ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିବାହର ଜୀବନ୍ତ ପ୍ରମାଣ ଗଢ଼ିବା ଲାଗି ବିବାହ ଉତ୍ସବକୁ ଫେସବୁକରେ ଲାଇଭ୍‌ ଷ୍ଟ୍ରିମିଂ କଲେ ପ୍ରେମୀଯୁଗଳ

ପ୍ରେମୀଯୁଗଳ ଭିନ୍ନ ଭିନ୍ନ ଜାତିର ହୋଇଥିବାରୁ ଉଭୟଙ୍କ ଘରଲୋକେ ବିବାହକୁ ବିରୋଧ କରୁଥିଲେ। ଝିଅଘର ଲୋକେ ଅପହରଣ ଅଭିଯୋଗ କରିବା ଆଶଙ୍କା ଥିଲା। ତେଣୁ ଉଭୟଙ୍କ ସମ୍ମତିରେ ବିବାହର ଜୀବନ୍ତ ପ୍ରମାଣ ଗଢ଼ିବା ଲାଗି ବିବାହ ଉତ୍ସବକୁ ଫେସବୁକରେ ଲାଇଭ୍‌ ଷ୍ଟ୍ରିମିଂ କରାଇଲେ। ବିବାହର ପ୍ରମାଣ ରହିଗଲା ସୋସିଆଲ ମିଡିଆରେ।

କର୍ଣ୍ଣାଟକର ତୁମକୁର ଜିଲ୍ଲା ଅନ୍ତର୍ଗତ ମଧୁଗିରିର କିରଣ ଏବଂ ଅଞ୍ଜନା। କିରଣ ବ୍ୟବସାୟ କରନ୍ତି ଏବଂ ଅଞ୍ଜନା କଲେଜରେ ପଢ଼ନ୍ତି। କିଛିବର୍ଷ ହେଲା ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ। ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ ଦୁହିଁଙ୍କ ଘରଲୋକେ ଏଥିରେ ରାଜି ହୋଇ ନଥିଲେ। କାରଣ, ଉଭୟ ଭିନ୍ନ ଭିନ୍ନ ଜାତିର।

କିରଣଙ୍କ ବୟସ ୨୫ ଏବଂ ଅଞ୍ଜନାଙ୍କର ୧୯। ଉଭୟ ସାବାଳକ ହୋଇଥିଲେ ହେଁ ଘରଲୋକଙ୍କ ଜୋରଦାର ବିରୋଧର ମୁକାବିଲା କରିପାରୁ ନଥିଲେ। ଅଞ୍ଜନାଙ୍କ ବାପା ସ୍ଥାନୀୟ ଅଞ୍ଚଳର ଜଣେ ନେତା। କଳେବଳେ କୌଶଳେ ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଥିଲେ। କିରଣଙ୍କ ନାଁରେ ଥାନାରେ ମାମଲା କରିବେ ବୋଲି ଧମକ ବି ଦେଉଥିଲେ।

ଏଭଳି ସ୍ଥିତିରେ କିଛି ଦିନ ତଳେ ଅଞ୍ଜନା ଓ କିରଣ ଘରଛାଡ଼ି ବେଙ୍ଗଳୁରୁ ପଳାଇଲେ। ଉତ୍ତର ବେଙ୍ଗଳୁରୁର ହେସରଘାଟ୍ଟା ଅଞ୍ଚଳର ଏକ ମନ୍ଦିରରେ ରୀତିନୀତି ଅନୁସାରେ ବିବାହ କଲେ। କିନ୍ତୁ ଦୁହିଁଙ୍କ ମନରେ ଭୟ ଥିଲା, କାଳେ ଥାନାରେ ଅପହରଣ ମାମଲା କରାଯିବ। ଉଭୟଙ୍କୁ ଅଲଗା କରିବା ଲାଗି ତାଙ୍କ ବାପା ଯାହା କିଛି କରିପାରନ୍ତି ବୋଲି ଅଞ୍ଜନା ଭାବୁଥିଲେ। କିରଣଙ୍କ ବିରୋଧରେ ଝିଅକୁ ଅପହରଣ କରିଥିବା ଅଭିଯୋଗ କରିପାରନ୍ତି। ତେଣୁ ଦୁହେଁ ଏହି ବିବାହର ଦୃଶ୍ୟକୁ ସୋସିଆଲ ମିଡିଆରେ ସିଧାସଳଖ ପ୍ରସାରିତ କରାଇଲେ। ସେମାନେ ଯେ ନିଜ ଇଚ୍ଛାରେ ଏବଂ ରୀତିନୀତି ଅନୁସାରେ ବିବାହ କରିଛନ୍ତି ଏହାର ପ୍ରମାଣ ରଖିବା ପାଇଁ ଫେସବୁକରେ ବିବାହର ଲାଇଭ୍‌ ଷ୍ଟ୍ରିମିଂ କରାଇଲେ।

କିରଣ ଓ ଅଞ୍ଜନାଙ୍କ ଆଶଙ୍କା ଅମୂଳକ ନ ଥିଲା। ଅଞ୍ଜନା ଘରୁ ପଳାଇବା ପରେ ତାଙ୍କ ବାପା ଥାନାରେ ଝିଅ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ପୋଲିସ ଅଞ୍ଜନାଙ୍କ ପ୍ରେମସଂପର୍କ ବିଷୟରେ ଜାଣିଥିଲେ। ସେ ସାବାଳକ ହୋଇଥିବାରୁ ପୋଲିସ ତାଙ୍କ ବୟାନ ନେବାକୁ ଅପେକ୍ଷା କରିଥିଲା। ଏଭଳି ସମୟରେ ବିବାହର ଦୃଶ୍ୟ ପ୍ରସାରିତ ହୋଇଥିଲା।

ସୋସିଆଲ ମିଡିଆରେ ବିବାହର ପ୍ରମାଣ ପ୍ରଦର୍ଶନ କରିବା ସହିତ ଭବିଷ୍ୟତ ପାଇଁ ସାଇତି ରଖିଦେଇଥିଲେ ପ୍ରେମୀଯୁଗଳ। ଅପହରଣ ଅଭିଯୋଗ ହେଲେ ଏହାକୁ ଖଣ୍ଡନ କରିବା ପାଇଁ ଏହି ପ୍ରମାଣ କାମରେ ଲାଗିବ ବୋଲି ଦୁହେଁ ଭାବିନେଇଥିଲେ।

ବିବାହ ପରେ ବି ଅଞ୍ଜନା ଓ କିରଣ ଘରକୁ ଫେରିନାହାନ୍ତି। ଉଭୟଙ୍କ ଘରଲୋକେ ସଂପୂର୍ଣ୍ଣ ରାଜି ହେବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ଅଞ୍ଜନାଙ୍କ କହିବା ଅନୁସାରେ ଯେବେ ଦୁହିଁଙ୍କ ଘରଲୋକେ ଏ ବିବାହକୁ ସ୍ୱୀକୃତି ଦେବେ ଏବଂ ସେମାନଙ୍କୁ ଅଲଗା କରିବାକୁ ଉଦ୍ୟମ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବେ, ସେତେବେଳେ ସେମାନେ ଘରକୁ ଫେରିବେ।

Comment