ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି ପ୍ରତିବାଦରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ପ୍ରତିବାଦ କରାଯାଇ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଛି।

ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି କରିଛନ୍ତି ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) କର୍ତ୍ତୃପକ୍ଷ। ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍ଆଇ କୌଣସି ସୂଚନା ନ ଦେଇ ପ୍ରବେଶ ଶୁଳ୍କ ବୃଦ୍ଧି କରିଥିବା ଅଭିଯୋଗ ହୋଇଛି।

ପୂର୍ବରୁ ଭାରତୀୟ ନାଗରିକମାନଙ୍କ ପାଇଁ ପ୍ରବେଶ ଶୁଳ୍କ ମୁଣ୍ଡପିଛା ୩୦ଟଙ୍କା ଆଦାୟ କରାଯାଉଥିବା ବେଳେ ଏହାକୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇ ଥିବାବେଳେ ବିଦେଶୀ ନାଗରିକ ମାନଙ୍କ ପାଇଁ ପ୍ରବେଶ ଶୁଳ୍କ ୫୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଏସ୍ଆଇ କୌଣସି ସୂଚନା ନ ଦେଇ ପ୍ରବେଶ ଶୁଳ୍କ ବୃଦ୍ଧି କରିଥିବା ପ୍ରତିବାଦରେ କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଧାରଣାରେ ବସି ରହିଥିଲେ।

ଏଥିପାଇଁ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ କିଛି ସମୟ ପାଇଁ ମନ୍ଦିର ଭିତରକୁ ପ୍ରବେଶ କରିପାରିନଥିଲେ। ପର୍ଯ୍ୟଟକଙ୍କ ଅସୁବିଧାକୁ ଆଖିଆଗରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିବା ବେଳେ ଧାରଣା ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।

ପ୍ରଥମଥର ପାଇଁ ୯୦ ଦଶକରେ କୋଣାର୍କ ମନ୍ଦିର ପାଇଁ ପ୍ରବେଶଶୁଳ୍କ ଆଦାୟ କରାଯାଇଥିଲା। ସେତେବେଳେ ଏହାର ମୂଲ୍ୟ ୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାକୁ ୧୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ଦୀର୍ଘ ଦିନ ଧରି କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବା ପରେ ଏଏସଆଇ କର୍ତ୍ତୃପକ୍ଷ ୨୦୧୬ ଏପ୍ରିଲ ମାସ ୧ ତାରିଖଠାରୁ ଏହି ପ୍ରବେଶ ଶୁଳ୍କ ୧୦ଟଙ୍କାରୁ ୩୦ ଟଙ୍କକୁ ବୃଦ୍ଧି କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଏହି ବର୍ଦ୍ଧିତ ଶୁଳ୍କ ୨୫ ଦିନ ପର୍ଯ୍ୟନ୍ତ ଆଦାୟ କରାଯାଇ ପାରି ନ ଥିଲା। ପରେ ଏପ୍ରିଲ ୨୫ ତାରିଖଠାରୁ ଭାରତୀୟମାନଙ୍କ ଠାରୁ ୩୦ ଟଙ୍କା ଲେଖାଏଁ ପ୍ରବେଶ ଶୁଳ୍କ ଆଦାୟ କରାଯାଇଥିଲା ଓ ବିଦେଶୀମାନଙ୍କ ଶୁଳ୍କ ୨୫୦ ଟଙ୍କାରୁ ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ତେବେ ହଠାତ ମଙ୍ଗଳବାର ଦିନ ରାତିରେ ଏଏସଆଇ ପକ୍ଷରୁ ଟିକେଟ କାଉଣ୍ଟରରେ ଭାରତୀୟମାନଙ୍କ ପାଇଁ ପ୍ରବେଶ ଶୁଳ୍କ ୪୦ ଟଙ୍କା ଓ ବିଦେଶୀମାନଙ୍କ ପାଇଁ ୬ଶହ ଟଙ୍କାର ନୋଟିସ ମରାଯାଇଥିବା ଦେଖିବାକୁ ମିଳିଥିଲା।

ଏହାକୁ ନେଇ ବୁଧବାରଦିନ ସକାଳେ ନାଗରିକ ସଙ୍ଗଠନ, କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଟିକେଟ କାଉଣ୍ଟର ଓ ମୁଖ୍ୟ ଗେଟକୁ ବନ୍ଦ କରି ଦିଆଯାଇଥିଲା। ପରେ ପୁଲିସ ହସ୍ତକ୍ଷେପ କରିବାରୁ କୋଣାର୍କ ମନ୍ଦିରର ଗେଟ୍‌ ଖୋଲିଛି। ଯଦି ଏଏସଆଇ କର୍ତ୍ତୃପକ୍ଷ ତୁରନ୍ତ ଏହି ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର ନ କରନ୍ତି, ଏହାକୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି କୋଣାର୍କ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି।

Comment