ଓଡ଼ିଶାଲାଇଭ୍ ବ୍ୟୁରୋ

ଭଦ୍ରକର ଏପିଜେ ଅବଦୁଲ କଲାମ ଦ୍ଵୀପରୁ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ଅଳ୍ପ ସମୟ ପାଇଁ ରୋକ୍ ଲଗାଇବ ଡିଆରଡିଓ। ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛମାନଙ୍କ ଅଣ୍ଡାର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି।

ଏପିଜେ ଅବଦୁଲ କଲାମ ଦ୍ଵୀପର ବେଳାଭୂମିରେ ଅନେକ ସଂଖ୍ୟାରେ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେଉଛନ୍ତି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ୨୦୨୪ ଜାନୁଆରିରୁ ମାର୍ଚ୍ଚ ମାସ ଯାଏଁ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ ରହିବ।

କ୍ଷେପଣାସ୍ତ୍ର ପରୀକ୍ଷଣର ଉଚ୍ଚ ଶବ୍ଦ ଏବଂ ଉଜ୍ଜ୍ୱଳ ଆଲୋକ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ବାଧା ଦେବାର ସମ୍ଭାବନା ଥିବାରୁ ଏହାକୁ ବନ୍ଦ ରଖାଯିବ। ଏହାସହ କଇଁଛଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ ଓ ରାଜ୍ୟ ସାମୁଦ୍ରିକ ପୋଲିସ ପକ୍ଷରୁ ସମୁଦ୍ର ଉପକୂଳରେ ପାଟ୍ରୋଲିଂ କରାଯିବାକୁ ଯୋଜନା କରାଯାଇଛି।

କଇଁଛଙ୍କ ସୁରକ୍ଷାକୁ ଆହୁରି ବୃଦ୍ଧି କରିବା ପାଇଁ ଡିଆରଡିଓ ଏପିଜେ ଅବଦୁଲ କଲାମ ଦ୍ୱୀପର ପରିଧି ବାହାରେ ଶିବିର ପାଇଁ ସ୍ଥାନ ଯୋଗାଇ ଦେବାକୁ ରାଜି ହୋଇଛି। ଏହା ରାଜ୍ୟ ସାମୁଦ୍ରିକ ପୋଲିସ ଓ ବନବିଭାଗର ମିଳିତ ସାମୁଦ୍ରିକ ପାଟ୍ରୋଲିଂ ପାଇଁ ସହାୟକ ହେବ।

Tags: #APJAbdulKalamIsland #MissileTest #OliveRidleyTurtle #DRDO #India

LEAVE A REPLY

Please enter your comment!
Please enter your name here