ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ କଟକ ଓ ଖୋର୍ଦ୍ଧାରେ ସମସ୍ତ ସ୍କୁଲ ଓ କଲେଜକୁ ଆଜି ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ଗତକାଲି ସନ୍ଧ୍ୟାରୁ ପ୍ରବଳ ବର୍ଷା ହୋଇଛି।

ପୁରୀର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇଛି। ପୁରୀ ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି ଲହଡ଼ି ଭାଙ୍ଗୁଛି। ମଙ୍ଗଳବାର ସକାଳ ସୁଦ୍ଧା ପୁରୀରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାବେଳେ ରାଜଧାନୀରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି।

ଫଳରେ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ଘର ଭିତରେ ପାଣି ପଶି ଯାଇଛି। ବର୍ଷା ସାଙ୍ଗକୁ ଆଜି ବସ ଟ୍ରକ୍‌ ଧର୍ମଘଟ ଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଙ୍ଗଳବାର ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରି ଦେଇଥିବା ବେଳେ କଟକ ଜିଲ୍ଲାପାଳ କଟକ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ମଙ୍ଗଳବାର ଦିନ ବର୍ଷା ପାଇଁ ଛୁଟି ଘୋଷଣା କରିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜର ପାଠପଢ଼ାକୁ ବର୍ଷା ପାଇଁ ବାତିଲ କରିଛନ୍ତି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମଗ୍ର ଉପକୁଳ ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହା ଫଳରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି।

ଏପରିକି କିଛି ଅଞ୍ଚଳର ଲୋକଙ୍କ ଘରେ ପାଣି ପଶି ଯାଇଥିବା ଘଟଣା ନଜରକୁ ଆସିଛି। ଜାତୀୟ ରାଜପଥ ଏବଂ ରାଜଧାନୀର ପ୍ରମୁଖ ଅଞ୍ଚଳରେ ପାଣିର ସୁଅ ଛୁଟୁଥିବାରୁ ଯାତାୟାତରେ ଅସୁବିଧା ଉପୁଜିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କଟକ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାପରେ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେତେକ ଅଞ୍ଚଳରେ ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।  ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି

Comment