ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ସେ ଚିକିତ୍ସିତ ହେଉଥିବା ଚେନ୍ନାଇର କାଭେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ସ୍ୱାସ୍ଥ୍ୟ ବୁଲେଟିନରେ୍‌ କୁହାଯାଇଛି।

ଡିଏମ୍‍କେ ମୁଖ୍ୟ ଏମ୍‍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। କରୁଣାନିଧି ଚିକିତ୍ସିତ ହେଉଥିବା କାବେରୀ ହସ୍ପିଟାଲରୁ ଜାରି ଖବର ଅନୁଯାୟୀ କରୁଣାନିଧିଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସକ୍ରିୟ ରଖିବା କଷ୍ଟକର ହୋଇପଡ଼ିଛି।

“ବୟସାଧିକ କାରଣରୁ କରୁଣାନିଧିଙ୍କ ଶରୀରରେ ଜଟିଳ ସମସ୍ୟା ଦେଖାଯାଉଛି। ତାଙ୍କୁ ଏବେ ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି ମାଧ୍ୟମରେ ଚିକିତ୍ସା କରାଯାଉଛି। ଏହା ସହିତ ନିୟମିତ ଅନୁଧ୍ୟାନରେ ରଖାଯାଇଛି”, କହିଛନ୍ତି ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଅରବିନ୍ଦନ ସେଲଭାରାଜ।

କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବା ଖବର ପାଇବା ପରେ ତାଙ୍କ ସମର୍ଥକ ହସ୍‌ପିଟାଲ ବାହାରେ ଭିଡି ଜମାଇଛନ୍ତି। ଏହି ଭିଡକୁ ସମ୍ଭାଳିବା ପାଇଁ ହସ୍‌ପିଟାଲ ପରିସରରେ ପୋଲିସ୍‌ ବି ମୁତୟନ କରାଯାଇଛି। ଏବେ ପୋଲିସକୁ ହାଇଆଲର୍ଟ ରହିବାକୁ ତାମିଲନାଡୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦଶେ ଦିଆଯାଇଛି।

ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିବା ୯୪ ବର୍ଷ ବୟସ୍କ ଏମ୍‌ କରୁଣାନିଧିଙ୍କୁ କାବେରୀ ହସ୍ପିଟାଲର ଡାକ୍ତରମାନେ ଏବେ ଭେଣ୍ଟିଲେଟରରେ ରଖିବା ସହ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ କାର୍ଯ୍ୟକ୍ଷମ କରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ରହିଛି।

ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କରୁଣାନିଧିଙ୍କୁ ଗତ ଜୁଲାଇ ୨୧ ତାରିଖଠାରୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଗତକାଲି ଅପରାହ୍ନରେ ହଠାତ ଗୁରୁତର ହୋଇପଡ଼ିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ହସ୍ପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆରୋଗ୍ୟ କାମନା କରିଥିଲେ। ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ମଙ୍ଗଳବାର ଦିନ ମେଡିକାଲ ଯାଇ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

Comment