ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ହାଙ୍ଗଝୌଉରେ ଚାଲିଥିବା ଏସିଆନ ଗେମ୍ସରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ। ପ୍ରତିଯୋଗିତାରେ ଭାରତର ମୋଟ ପଦକ ସଂଖ୍ୟା ୧୦୦ ପାର୍ କରିଛି। ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ଭାରତୀୟ ଖେଳାଳିମାନେ ଏତେ ସଂଖ୍ୟାରେ ପଦକ ହାସଲ କରିଛନ୍ତି।

ଶୁକ୍ରବାର ସୁଦ୍ଧା ପ୍ରତିଯୋଗିତାରେ ୯୫ଟି ପଦକ ହାସଲ କରିଥିବା ଭାରତୀୟ ଦଳ ୧୦୦ଟି ପଦକ ପାଇବ ବୋଲି ଏକପ୍ରକାର ସୁନିଶ୍ଚିତ ଥିଲା। ଶନିବାର ଭାରତ ତୀରନ୍ଦାଜୀରେ ୨ଟି ସ୍ଵର୍ଣ୍ଣ ପଦକ, ଗୋଟିଏ ଲେଖାଏଁ ରୋପ୍ୟ ଓ ବ୍ରୋଞ୍ଜ ପଦକ ସହ ମୋଟ ୪ଟି ପଦକ ପାଇଥିଲା। ଏହାପରେ ମହିଳା କବାଡ଼ି ଖେଳରେ ଭାରତୀୟ ଦଳ ଚାଇନିଜ ତାଇପେ (ତାଇୱାନ)କୁ ହରାଇ ସ୍ଵର୍ଣ୍ଣ ସହ ପଦକର ଶତକ ଲଗାଇଥିଲା।

ଭାରତ ହାସଲ କରିଥିବା ୧୦୦ଟି ପଦକ ମଧ୍ୟରେ ରହିଛି ୨୫ଟି ସ୍ଵର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ପଦକ। ଭାରତୀୟ ଦଳର ଐତିହାସିକ ପ୍ରଦର୍ଶନ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

“ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର ପ୍ରଦର୍ଶନ ଅତି ପ୍ରଶଂସନୀୟ। ୧୦୦ଟି ପଦକ ହାସଲ କରିଥିବାରୁ ଭାରତବାସୀ ଉଲ୍ଲସିତ। ଆମ କ୍ରୀଡ଼ାବିତଙ୍କ ଉଚ୍ଚକୋଟିର ପ୍ରଦର୍ଶନ ଭାରତକୁ ଏହି ସ୍ମରଣୀୟ କୃତିତ୍ଵ ଦିଗରେ ଅଗ୍ରସର କରାଇଲା। ମୁଁ ସବୁ ଖେଳାଳିମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଜଣାଉଛି”, କହିଛନ୍ତି ନରେନ୍ଦ୍ର ମୋଦୀ।

ଏସିଆନ ଗେମ୍ସର ଗତ ୨ରୁ ୩ଟି ସଂସ୍କରଣରେ ଭାରତୀୟ ଦଳର ପଦକ ଲଗାତର ଭାବେ ବଢ଼ିଥିବା ଦେଖିବାକୁ ମିଳିଛି। ୨୦୧୪ ଦକ୍ଷିଣ କୋରିଆର ଇଞ୍ଚନରେ ହୋଇଥିବା ଏସିଆନ ଗେମ୍ସରେ ଭାରତ ୧୧ଟି ସ୍ଵର୍ଣ୍ଣ, ୧୦ଟି ରୌପ୍ୟ ଓ ୩୬ଟି ବ୍ରୋଞ୍ଜ ସହ ମୋଟ ୫୭ଟି ପଦକ ପାଇଥିଲା। ଏହାପରେ ୨୦୧୮ ଜାକାର୍ତ୍ତା ଏସିଆନ ଗେମ୍ସରେ ୧୬ଟି ସ୍ଵର୍ଣ୍ଣ, ୨୩ଟି ରୌପ୍ୟ ଓ ୩୧ଟି ବ୍ରୋଞ୍ଜ ସହ ମୋଟ ୭୦ଟି ପଦକ ପାଇଥିଲା ଭାରତ। ହେଲେ ଚଳିତ ବର୍ଷ ଭାରତୀୟ ଖେଳାଳିମାନେ ଏହି ରେକର୍ଡକୁ ଭାଙ୍ଗିଛନ୍ତି।

ଚଳିତ ଏସିଆନ ଗେମ୍ସରେ ଭାରତ ଏବେ ସୁଦ୍ଧା ୧୦୦ଟି ପଦକ ପାଇସାରିଥିବାବେଳେ ଶନିବାର ଆହୁରି ୪ରୁ ୫ଟି ପଦକ ଜିତିବା ସୁନିଶ୍ଚିତ ଅଛି। ପୁରୁଷ କ୍ରିକେଟ ଓ କବାଡ଼ିରେ ଭାରତ ଫାଇନାଲ ମ୍ୟାଚ ଖେଳିବ। ସେହିପରି ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ସ୍ଵସ୍ତିକ ସାଇ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ଫାଇନାଲ ଖେଳିବ। ସେହିପରି କୁସ୍ତି ପ୍ରତିଯୋଗିତାରେ ମଧ୍ୟ ଭାରତର ପଦକ ଜିତିବାର ସମ୍ଭାବନା ରହିଛି।

Tags: #AsianGames #MedalTally #IssBaar100Paar #IndianPlayers #Sports #India

Comment