ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ଏମ୍‌ବିବିଏସ୍‌ ପାଠ୍ୟକ୍ରମ

ପ୍ରଚଳିତ ଡାକ୍ତରୀ ଶିକ୍ଷା  ପାଠ୍ୟକ୍ରମ ଅନୁସାରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ଶିକ୍ଷାରମ୍ଭର ତୃତୀୟ ବର୍ଷରେ ହିଁ ଡାକ୍ତରଖାନା ଯାଇ ରୋଗୀଙ୍କ ଚିକିତ୍ସା ଦେଖିବାର ସୁଯୋଗ ପାଉଥିଲେ। ଏଣିକି ସେମାନେ ପ୍ରଥମ ବର୍ଷରୁ ହିଁ ରୋଗୀଙ୍କ ଚିକିତ୍ସା ଦେଖିପାରିବେ ଏବଂ ରୋଗ ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ। ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପରିମାର୍ଜିତ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା କରାଯାଇଛି।

୨୦୧୯-୨୦ ଶିକ୍ଷାବର୍ଷରୁ ପ୍ରଚଳିତ ହେବ ନୂତନ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମ। ଶେଷଥର ପାଇଁ ୧୯୯୭ ମସିହାରେ ପାଠ୍ୟକ୍ରମ ବଦଳିଥିଲା। ୨୧ ବର୍ଷ ପରେ ମେଡିକାଲ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ଏମବିବିଏସ୍‌ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇ ଏହାକୁ ପରିମାର୍ଜିତ ରୂପ ଦିଆଯାଇଛି।

ନୂତନ ପାଠ୍ୟକ୍ରମ

ପରିବର୍ତ୍ତିତ ସ୍ନାତକ ଡାକ୍ତରୀ ପାଠ୍ୟକ୍ରମରେ ପୁସ୍ତକ ଜ୍ଞାନ ଅପେକ୍ଷା ବ୍ୟାବହାରିକ ଜ୍ଞାନ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଦକ୍ଷତା ଭିତ୍ତିକ ଶିକ୍ଷା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ରୋଗ ଓ ରୋଗୀ ସଂପର୍କିତ ପ୍ରତ୍ୟକ୍ଷ ଜ୍ଞାନ ଆହରଣର ସୁଯୋଗ ଦେବା ଲାଗି ଏଥିରେ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଅନୁଯାୟୀ ଶିକ୍ଷାଗ୍ରହଣର ପ୍ରଥମ ବର୍ଷରୁ ହିଁ ଛାତ୍ରଛାତ୍ରୀମାନେଡାକ୍ତରଖାନାକୁ ଯାଇ ଚିକିତ୍ସା ବ୍ୟବସ୍ଥା ସହିତ ପରିଚିତ ହେବେ।

ସାରା ବିଶ୍ୱରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବ୍ୟାବହାରିକ ଓ ପ୍ରୟୋଗାତ୍ମକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଦେଶର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହା ଜରୁରୀ ହୋଇପଡ଼ିଥିଲା ବୋଲି ଏମସିଆଇ ପକ୍ଷରୁ କୁହାଯାଇଛି। ପ୍ରଚଳିତ ପାଠ୍ୟକ୍ରମରେ ଥିବା କେତେକ ପୁରୁଣାଅଧ୍ୟାୟକୁ ବାଦ ଦିଆଯାଇଛି ଏବଂ ନୂତନ ରୋଗ ସଂପର୍କିତ ବିଷୟବସ୍ତୁକୁ ଏଥିରେ ସ୍ଥାନ ଦିଆଯାଇଛି।

ନୂଆ ପାଠ୍ୟକ୍ରମ ପ୍ରଚଳନ ଲାଗି ପ୍ରସ୍ତୁତି

ପରିବର୍ତ୍ତିତ ପାଠ୍ୟକ୍ରମକୁ ଚଳିତ ବର୍ଷରୁ ପ୍ରଚଳନ କରିବା ଲାଗି ସ୍ଥିର କରାଯାଇଥିଲା। କିନ୍ତୁ ବିଭିନ୍ନ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଆଗେଇ ଯାଇଥିବାରୁ ଆସନ୍ତା ବର୍ଷରୁ ଏହାର ପ୍ରଚଳନ କରାଯିବ। ଏଥିପାଇଁ ଗତ ପ୍ରାୟ ୬ ମାସ ମଧ୍ୟରେ ସାରା ଦେଶର ୪୦ ହଜାର ଡାକ୍ତରୀ ଅଧ୍ୟାପକଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଏମ୍‌ସିଆଇ ପକ୍ଷରୁ କୁହାଯାଇଛି। ସେମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଅନ୍ୟ ଅଧ୍ୟାପକମାନଙ୍କୁ ଏ ସଂପର୍କିତ ପ୍ରଶିକ୍ଷଣ ପ୍ରଦାନ କରିବେ ।ନୂତନ ପାଠ୍ୟକ୍ରମକୁ ଚୂଡ଼ାନ୍ତ ରୂପରେଖ ଦିଆସରିଛି। ଏବେ ଏହା ପ୍ରୁଫ୍‌ ରିଡିଂ ପର୍ଯ୍ୟାୟରେ ରହିଛି ବୋଲି ଏମ୍‌ସିଆଇ ପକ୍ଷରୁ କୁହାଯାଇଛି।

ନୂତନ ପାଠ୍ୟକ୍ରମ ଉପରେ ମତାମତ

ଏମସିଆଇର ନୂତନ ଡାକ୍ତରୀ ପାଠ୍ୟକ୍ରମକୁ ଛାତ୍ର ଓ ଅଧ୍ୟାପକ ମହଲରେ ସ୍ୱାଗତ କରାଯାଇଛି। ଏହି ପରିବର୍ତ୍ତନ ବହୁ ଆଗରୁ ହେବାର ଥିଲା ବୋଲି ଅନେକ ଅଧ୍ୟାପକ ମତ ଦେଇଛନ୍ତି। ବିଶ୍ୱରେ ପ୍ରଚଳିତ ଡାକ୍ତରୀ ଶିକ୍ଷା ବ୍ୟବସ୍ଥାର ମାପଦଣ୍ଡକୁ ଆଖିରେ ରଖି ଏହା ପ୍ରସ୍ତୁତ କରାଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବେଶ ଉପଯୋଗୀ ହେବ।

ଅଧ୍ୟାପକମାନଙ୍କ ମତରେ ପ୍ରଚଳିତ ପାଠ୍ୟକ୍ରମରେ ସୈଦ୍ଧାନ୍ତିକ ଶିକ୍ଷା ବା ଥିଓରି ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଡାକ୍ତରୀ ଶିକ୍ଷାର ସମସ୍ତ ବର୍ଷରେ କେତେକ ଅଧ୍ୟାୟର ପୁନରାବୃତ୍ତି ଆବଶ୍ୟକ ମନେ ହେଉଥିଲା। ନୂତନ ପାଠ୍ୟକ୍ରମରେ ବ୍ୟାବହାରିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଏଭଳି ପୁନରାବୃତ୍ତିକୁ ଏଡ଼ାଇ ଦେଇ ହେବ। ଛାତ୍ରଛାତ୍ରୀମାନେ ନୂତନ ରୋଗ ଓ ଚିକିତ୍ସା ସଂପର୍କରେ ଜ୍ଞାନଲାଭ କରିବା ସହିତ ରୋଗୀ ଚିକିତ୍ସା ସହିତ ପ୍ରତ୍ୟକ୍ଷ ଅନୁଭୂତି ଯୋଗୁଁ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇବ।

୨୦୧୩ ମସିହାରୁ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମରେ ପରିବର୍ତ୍ତନ ଲାଗି ପ୍ରୟାସ ଆରମ୍ଭ ହୋଇଥିଲା। ଗତବର୍ଷ ଡିସେମ୍ବରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନୂତନ ପାଠ୍ୟକ୍ରମର ବିଷୟବସ୍ତୁ ଅନୁମୋଦିତ ହୋଇଥିଲା।

Comment