ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ବଲାଙ୍ଗିର ଏବଂ ପାଟଣାଗଡ଼ରେ ୧୫ ଦିନ ଧରି ଛାନ୍‌ଭିନ୍ କରି କଟକ ଫେରି ଆସିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ହଠାତ୍ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଘରୁ ଉଠାଇ ନେଇଛି। କ୍ରାଇମବ୍ରାଞ୍ଚ ହାତରେ ପାର୍ସଲ ବୋମା ବିସ୍ଫୋରଣର ବଡ଼ ସୁରାକ ଲାଗିଥିବା କୁହାଯାଉଛି। ତେବେ ଏହି ଘଟଣା ପଛରେ ଅଧ୍ୟାପକଙ୍କ କି ହାତ ରହିଛି ତାକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା ଜୋର୍ ଧରିଛି।

ପାର୍ସଲ ବୋମା ବିସ୍ଫୋରଣରେ ମୃତ ସୌମ୍ୟଶେଖରଙ୍କ ମା’ ଏବେ ଭଇଁସା କଲେଜର ଅଧ୍ୟକ୍ଷ ଅଛନ୍ତି। ତାଙ୍କ ପୂର୍ବରୁ ଏହି କଲେଜର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଥିଲେ ପୁଞ୍ଜିଲାଲ ମେହେର। ଏହି କଲେଜର ଅଧ୍ୟକ୍ଷ ହେବା ପାଇଁ ପୁଞ୍ଜିଲାଲ ଚାହୁଁଥିଲେ। କିନ୍ତୁ ଅଧ୍ୟକ୍ଷ ହୋଇଥିଲେ ସୌମ୍ୟଶେଖରଙ୍କ ମା’। ଏହାକୁ ନେଇ ଉଭୟଙ୍କ ଭିତରେ ଲାଗି ରହିଥିଲା ବିବାଦ।

ସୌମ୍ୟଶେଖରଙ୍କ ମାଆ କହିଛନ୍ତି, “ମୁଁ କଲେଜର ଅଧ୍ୟକ୍ଷ ହେବା ପୂର୍ବରୁ ପୁଞ୍ଜିଲାଲ ଦାୟିତ୍ୱରେ ରହିଥିଲେ। ମୁଁ ଅଧ୍ୟକ୍ଷ ହେବା ପରେ ସେ ମୋତେ ସହି ପାରଲେନି। ମୋତେ ସେ ବିଭିନ୍ନ ଉପାୟରେ ହଇରାଣ କରୁଥିଲେ।”

ଏହି କାରଣ ପାଇଁ ଅଧ୍ୟାପକ ପାର୍ସଲ ବୋମା ପଠାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏଣୁ ସବିଶେଷ ତଥ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଅଧ୍ୟାପକଙ୍କୁ ନେଇ ପଚରା ଉଚୁରା କରୁଛି।

ଫେବ୍ରୁଆରି ୨୩ ତାରିଖର ଘଟଣା। ୧୮ ତାରିଖରେ ପାଟଣାଗଡ଼ର ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ହୋଇଥିଲା ଧୁମ୍‌ଧାମରେ। ବେଙ୍ଗାଳୁରରେ ଇଞ୍ଜିନିୟର ଥିବା ସୌମ୍ୟ ସୋନପୁରର ରିମାଙ୍କୁ ବିବାହ କରିଥିଲେ। ୨୦ ତାରିଖରେ ବଡ଼ ଜାକଜମକରେ ହୋଇଥିଲା ରିସେପ୍‌ସନ୍। ବାହାଘରର ସବୁ କାମରୁ ଫୁରସତ୍ ପାଇ ଶୁକ୍ରବାର ଦିନବେଳେ ଖୋଲା ଯାଇଥିଲା ଗିଫ୍ଟ ପ୍ୟାକେଟ୍। ଏହି ସମୟରେ ରାୟପୁରରୁ ଶୁକ୍ରବାର ଏକ ଗିଫ୍ଟ ପାର୍ସଲ ଆସି ପହଞ୍ଚିଥିଲା। କିଏ କ’ଣ ଉପହାର ଦେଇଛନ୍ତି ତାକୁ ଦେଖିବା ପାଇଁ ରିମା ଏବଂ ସୌମ୍ୟଶେଖର ଗୋଟିଏ ପରେ ଗୋଟି ଗିଫ୍ଟ ଖୋଲି ଖୁସି ମନାଉଥିଲେ। ଆଉ ଏହି ଖୁସିରେ ସାମିଲ୍ ହୋଇଥିଲେ ଜେଜେମା ଜେମାମଣି। ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ପାର୍ସଲରେ ଆସିଥିବା ଗିଫ୍ଟ ପ୍ୟାକେଟ୍ ଖୋଲୁଖୋଲୁ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ନବ ଦମ୍ପତ୍ତି ଏବଂ ଜେଜେମା। ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ବି ସମ୍ଭାଳି ପାରି ନଥିଲା।

ଆହତ ୩ ଜଣଙ୍କୁ ପ୍ରଥମେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Comment