ଓଡ଼ିଶାଲାଇଭ୍ ବ୍ୟୁରୋ

 ଡିଜିଟାଲ ମିଡିଆରେ ଦେଶବିଦେଶର ଦର୍ଶକଙ୍କୁ ଓଡ଼ିଶା ସହ ଯୋଡ଼ୁଛି ଓଡ଼ିଶାଲାଇଭ୍‌।

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ୍ ପୁଣି ଏକ ମାଇଲଖୁଣ୍ଟ ହାସଲ କରିଛି। ଗୁରୁବାରଦିନ ଏହି ସୋସିଆଲ ମିଡିଆ ଚ୍ୟାନେଲର ସବସ୍କ୍ରାଇବର୍‌ ସଂଖ୍ୟା ପହଞ୍ଚିଛି ୩ ଲକ୍ଷରେ। ଯେ କୌଣସି ଡିଜିଟାଲ ମିଡିଆ ପ୍ଲାଟଫର୍ମ ପାଇଁ ଏକ ବିଶେଷ ଉପଲବ୍ଧି।

ଡିଜିଟାଲ ମିଡିଆରେ ଓଡ଼ିଶାଲାଇଭ୍‌ର କ୍ରେଜ୍ ବଢ଼ିବାରେ ଲାଗିଛି। ୨୦୧୧ ଡିସେମ୍ବର ମାସରେ ଏହି ଚ୍ୟାନେଲ୍ ପ୍ରଥମେ ଆରମ୍ଭ ହୋଇଥିଲା। ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭର ସିଇଓ ନୀଳାମ୍ବର ରଥ ପରୀକ୍ଷାମୂଳକ ଭାବେ ପ୍ରଥମେ ଏହି ଚ୍ୟାନେଲକୁ ଆରମ୍ଭ କରିଥିଲେ। ଧିରେଧିରେ ଏହି ଚ୍ୟାନେଲ ଡିଜିଟାଲ ମିଡିଆରେ ଦେଶବିଦେଶରେ ଲୋକପ୍ରିୟତା ହାସଲ କରି ଡିଜିଟାଲ ଇଣ୍ଡିଆ ଧାରାରେ ଯୋଡ଼ି ହୋଇଥିଲା।

ଓଡ଼ିଶାର ପ୍ରଥମ ୱେବ୍‍ ଚ୍ୟାନେଲ୍‍ ଭାବେ ପରିଚିତ ଓଡ଼ିଶାଲାଇଭ୍‍ ପ୍ଲାଟଫର୍ମରେ ଏହାର ମୂଳ ଭିଡିଓ ପୋର୍ଟାଲ (ଓଡ଼ିଶାଲାଇଭ୍‌.ଟିଭି) ସହ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଖବର ତଥା ମନୋରଞ୍ଜନଧର୍ମୀ ଭିଡିଓର ପ୍ରସାରଣ କରାଯାଉଛି। କେବଳ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‌‌ ଚ୍ୟାନେଲ୍‍ରେ ଏପର୍ଯ୍ୟନ୍ତ ୩୬୦୦ରୁ ଅଧିକ ଭିଡିଓ ପୋଷ୍ଟ କରାଯାଇଛି। ୨୦୧୮ ଅଗଷ୍ଟ ୧୦ ସୁଦ୍ଧା ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ୩ଲକ୍ଷ ସବ୍‌ସ୍କ୍ରାଇବର୍‌ ହୋଇଥିବା ବେଳେ ଏହାର ମୋଟ୍‌ ଭ୍ୟୁଜ୍‍ ୭ କୋଟି ଟପିଛି।

ସେହିପରି ଏହି ଚ୍ୟାନେଲର ଭିଡିଓ ୩୭ କୋଟିରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି। ଭାରତ ଛଡ଼ା ଆମେରିକା, ସଂଯୁକ୍ତ ଆରବ, ବ୍ରିଟେନ, ସାଉଦି ଆରବିଆ, କାନାଡା, ବାଂଲାଦେଶ, ସିଙ୍ଗାପୁର, ନେପାଳ, ଜାପାନ ଏବଂ କୁଏତ୍‍ ଆଦି ସ୍ଥାନରେ ହଜାରହଜାର ଦର୍ଶକ ନିୟମିତ ଓଡ଼ିଶାଲାଇଭ୍‍ ଚ୍ୟାନେଲ୍‌ ମାଧ୍ୟମରେ ବିଭିନ୍ନ ଭିଡିଓ ଦେଖୁଛନ୍ତି।

ଖବର ଏବଂ ମନୋରଞ୍ଜନ ଛଡ଼ା ଓଡ଼ିଶାଲାଇଭ୍‌ ୟୁଟ୍ୟୁବ ଚ୍ୟାନେଲର ଆଉ ଏକ ବିଶେଷତ୍ଵ ହେଉଛି ଓଡ଼ିଶାର କଳା ଓ ସଂସ୍କୃତି, ପରମ୍ପରା ତଥା ପର୍ଯ୍ୟଟନ ସମ୍ପଦ ଉପରେ ଭିଡିଓର ପ୍ରସାରଣ। ସେହିପରି ଏହି ଚ୍ୟାନେଲରେ ଲୋକପ୍ରିୟ ପୁରୁଣା ଓଡ଼ିଆ ଗୀତ ତଥା ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଦେଶାତ୍ମକବୋଧଭିତ୍ତିକ ଭିଡିଓ ଦେଶବିଦେଶରେ ରହୁଥିବା ଓଡ଼ିଆ ତଥା ଅନ୍ୟ ଭାଷାଭାଷୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଚ୍ୟାନେଲରେ ପ୍ରସାରିତ ଭିଡିଓଗୁଡ଼ିକ ଫୁଲ୍ ଏଚଡି, ଯାହାକି ଦର୍ଶକଙ୍କୁ ବେଶୀ ଆକୃଷ୍ଟ କରିଥାଏ।

ଓଡ଼ିଶାଲାଇଭ୍‌ ପକ୍ଷରୁ ଗତ କିଛିବର୍ଷ ଧରି ପୁରୀରୁ ରଥଯାତ୍ରାର ସିଧାପ୍ରସାରଣ କରାଯାଉଛି। ଓଡ଼ିଶାଲାଇଭ୍‌ର ନ୍ୟୁଜ୍‌ ପୋର୍ଟାଲ ଛଡ଼ା ୟୁଟ୍ୟୁବ୍, ଫେସବୁକ୍‌ ଏବଂ ଟୁଇଟର ପ୍ଲାଟଫର୍ମରେ ଏହି ଲାଇଭ୍‌ଷ୍ଟ୍ରିମିଂ ଯୋଗୁଁ ଦେଶବିଦେଶରେ ଦର୍ଶକମାନେ କମ୍ପ୍ୟୁଟର ଏବଂ ମୋବାଇଲ ମାଧ୍ୟମରେ ଏହି ମହାନ ସଂସ୍କୃତି ସହ ଯୋଡ଼ି ହୋଇପାରିଛନ୍ତି। ଚଳିତବର୍ଷ ଶ୍ରୀଗୁଣ୍ଡିଚାର ସିଧାପ୍ରସାରଣବେଳେ ଓଡ଼ିଶାଲାଇଭ୍‌ର ବିଭିନ୍ନ ସୋସିଆଲ୍ ମିଡିଆ ଚ୍ୟାନେଲରେ ୧୦ ଲକ୍ଷରୁ ଅଧିକ ଲୋକ ମହାପ୍ରଭୁଙ୍କ ରଥଯାତ୍ରାର ସିଧାପ୍ରସାରଣର ଦେଖିଥିଲେ।

ଶ୍ରୀଗୁଣ୍ଡିଚା ସହିତ ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମର ମଧ୍ୟ ସିଧାପ୍ରସାରଣ କରାଯାଇଥିଲା।

“ଦେଶରେ ଡିଜିଟାଲ୍‍ ମିଡିଆର ଆଜି ଯେଉଁ ବହୁଳ ପ୍ରସାର ଘଟିଛି, ସେ କ୍ଷେତ୍ରରେ ଓଡ଼ିଶାଲାଇଭ୍‌ର ଏହି ଅନୁଭବ ଆମକୁ ଏକ ନୂଆ ରାସ୍ତା ଦେଖାଇବ। ଏହି ମାଇଲଷ୍ଟୋନ୍‌ ପାଇଁ ମୁଁ ଓଡ଼ିଶାଲାଇଭ୍‌ର ଅଗଣିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଉଛି”, କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ।

ଓଡ଼ିଶାଲାଇଭ୍‌ ଏହାର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ସହିତ ଅନ୍ୟ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ୍‍ ମାଧ୍ୟମରେ ଓଡ଼ିଶା ଉପରେ ଭିଡିଓ ଏବଂ ତଥ୍ୟ ଉପସ୍ଥାପନ କରିଆସୁଛି। ଫଳରେ ଏହା ଦେଶର ଏକ ଅଗ୍ରଣୀ ଅନ୍‍ଲାଇନ୍‍ ରିସୋର୍ସ ଭାବେ ପରିଚିତ ହେବାକୁ ଯାଉଛି।

ଡିଜିଟାଲ ମିଡିଆରେ ଖବର ପରିବେଷଣ କ୍ଷେତ୍ରରେ ମଧ୍ୟ ଆଗଧାଡ଼ିରେ ରହିଛି ଓଡ଼ିଶାଲାଇଭ୍‌। ଏହାର ନ୍ୟୁଜ୍‌ ପୋର୍ଟାଲ ବିଷୟ ଚୟନ, ଭିଡିଓ ସଂଯୋଜନା ଏବଂ ନିଜର ଖବର ପରିବେଷଣ ଧାରା ପାଇଁ ଓଡ଼ିଶା ତଥା ବାହାରେ ସ୍ଵତନ୍ତ୍ର ପରିଚୟ ହାସଲ କରିଛି।

Comment