ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ମାଲକାନଗିରି: ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁର ନାରା ଦେଇ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି। ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ ସ୍କୁଲ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ହେଲେ ମାଲକାନଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସ୍କୁଲ ଅବସ୍ଥା ବେହାଲ୍ ହୋଇଯାଇଛି।

କେଉଁଠି ଶ୍ରେଣୀ ଗୃହରେ ପାଣି ଝରୁଛି ତ ଆଉ କେଉଁଠି ଛାତ ଉପରୁ ଖସୁଛି ସିମେଣ୍ଟ ଅତଡ଼ା। ବିପଦସଙ୍କୁଳ ଅବସ୍ଥାରେ ପାଠପଢ଼ା ଚାଲିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ ଭି ୭୯ ସାବରୀ ବିଦ୍ୟା ଭବନ ବିଦ୍ୟାଳୟ ହେଉଛି ଏହାର ନମୁନା।

ସ୍କୁଲ ଘର ଅଛି, ହେଲେ ତାର ଅବସ୍ଥା ଏତେ ଖରାପ ଯେ, ପିଲାଏ ବର୍ଷା ଦିନ ଆସିଲେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ବିଦ୍ୟାଳୟରେ ଏବେ ୫୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଛାତରୁ ପାଣି ଗଳୁଥିବାରୁ ବର୍ଷା ଦିନେ ବାରମ୍ବାର ଶ୍ରେଣୀଗୃହ ପରିବର୍ତ୍ତନ କରିବାକୁ ପଡ଼ିଥାଏ ପିଲାମାନଙ୍କୁ। ଆଜବେଷ୍ଟସ ଫାଟି ଯାଇଥିଲେ ମଧ୍ୟ ମରାମତି ହେଉନାହିଁ।

ଏହି ସ୍କୁଲରେ ପିଲାଙ୍କ ପାଇଁ ରହିଛି ୬ଟି ଶ୍ରେଣୀଗୃହ। ଗୋଟିଏ ସଂସ୍କୃତ କକ୍ଷ, କମ୍ପ୍ୟୁଟର କକ୍ଷ ଓ ୧୨ ଜଣ ଶିକ୍ଷକଙ୍କୁ ନେଇ ଚାଲିଛି ସ୍କୁଲ। ଶ୍ରେଣୀଗୃହର ଅବସ୍ଥା ଏତେ ସଂଗୀନ ଯେ, ବର୍ଷା ହେଲେ ବିଦ୍ୟୁତ ସମସ୍ୟା ମଧ୍ୟ ରହିଛି। ବର୍ଷା ପରିମାଣ ଅଧିକ ହେଲେ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନଙ୍କ ଆସିବା ପ୍ରାୟ ବନ୍ଦ ହୋଇଯାଏ।

ସ୍କୁଲର ଏଭଳି ଶୋଚନୀୟ ଅବସ୍ଥା ବାବଦରେ ସ୍ଥାନୀୟ ବାସିନ୍ଦା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ବିପଦସଂକୁଳ ଶ୍ରେଣୀଗୃହ ହୋଇଥିବାରୁ ଯେକୌଣସି ମୁର୍ହୂତ୍ତରେ ଛାତ, କାନ୍ଥ ଭୁଶୁଡ଼ିବାର ଆଶଙ୍କା ମଧ୍ୟ ରହିଛି।

Comment