ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଡ୍ରାମା ଓ ଦୀର୍ଘ ସମୟର ବିଚାରବିମର୍ଶ ପରେ ଏସିଆନ ଗେମ୍ସ ପୁରୁଷ କବାଡ଼ିରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ।

ଏସିଆନ ଗେମ୍ସରେ ଭାରତୀୟ କବାଡ଼ି ଦଳକୁ ମିଳିଛି ସ୍ୱର୍ଣ୍ଣ ପଦକ। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଇରାନକୁ ୩୩-୨୯ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ।

ଇରାନ ଫାଇନାଲରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ଶେଷରେ ଭାରତ ବାଜିମାରି ନେଇଛି। ପୁରୁଷ ଦଳ ପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ କବାଡ଼ିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ମହିଳା ଦଳ ଚାଇନିଜ ତାଇପେଇକୁ ସଂଘର୍ଷପୂର୍ଣ୍ଣ ଭାବେ ୨୬-୨୫ରେ ହରାଇ ପଦକ ଜିତିଥିଲା।

ଭାରତ ଉପରେ ଇରାନ ପ୍ରାରମ୍ଭିକ ଚାପ ପକାଇଥିଲା। ଦଳ ୩ ପଏଣ୍ଟରେ ଆଗୁଆ ମଧ୍ୟ ରହିଥିଲା। କିନ୍ତୁ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ପବନ ଶେରାୱତଙ୍କ ଭାରତୀୟ ଟିମ ଜବରଦସ୍ତ କମବ୍ୟାକ କରିଥିଲେ। ଏଥିସହ ଇରାନକୁ ଅଲଆଉଟ କରି ଲିଡ ହାସଲ କରିନେଇଥିଲା।

କିନ୍ତୁ ହାର ମାନିନଥିଲା ଇରାନ। ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ମ୍ୟାଚ ଶେଷ ହେବାକୁ ୧ ମିନିଟ ୫ ସେକେଣ୍ଡ ଥିବା ବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଖେଳର ନୂଆ ନିୟମକୁ ନେଇ ବିବାଦ ଦେଖାଦେଇଥିଲା।

ମ୍ୟାଚ ରେଫରି ବିବାଦର ସମାଧାନ କରିନପାରିବାରୁ ଅନ୍ତର୍ଜାତୀୟ କବାଡ଼ିର ବରିଷ୍ଠ ଅଧିକାରୀମାନେ ଆସିଥିଲେ। ଜଣେ ବରିଷ୍ଠ ଅଧିକାରୀ ଉଭୟ ଦଳକୁ ୧-୧ ପଏଣ୍ଟ ଦେବାକୁ କହିଥିଲେ। କିନ୍ତୁ ଏହାକୁ ଭାରତୀୟ ଦଳର କୋଚ ବିରୋଧ କରିଥିଲେ। ଭାରତୀୟ ଖେଳାଳିମାନେ ମଧ୍ୟ କୋର୍ଟରେ ବସି ପ୍ରତିବାଦ କରିଥିଲେ। 

ଶେଷରେ ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ ଓ ଆୟୋଜକ ମଧ୍ୟ ବିବାଦରେ ହସ୍ତକ୍ଷେପ କରିଥିଲେ। ସବୁପ୍ରକାରର ନିୟମକୁ ଉପସ୍ଥାପନ କରାଯାଇଥିଲା। ୩୦ ମିନିଟରୁ ଅଧିକ ସମୟର ହାଇଡ୍ରାମା ପରେ ଭାରତକୁ ୪ ପଏଣ୍ଟ ମିଳିଥିଲା। କିନ୍ତୁ ଇରାନ ଏହାକୁ ବିରୋଧ କରିବାରୁ ପୁଣି କିଛି ସମୟ ପାଇଁ ମ୍ୟାଚ ବନ୍ଦ କରାଯାଇଥିଲା। ଆଲୋଚନା ଓ ବିତର୍କ ପରେ ମ୍ୟାଚ ରେଫରି ଭାରତକୁ ୪ ପଏଣ୍ଟ ଓ ଇରାନକୁ ଗୋଟିଏ ପଏଣ୍ଟ ଦେଇଥିଲେ। 

ଶେଷରେ ଭାରତ ୩୩-୨୯ରେ ମ୍ୟାଚ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହାକୁ ମିଶାଇ ଭାରତ ୭ଥର ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଛି। ୨୦୧୮ରେ ଦଳ ଇରାନଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା।

Tags: #AsianGames #Kabaddi #IndiaAtAG22 #IssBaar100paar #GoldMedal

Comment