ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନଡିଏ ବିରୋଧୀ ବୋଲି ସବୁବେଳେ କହି ଆସୁଛନ୍ତି। ହେଲେ ବିଭିନ୍ନ ପ୍ରସଙ୍ଗରେ ନବୀନ ଏନଡିଏକୁ ସବୁବେଳେ ସମର୍ଥନ କରି ଉଭୟଙ୍କ ଭିତରେ ମ୍ୟାଚ ଫିକ୍ସିଂ ହୋଇଥିବା ସ୍ପଷ୍ଟ କରିଛନ୍ତି। ୨୦୧୪ରୁ ଏପର୍ଯ୍ୟନ୍ତ ନବୀନ ଏନଡିଏକୁ ସମର୍ଥନ କରି ଆସୁଛନ୍ତି। ତେବେ ଏନଡିଏକୁ ସମର୍ଥନ କରି ନବୀନବାବୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ନବୀନବାବୁ ଏହାର ଉତ୍ତର ଦେବା ଦରକାର”, କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା।

କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ଆଜି ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ଏନେଇ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ଆନନ୍ଦ ଶର୍ମା କହିଛନ୍ତି, “ନିର୍ବାଚନ ପୂର୍ବରୁ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ପୂରଣ ହୋଇପାରି ନାହିଁ। ମୋଦି ଏବଂ ବିଜେପି ଦେଶବାସୀଙ୍କୁ ଧୋକା ଦେଇଛନ୍ତି। ଯୁବକ ଯୁବତୀଙ୍କୁ ରୋଜଗାର ଦେବାରେ ମୋଦି ସରକାର ବିଫଳ ହୋଇଛନ୍ତି। ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛନ୍ତି ମୋଦି। ଫଳରେ ଦେଶର ଛୋଟ ଓ ବଡ଼ ବ୍ୟବସାୟୀମାନେ ପ୍ରଭାବିତ ହୋଇଛନ୍ତି।”

କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନୀତିକୁ ସମାଲୋଚନା କରିଛନ୍ତି ଆନନ୍ଦ ଶର୍ମା। ବିମୁଦ୍ରାକରଣ ନୀତି ପ୍ରଣୟନ କରି ମୋଦି ସରକାର ଭୁଲ୍ କରିଛନ୍ତି। ଏହି ନୀତି ଯୋଗୁଁ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ୨ ପ୍ରତିଶତ ଜିଡିପି ହାର ହ୍ରାସ ପାଇଛି। ଲୋକେ କାମ ନପାଇ ଗାଁକୁ ଫେରି ଯାଉଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା।

ବିଜେଡିକୁ ଟାର୍ଗେଟ କରି ଶ୍ରୀ ଶର୍ମା କହିଲେ ଯେ ୨୦୦୯ରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଲାଣି। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଏନଡିଏକୁ ସମର୍ଥନ କରୁଥିଲା। ଓଡ଼ିଶାରେ ମଧ୍ୟ ମେଣ୍ଟ ସରକାର ଚାଲିଥିଲା। ହେଲେ ୨୦୦୯ରେ ମେଣ୍ଟ ଭାଙ୍ଗିଯିବା ପରେ ବିଜେପି ବିରୋଧୀ ଆଭିମୁଖ୍ୟ ଦେଖାଇଥିଲା ବିଜେଡି। କିନ୍ତୁ ଏବେ କ’ଣ ହେଲା ଯେ ବିଜେଡି ପ୍ରତି କଥାରେ ଏନଡିଏ ସମର୍ଥନ କରୁଛି?

ବିଜେପି ଜାଣିସାରିଲାଣି ଯେ ଓଡ଼ିଶାରେ ଏକାକୀ ନିର୍ବାଚନ ଲଢ଼ି ସରକାର ଗଢ଼ିବା ସମ୍ଭବ ନୁହେଁ। ଏଣୁ ବିଜେଡିର ସମର୍ଥନ ପାଇବା ପାଇଁ ମୋଦି ନବୀନବାବୁଙ୍କ ସହ ବୁଝାମଣା କରୁଛନ୍ତି।

“ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ନବୀନବାବୁ କହିଲେ ଯେ ଏନଡିଏକୁ ସମର୍ଥନ ଦେବା ପାଇଁ ମୋଦି ଫୋନ୍ କରିଥିଲେ। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ବିଜେଡି ଆପେ ଆପେ ସମର୍ଥନ କରିଛି। ତେବେ ଏହି ତିନି ଜଣଙ୍କ ଭିତରୁ କିଏ ସତ କହୁଛି ତାହା ସ୍ପଷ୍ଟ ହେବା ଦରକାର”, କହିଛନ୍ତି ଆନନ୍ଦ ଶର୍ମା।

Comment