ଓଡ଼ିଶାଲାଇଭ୍‍ ବ୍ୟୁରୋ

ପତ୍ନୀହତ୍ୟା ଅଭିଯୋଗରେ ତଳକୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ବିମଳେନ୍ଦୁଙ୍କୁ କଲିକତା ହାଇକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି କିନ୍ତୁ ଏହି ରାୟ ଶୁଣିବାକୁ ସେ ଆଉ ନାହାନ୍ତିଦୁଇବର୍ଷ ଆଗରୁ ତାଙ୍କର ମୃତ୍ୟୁ ହୋଇସାରିଛି

ଶହେ ଦୋଷୀ ପଛକେ ଖସି ଯାଆନ୍ତୁ କିନ୍ତୁ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡ ନପାଉ। ଏହା ହିଁ ଆମ ଦେଶରେ ଆଇନ ବ୍ୟବସ୍ଥାର ମୂଳମନ୍ତ୍ର। ହେଲେ ସ୍ୱର୍ଗତ ବିମଳେନ୍ଦୁ ମଣ୍ଡଳଙ୍କ କ୍ଷେତ୍ରରେ ଏହାର ଠିକ୍‌ ଓଲଟା ଘଟିଛି।

ପତ୍ନୀହତ୍ୟା ଅଭିଯୋଗରେ ତଳକୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ବିମଳେନ୍ଦୁଙ୍କୁ କଲିକତା ହାଇକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ସତ, କିନ୍ତୁ ଏହି ରାୟ ଶୁଣିବାକୁ ସେ ଆଉ ନାହାନ୍ତି। ଦୁଇବର୍ଷ ଆଗରୁ ତାଙ୍କର ମୃତ୍ୟୁ ହୋଇସାରିଛି। ସେତେବେଳକୁ ଜେଲରେ ଚଉଦ ବର୍ଷ କାଟିସାରିଥିଲେ ବିମଳେନ୍ଦୁ। ବିନା ଦୋଷରେ। ଆଇନ ବ୍ୟବସ୍ଥାର ଅଗୋଚରରେ ଜେଲ୍‌ରୁ ମୁକୁଳିବା ଆଗରୁ ଜୀବନରୁ ମୁକ୍ତି ପାଇସାରିଛନ୍ତି।

ପଶ୍ଚିମବଙ୍ଗ ବାଙ୍କୁରାର ବିମଳେନ୍ଦୁ ମଣ୍ଡଳ। ୨୦୦୨ ମସିହା ଅଗଷ୍ଟ ୧୩ ତାରିଖ ଦିନ ଘର ପାଖରେ ଥିବା ଏକ ହ୍ରଦରୁ ତାଙ୍କ ପତ୍ନୀ ଅନିତା ମଣ୍ଡଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତିନିଦିନ ପରେ, ବିମଳ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି ବୋଲି ଅନିତାଙ୍କ ଭାଇ ଶିବେନ୍ଦ୍ର ଘୋଷ ବାଙ୍କୁରା ଥାନାରେ ଏତଲା ଦେଇଥିଲେ।

ପତ୍ନୀହତ୍ୟା ଅଭିଯୋଗରେ ବାଙ୍କୁରା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ବିଷକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା ବୋଲି ପଡ଼ୋଶୀମାନେ ବି ବୟାନ ଦେଇଥିଲେ। ୨୦୦୪ ମସିହା ସେପ୍‌ଟେମ୍ବର ୨୪ ତାରିଖ ଦିନ ବାଙ୍କୁରା କୋର୍ଟ ବିମଳେନ୍ଦୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ତାଙ୍କୁ ଆଲିପୁର ସେଣ୍ଟ୍ରାଲ ଜେଲକୁ ପଠାଇ ଦିଆଯାଇଥିଲା।

ତଳକୋର୍ଟଙ୍କ ଆଦେଶ ବିରୋଧରେ ବିମଳେନ୍ଦୁ କଲିକତା ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ତାଙ୍କ ପକ୍ଷରୁ କେହି ଓକିଲ କୋର୍ଟକୁ ଯାଇ ନ ଥିଲେ। କାରଣ ଓକିଲଙ୍କ ପାଉଣା ଦେବାକୁ ତାଙ୍କର ସମ୍ବଳ ନ ଥିଲା। ମାମଲା ସେମିତି ପଡ଼ିରହିଲା।

୧୩ ବର୍ଷ ପରେ, ୨୦୧୭ ଡିସେମ୍ବର ୧୩ ତାରିଖରେ ଏହାର ଶୁଣାଣି ପାଳି ପଡ଼ିଲା। ମାମଲା ଉପସ୍ଥାପନରେ ବିଳମ୍ବ ଯୋଗୁଁ ହାଇକୋର୍ଟର ଦୁଇ ବିଚାରପତି ଅସନ୍ତୋଷ ପ୍ରକାଶ କଲେ ଏବଂ ବିନା ପାଉଣାରେ ବିମଳଙ୍କ ପକ୍ଷରୁ ମାମଲା ପରିଚାଳନା କରିବାକୁ ହାଇକୋର୍ଟ ଜଣେ ଯୁବ ଓକିଲ ଅପଲକ ବସୁଙ୍କୁ ଅନୁରୋଧ କଲେ। ଦୁଇ ପକ୍ଷର ଓକିଲ ତର୍କ ଉପସ୍ଥାପନ କଲେ। କିନ୍ତୁ ବିମଳ ଯେ ସେତେବେଳକୁ ଦୁନିଆରେ ନାହାନ୍ତି, ଏ କଥା କେହି ଜାଣି ନଥିଲେ।

୨୦୧୮ ଜୁଲାଇ ୩୦ ତାରିଖ ଦିନ ମାମଲାର ରାୟ ଶୁଣାଇ ବିମଳେନ୍ଦୁଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ ହାଇକୋର୍ଟ। ପରବର୍ତ୍ତୀ ସମୟରେ ଆଲିପୁର ସେଣ୍ଟ୍ରାଲ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚିଲା ପରେ ଜଣାପଡ଼ିଲା ଯେ ବିମଳେନ୍ଦୁ ଆଉ ଇହଜଗତରେ ନାହାନ୍ତି। ତାଙ୍କ ମୃତ୍ୟୁ ସଂପର୍କରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଜଣାଇ ଦିଆଯାଇଥିଲା।

ଆଲିପୁର ସେଣ୍ଟ୍ରାଲ୍‌ ଜେଲ୍‌ ରେକର୍ଡ ଅନୁସାରେ ୨୦୧୬ ମସିହା ଡିସେମ୍ବର ୨୯ ତାରିଖ ଦିନ ନ୍ୟାସନାଲ ମେଡିକାଲ କଲେଜ ହସ୍‌ପିଟାଲରେ ବିମଳେନ୍ଦୁଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରାୟ ବର୍ଷେ ପରେ, ୨୦୧୭ ଡିସେମ୍ବର ୧୩ ତାରିଖରେହାଇକୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ସତେ ଯେମିତି ସ୍ୱର୍ଗତ ଆତ୍ମାକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ।

Comment