ଓଡ଼ିଶାଲାଇଭ୍ ବ୍ୟୁରୋ

ଏସୀୟ କ୍ରୀଡା ବା ଏସିଆଡ୍ ପଛରେ ଯେ ଭାରତର ଅବଦାନ ରହିଛି, ଏହା ଖୁବ୍ କମ୍ ଲୋକେ ହିଁ ଜାଣିଥିବେ। କହିବାକୁ ଗଲେ ଭାରତ ହିଁ ଏସୀୟ କ୍ରୀଡାର ଜନ୍ମଦାତା। ଆଉ ଭାରତ ହିଁ ଥିଲା ସର୍ବପ୍ରଥମ ଏସୀୟ କ୍ରୀଡାର ଆୟୋଜକ।
ଅଲିମ୍ପିକ୍ସ ପରେ ଯଦି ଅନ୍ୟ କୌଣସି ଭବ୍ୟ କ୍ରୀଡ଼ା ମହାକୁମ୍ଭକୁ କ୍ରୀଡାପ୍ରେମୀ ଅନେଇ ବସିଥାଆନ୍ତି, ତାହା ହେଲା ଏସୀୟ କ୍ରୀଡ଼ା (ଏସିଆନ ଗେମ୍ସ)। ବିଶ୍ଵର ବୃହତ୍ତମ ବହୁକ୍ରୀଡା ବିଶିଷ୍ଟ ମହାଦେଶୀୟ ପ୍ରତିଯୋଗିତା ମଧ୍ୟରେ ଏସୀୟ କ୍ରୀଡ଼ାର ସ୍ଥାନ ସ୍ଵତନ୍ତ୍ର। ଅଲିମ୍ପିକ୍ସ ଢାଞ୍ଚାରେ ହେଉଥିବା ଏହି ମହାଦେଶୀୟ କ୍ରୀଡ଼ା ମହାକୁମ୍ଭର ଏ ପର୍ଯ୍ୟନ୍ତ ୧୭ଟି ସଂସ୍କରଣ ଆୟୋଜିତ ହୋଇସାରିଛି।
ଏସୀୟ କ୍ରୀଡ଼ାର ଅଷ୍ଟାଦଶ ସଂସ୍କରଣ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଓ ପାଲେମବଙ୍ଗ୍ରେ ଆୟୋଜିତ ହେବାକୁ ଯାଉଛି। ଚାରି ବର୍ଷ ପରେ ପୁଣି ଏସିଆ ମହାଦେଶର ଆଥଲେଟମାନେ ବିଭିନ୍ନ କ୍ରୀଡାରେ ଶ୍ରେଷ୍ଠତ୍ଵ ପାଇଁ ପ୍ରତିଦ୍ଵନ୍ଦିତାରେ ଅବତୀର୍ଣ୍ଣ ହେବେ। କିଛି ରେକର୍ଡ ଭାଙ୍ଗିବ। କିଛି ନୂଆ ସୃଷ୍ଟି ହେବ। ଭାରତ ମଧ୍ୟ ଏଥର ଏସୀୟ କ୍ରୀଡ଼ାରେ ଭାଗ ନେଉଛି। ପଦକ ତାଲିକାର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ଭାରତ ରହିବ ବୋଲି ଆଶା କରାଯାଏ।
କେଉଁ ଦେଶ ଓ ବ୍ୟକ୍ତି ଏଭଳି ଏକ ମହାଦେଶୀୟ କ୍ରୀଡ଼ାର ପରିକଳ୍ପନା କରିଥିଲେ ? ଏସୀୟ କ୍ରୀଡ଼ା କଥା ଉଠିଲେ ଏଭଳି ପ୍ରଶ୍ନ ଉଠିବା ସ୍ଵାଭାବିକ। ଏସୀୟ କ୍ରୀଡ଼ା ବା ଏସିଆଡ୍ ପଛରେ ଯେ ଭାରତର ଅବଦାନ ରହିଛି, ଏହା ଖୁବ୍ କମ୍ ଲୋକେ ହିଁ ଜାଣିଥିବେ। କହିବାକୁ ଗଲେ ଭାରତ ହିଁ ଏସୀୟ କ୍ରୀଡାର ଜନ୍ମଦାତା। ଆଉ ଭାରତ ହିଁ ଥିଲା ସର୍ବପ୍ରଥମ ଏସୀୟ କ୍ରୀଡ଼ାର ଆୟୋଜକ। ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଓ ବରିଷ୍ଠ କ୍ରୀଡ଼ା ପ୍ରଶାସକ ଗୁରୁଦତ୍ତ ସୋନ୍ଧି ହିଁ ଏସୀୟ କ୍ରୀଡା ପରି ଏହା ମହାଦେଶୀୟ ପ୍ରତିଯୋଗିତାର ପରିକଳ୍ପନା କରିଥିଲେ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପରେ ଏସିଆ ମହାଦେଶରେ ଭାରତ ସମେତ ଅନେକ ଦେଶ ହାସଲ କରିଥିଲେ ସ୍ଵାଧୀନତା। ଆଉ ଏହି ଦେଶଗୁଡିକ ମଧ୍ୟରେ ସୃଷ୍ଟି ହୋଇଥିଲା ନୂତନ ଆତ୍ମପ୍ରତ୍ୟୟ। ସବୁକ୍ଷେତ୍ରରେ ଆଗକୁ ବଢିବାର ଅଦମ୍ୟ ଉତ୍ସାହ।
ବିଶ୍ଵ ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଏସୀୟ ଦେଶଗୁଡିକ ମଧ୍ୟରେ ସଦ୍ଭାବ ଓ ସହଯୋଗର ଆବଶ୍ୟକତା ଦେଖାଗଲା। ଆଉ ଏଥିପାଇଁ କ୍ରୀଡା ଏକ ମାଧ୍ୟମ ହୋଇପାରିବ ବୋଲି ଜବାହର ଲାଲ୍ ନେହେରୁ କହିଥିଲେ। ୧୯୪୭ ମସିହାରେ ଏସୀୟ ଦେଶଗୁଡିକ ମଧ୍ୟରେ ସଂପର୍କ ବୃଦ୍ଧି ସଂପର୍କିତ ଆୟୋଜିତ ଏକ ସମ୍ମିଳନୀରେ ଜବାହରଲାଲ ନେହେରୁ ଏସିଆନ୍ ସ୍ପୋର୍ଟସ ମିଟ୍ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ।
୧୯୪୮ ମସିହା ଲଣ୍ଡନ ଅଲିମ୍ପିକ୍ସ ଅବସରରେ ଭାରତର ଅଭିଜ୍ଞ କ୍ରୀଡ଼ା ପ୍ରଶାସକ ତଥା ଆନ୍ତର୍ଜାତିକ ଅଲିମ୍ପିକ କମିଟି- ଆଇଓସିର ସଦସ୍ୟ ଥିବା ପ୍ରଫେସର ଗୁରୁ ଦତ୍ତ ସୋନ୍ଧି ଏସୀୟ କ୍ରୀଡା ଆୟୋଜନ ସଂପର୍କରେ ପ୍ରସ୍ତାବ ରଖିଥିଲେ। ସୋନ୍ଧିଙ୍କ ପ୍ରସ୍ତାବ ଉପରେ ବ୍ୟାପକ ବିଚାରବିମର୍ଶ ହୋଇଥିଲା।
ପ୍ରଥମ ଏସୀୟ କ୍ରୀଡ଼ା ୧୯୪୯ରେ ସାଂଘାଇରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହେଲା। କିନ୍ତୁ ଚୀନ୍ ଗୃହ ଯୁଦ୍ଧ ଯୋଗୁଁ ଏହା ସମ୍ଭବ ହୋଇ ପାରିନଥିଲା। ତେବେ, ଭାରତରେ ଏହି କ୍ରୀଡା ଆୟୋଜନ ପାଇଁ ରାଜି ହୋଇଥିଲେ ସୋନ୍ଧି। ୧୯୪୯ ମସିହାରେ ସୋନ୍ଧିଙ୍କ ନେତୃତ୍ବରେ ପାଟିଆଲା ହାଉସରେ ବସିଥିବା ଏସୀୟ ପ୍ରତିନିଧିଙ୍କ ବୈଠକରେ ଆନୁଷ୍ଠାନିକ ଭାବେ ଗଠନ ହେଲା ଏସିଆନ୍ ଗେମ୍ସ ଫେଡେରେସନ- ଏଜିଏଫ୍।
ଚୀନ୍ ଗୃହ ଯୁଦ୍ଧ ଯୋଗୁଁ ସାଂଘାଇରେ ପ୍ରସ୍ତାବିତ ପ୍ରଥମ ଏସୀୟ କ୍ରୀଡା ଆୟୋଜିତ ହୋଇ ନ ଥିବାରୁ ୧୯୫୦ରେ ଭାରତ ଏହାକୁ ଆୟୋଜନ କରିବା ପାଇଁ ରାଜି ହୋଇଥିଲା। କିନ୍ତୁ ପ୍ରସ୍ତୁତିରେ ବିଳମ୍ବ ଯୋଗୁଁ ପ୍ରଥମ ଏସୀୟ କ୍ରୀଡା ୧୯୫୧ରେ ହିଁ ସମ୍ଭବ ହୋଇପାରିଥିଲା। ଆଉ ଏ କ୍ଷେତ୍ରରେ ପ୍ରଫେସର ଗୁରୁ ଦତ୍ତ ସୋନ୍ଧିଙ୍କ ଭୂମିକା ଥିଲା ଉଲ୍ଲେଖନୀୟ।
ଏସୀୟ କ୍ରୀଡାର ପରିକଳ୍ପନା ପୂର୍ବରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ୧୯୧୩ରୁ ୧୯୩୪ ମଧ୍ୟରେ ଫାର୍ ଇଷ୍ଟ୍ ଚାମ୍ପିଅନସିପ୍ ନାମରେ ୧୦ଟି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇସାରିଥିଲା।
ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେଲା ପରେ ଏହି ପ୍ରତିଯୋଗିତା ବନ୍ଦ ହୋଇଯାଇଥିଲା। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପୁଣି ଥରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ବିଚାରବିମର୍ଷ ଚାଲିଥିଲା। କିନ୍ତୁ ଏସୀୟ କ୍ରୀଡ଼ା ପାଇଁ ଭାରତର ପ୍ରସ୍ତାବକୁ ସମର୍ଥନ ମିଳିଲା ପରେ ଫାର୍ ଇଷ୍ଟ୍ ଚାମ୍ପିଅନସିପ୍ର ପୁନଃ ଆୟୋଜନ ଉଦ୍ୟମରେ ଲାଗିଥିଲା ବିରାମ।
ପ୍ରସ୍ତୁତିରେ ବିଳମ୍ବ ଯୋଗୁଁ ୧୯୫୦ ପରିବର୍ତ୍ତେ ୧୯୫୧ ମସିହାରେ ଆୟୋଜିତ ହୋଇଥିଲା ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ସଂସ୍କରଣ। ନୂଆଦିଲ୍ଲୀ ଥିଲା ସର୍ବପ୍ରଥମ ଏସୀୟ କ୍ରୀଡାର ପ୍ରଥମ ଆୟୋଜକ ସହର।
୧୯୫୧ ମସିହା ମାର୍ଚ୍ଚ ୪ ତାରିଖରେ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଥିଲା ପ୍ରଥମ ଏସିଆନ୍ ଗେମ୍ସ। ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହାକୁ ଉଦ୍ଘାଟନ କରିଥିଲେ। ପ୍ରଥମ ଏସିଆଡ୍ରେ ଭାଗ ନେଇଥଲେ ୧୧ଟି ଦେଶର ୪୮୯ ଆଥ୍ଲେଟ। ୫୭ ଟି ଇଭେଣ୍ଟରେ ହୋଇଥିଲା ପ୍ରତିଯୋଗିତା। ଭାରତ ସମେତ ଆଫଗାନିସ୍ତାନ, ବର୍ମା, ଶ୍ରୀଲଙ୍କା, ନେପାଳ, ଥାଇଲାଣ୍ଡ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର ଓ ଇରାନ୍ ଉଦ୍ଘାଟନୀ ସଂସ୍କରଣରେ ଭାଗ ନେଇଥିଲେ। ଆଥଲେଟିକ୍ସ, ଆକ୍ବାଟିକ୍ସ, ବାସ୍କେଟବଲ୍, ସାଇକେଲ୍ ଚାଳନା, ଫୁଟବଲ୍ ଓ ୱେଟଲିଫଟିଂରେ ଇଭେଣ୍ଟମାନ ଖେଳାଯାଇଥିଲା।
ଗୃହଯୁଦ୍ଧ ଯୋଗୁଁ ଭାଗ ନେଇପାରିନଥିଲା କୋରିଆ। କଟକଣା ଯୋଗୁଁ ଲଣ୍ଡନ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ନ ଥିବା ଜାପାନକୁ ପ୍ରଥମ ଏସିଆନ ଗେମ୍ସରେ ଭାଗ ନେବା ପାଇଁ ଅନୁମତି ଦେଇଥିଲା ଏସିଆନ୍ ଗେମ୍ସ ଫେଡେରେସନ।
ଆଉ ଜାପାନ ହିଁ ପ୍ରଥମ ଏସିଆଡ୍ରେ ସର୍ବାଧିକ ୨୪ଟି ସ୍ଵର୍ଣ୍ଣ ଜିତି ଶୀର୍ଷ ସ୍ଥାନ ହାସଲ କରିଥିଲା। ଜାପାନ ପଛକୁ ପଦକ ତାଲିକାର ଦ୍ଵିତୀୟ ସ୍ଥାନରେ ଥିଲା ଆୟୋଜକ ଭାରତ। ଭାରତ ୧୫ଟି ସ୍ଵର୍ଣ୍ଣ ସହ ମୋଟ ୫୧ଟି ପଦକ ପାଇଥିଲା। ତୃତୀୟ ସ୍ଥାନରେ ରହିଥିଲା ଇରାନ୍। ସିଙ୍ଗାପୁରର ସନ୍ତରଣକାରୀ ଏନସି କୋକ୍ ଥଲେ ପ୍ରଥମ ଏସିଆନ୍ ଗେମ୍ସର ପ୍ରଥମ ସ୍ଵର୍ଣ୍ଣ ବିଜେତା। ବେଶ୍ ସଫଳ ହୋଇଥିଲା ଏସିଆଡ୍ର ପ୍ରଥମ ସଂସ୍କରଣ। ମାର୍ଚ୍ଚ ୧୧ ରେ ଉଦଯାପିତ ହୋଇଥିଲା ପ୍ରଥମ ଏସୀୟ କ୍ରୀଡା।
ଦିଲ୍ଲୀଠାରୁ ଆରମ୍ଭ ହୋଇଥିବା ଯାତ୍ରାର ପରବର୍ତ୍ତୀ ଷ୍ଟପଓଭର ହେଉଛି ଜାକର୍ତ୍ତା। ଆଗକୁ ବି ଏସୀୟ କ୍ରୀଡାର ଜୟଯାତ୍ରା ଜାରି ରହିବ। ଆଉ ଏଭଳି ଏକ ମହାଦେଶୀୟ କ୍ରୀଡା ପଛରେ ଭାରତର ଅବଦାନକୁ ଭୁଲି ହେବ ନାହିଁ।

















