ରୁପକ୍ଷର ଗୋପନ ତଥ୍ୟ ସଂଗ୍ରହ କରିଥାନ୍ତି। ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଯୁବତୀମାନେ ପ୍ରଥମେ ଗୁରୁତ୍ଵପୂର୍ଣ୍ଣ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବନ୍ଧୁତା ସ୍ଥାପନ କରିଥାନ୍ତି। ଏହାପରେ ଶାରୀରିକ ପ୍ରଲୋଭନ ଦେଖାଇ ଗୋପନୀୟ ତଥ୍ୟ ଆଦାୟ କରିଥାନ୍ତି। ବେଳେବେଳେ ଉକ୍ତ ଯୁବତୀମାନେ ଭିଡିଓ କଲ୍, ମେସେଜ୍, ଫଟୋ ଦେଖାଇ ବ୍ଲାକମେଲ୍ କରି ମଧ୍ୟ ତଥ୍ୟ ହାସଲ କରିଥାନ୍ତି।

Comment