ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଛାନଭିନ କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ରବିବାର ଭଇଁଷା କଲେଜ ଅଧ୍ୟାପକଙ୍କୁ ଉଠାଇ ନେବା ପରେ ଆଜି କଲେଜରେ ପଶିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।

  • କଲେଜରେ ପଶିଲା ସନ୍ଧାନୀ କୁକୁର
  • କଲେଜର ସବୁ କର୍ମଚାରୀଙ୍କୁ ପଚରା ଉଚରା
  • ଅଧ୍ୟାପକଙ୍କ ଘରକୁ ଆସିଲା ସନ୍ଧାନୀ କୁକୁର
  • ଅଧ୍ୟାପକଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଜୋରଦାର ହୋଇଛି। କ୍ରାଇମବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ପାଟଣାଗଡ଼ ଭଇଁଷା ଜ୍ୟୋତି ବିକାଶ କଲେଜରେ ଛାନ୍‌ଭିନ୍ କରିଛି। ଏହି କଲେଜର ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରିବା ସହ ସନ୍ଧାନୀ କୁକୁର ସହାୟତାରେ ଖୋଳତାଡ଼ କରିଛି। ସନ୍ଦେହରେ ରହିଥିବା ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ବାସଭବନରେ ପଶି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ରବିବାର ଅଚାନକ୍ କ୍ରାଇମବ୍ରାଞ୍ଚ ଟିମ୍ ଭଇଁଷା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମେହେରପଡ଼ାସ୍ଥିତ ବାସଭବନରୁ ଉଠାଇ ନେଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରା ଉଚରା କରିଥିଲା। ତାଙ୍କ ପାଖରୁ କିଛି ସୁରାକ୍ ପାଇ ସୋମବାର ଭଇଁସା ଜ୍ୟୋତିବିକାଶ କଲେଜକୁ ଆସିଥିଲା। ଏହି କଲେଜରେ ପାର୍ସଲ ବୋମା ବିସ୍ଫୋରଣରେ ମୃତ ସୌମ୍ୟଶେଖରଙ୍କ ମା’ ଅଧ୍ୟକ୍ଷ ରହିଛନ୍ତି। ଅଧ୍ୟକ୍ଷ ପଦକୁ ନେଇ ସୌମ୍ୟଶେଖରଙ୍କ ମା’ ଏବଂ ପୁଞ୍ଜିଲାଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦ ପାଇଁ ପାର୍ସଲ ବୋମା ବିସ୍ଫୋରଣ ଘଟିଥାଇପାରେ ବୋଲି କ୍ରାଇମବ୍ରାଞ୍ଚ ଅନୁମାନ କରୁଛି।

ପାର୍ସଲ ବୋମା ବିସ୍ଫୋରଣରେ ମୃତ ସୌମ୍ୟଶେଖରଙ୍କ ମା’ ଏବେ ଭଇଁସା କଲେଜର ଅଧ୍ୟକ୍ଷ ଅଛନ୍ତି। ତାଙ୍କ ପୂର୍ବରୁ ଏହି କଲେଜର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଥିଲେ ପୁଞ୍ଜିଲାଲ ମେହେର। ଏହି କଲେଜର ଅଧ୍ୟକ୍ଷ ହେବା ପାଇଁ ପୁଞ୍ଜିଲାଲ ଚାହୁଁଥିଲେ। କିନ୍ତୁ ଅଧ୍ୟକ୍ଷ ହୋଇଥିଲେ ସୌମ୍ୟଶେଖରଙ୍କ ମା’। ଏହାକୁ ନେଇ ଉଭୟଙ୍କ ଭିତରେ ଲାଗି ରହିଥିଲା ବିବାଦ।

“ପାର୍ସଲ ବୋମା ବିସ୍ଫୋରଣର ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଛି। ଏହି ସୁରାକ୍‌କୁ ଆଧାର କରି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ତଦନ୍ତକୁ ଆଗକୁ ବଢ଼ାଉଛନ୍ତି। ଖୁବ୍‌ଶୀଘ୍ର ଘଟଣା ଉପରୁ ପରଦା ହଟିବ”, କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ଫେବ୍ରୁଆରି ୨୩ ତାରିଖର ଘଟଣା। ୧୮ ତାରିଖରେ ପାଟଣାଗଡ଼ର ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ହୋଇଥିଲା ଧୁମ୍‌ଧାମରେ। ବେଙ୍ଗାଳୁରରେ ଇଞ୍ଜିନିୟର ଥିବା ସୌମ୍ୟ ସୋନପୁରର ରିମାଙ୍କୁ ବିବାହ କରିଥିଲେ। ୨୦ ତାରିଖରେ ବଡ଼ ଜାକଜମକରେ ହୋଇଥିଲା ରିସେପ୍‌ସନ୍। ବାହାଘରର ସବୁ କାମରୁ ଫୁରସତ୍ ପାଇ ଶୁକ୍ରବାର ଦିନବେଳେ ଖୋଲା ଯାଇଥିଲା ଗିଫ୍ଟ ପ୍ୟାକେଟ୍।

ଏହି ସମୟରେ ରାୟପୁରରୁ ଶୁକ୍ରବାର ଏକ ଗିଫ୍ଟ ପାର୍ସଲ ଆସି ପହଞ୍ଚିଥିଲା। କିଏ କ’ଣ ଉପହାର ଦେଇଛନ୍ତି ତାକୁ ଦେଖିବା ପାଇଁ ରିମା ଏବଂ ସୌମ୍ୟଶେଖର ଗୋଟିଏ ପରେ ଗୋଟି ଗିଫ୍ଟ ଖୋଲି ଖୁସି ମନାଉଥିଲେ। ଆଉ ଏହି ଖୁସିରେ ସାମିଲ୍ ହୋଇଥିଲେ ଜେଜେମା ଜେମାମଣି। ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ପାର୍ସଲରେ ଆସିଥିବା ଗିଫ୍ଟ ପ୍ୟାକେଟ୍ ଖୋଲୁଖୋଲୁ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ନବ ଦମ୍ପତ୍ତି ଏବଂ ଜେଜେମା। ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ବି ସମ୍ଭାଳି ପାରି ନଥିଲା।

ଆହତ ୩ ଜଣଙ୍କୁ ପ୍ରଥମେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Comment