ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କାବେରୀ ହସ୍ପିଟାଲ ବାହାରେ ସମର୍ଥକଙ୍କ ଭିଡ଼
  • ସାରା ଦେଶରେ ଶୋକର ଛାୟା
  • ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରକାଶ କଲେ ଶୋକ
  • ତାମିଲନାଡ଼ୁରେ ଥିଏଟର ବନ୍ଦ

ଚାଲିଗଲେ ଦକ୍ଷିଣ ଭାରତ ରାଜନୀତିର ପିତାମହ ଏମ୍ କରୁଣାନିଧି। ଚେନ୍ନାଇ କାବେରୀ ହସ୍ପିଟାଲରେ ମଙ୍ଗଳବାର ସନ୍ଧ୍ୟା ୬ଟା୧୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ପ୍ରଚାରିତ ହେବା ପରେ ହସ୍ପିଟାଲ ବାହାରେ ଲୋକଙ୍କ ଭିଡ଼ ଲାଗିଛି। ତାମିଲନାଡୁ ସମେତ ସାରା ଦେଶରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସମର୍ଥକମାନେ କାନ୍ଦି କାନ୍ଦି କରୁଣାନିଧିଙ୍କୁ ଝୁରୁଛନ୍ତି।

କରୁଣାନିଧିଙ୍କ ଦେହାନ୍ତ ପରେ ତାମିଲନାଡୁ ସରକାର ବୁଧବାର ଛୁଟି ଘୋଷଣା କରିଛନ୍ତି। ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି। ତାମିଲନାଡ଼ୁରେ ବିଭିନ୍ନ ଥିଏଟର ମଧ୍ୟ ବନ୍ଦ କରିଦିଆଯାଇଛି।

କରୁଣାନିଧିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ରଜନୀକାନ୍ତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “କରୁଣାନିଧିଙ୍କ ସହ ମିଶିବା ପାଇଁ ମୁଁ ସୁଯୋଗ ପାଇଥିଲି। ସେ ନୀତି ନିୟମକୁ ଭଲଭାବେ ବୁଝୁଥିଲେ ଏବଂ ସମାଜ ମଙ୍ଗଳ ଉପରେ ଜୋର୍ ଦେଉଥିଲେ। ସେ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରତିବଦ୍ଧ ଥିଲେ। ଜରୁରୀକାଳୀନ ପରିସ୍ଥିତି ବେଳେ ତାଙ୍କ ଭୂମିକାକୁ ଦେଶବାସୀ ସବୁବେଳେ ମନେରଖିବେ।”

ରାଷ୍ଟ୍ରପତି ଟୁଇଟ୍ କରିଛନ୍ତି, “ଏମ୍ କରୁଣାନିଧିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ସେ ଜଣେ ଲୋକପ୍ରିୟ ନେତା ଥିଲେ। ସମର୍ଥକମାନଙ୍କୁ ଶୋକ ସାଗରରେ ଭସାଇ ଆରପାରିକୁ ଚାଲି ଯାଇଛନ୍ତି। ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ।”

ଚେନ୍ନାଇ କାବେରୀ ହସ୍ପିଟାଲରୁ କରୁଣାନିଧିଙ୍କ ମରଶରୀରକୁ ଗୋପାଳପୁରମ୍‌ସ୍ଥିତ ବାସଭବନକୁ ନିଆଯିବ। ବୁଧବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଅନ୍ତ୍ୟେଷ୍ଟିକ୍ରିୟା ଭାଗ ନେବା ପାଇଁ ଚେନ୍ନାଇ ବାହାରିଛନ୍ତି। ଏହାସହ ବିଜେଡିର ଦୁଇ ନେତା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏବଂ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ମଧ୍ୟ କରୁଣାନିଧିଙ୍କ ଶେଷ ଦର୍ଶନ କରିବା ପାଇଁ ଚେନ୍ନାଇ ଯିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Comment