ଓଡ଼ିଶାଲାଇଭ୍‍ ବ୍ୟୁରୋ

‘ଇଜ୍‌ ଅଫ୍‌ ଲିଭିଂ’ ସୂଚୀରେ ଶୀର୍ଷ ସ୍ଥାନ ଅଧିକାର କରିଛି ପୁଣେ ଏହି ତାଲିକାରେ ଭୁବନେଶ୍ୱର ୧୮ ନମ୍ବର ସ୍ଥାନରେ ରହିଛି

ଦେଶରେ ରହିବା ପାଇଁ ସବୁଠାରୁ ଭଲ ସହର ମହାରାଷ୍ଟ୍ରର ପୁଣେ। କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ‘ଇଜ୍‌ ଅଫ୍‌ ଲିଭିଂ’ ସୂଚୀରେ ଶୀର୍ଷ ସ୍ଥାନ ଅଧିକାର କରିଛି ପୁଣେ। ତା’ ପଛକୁ ଦ୍ୱିତୀୟ ସ୍ଥାନରେ ନବୀ ମୁମ୍ବାଇ ଏବଂ ତୃତୀୟରେ ରହିଛି ଗ୍ରେଟର ମୁମ୍ବାଇ। ପ୍ରଥମ ତିନିଟି ସ୍ଥାନରେ ମହାରାଷ୍ଟ୍ରର ତିନି ସହର ରହିଛନ୍ତି। ଭୁବନେଶ୍ୱରର ସ୍ଥାନ ୧୮ ଏବଂ ଦିଲ୍ଲୀ ରହିଛି ୬୫ତମ ସ୍ଥାନରେ।

ପ୍ରଥମ ଥର ପାଇଁ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ହୋଇଛି ଦେଶର ବାସଯୋଗ୍ୟ ସହର ତାଲିକା। ମନ୍ତ୍ରାଳୟ ପକ୍ଷରୁ ଦେଶର ୧୧୧ଟି ସହରରେ ବିଭିନ୍ନ ପ୍ରସଙ୍ଗ ଉପରେ ଅନୁଧ୍ୟାନ କରାଯାଇ ଏହି ତାଲିକା ବା ‘ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ’ ପ୍ରକାଶିତ ହୋଇଛି।

ତାଲିକାର ପ୍ରଥମ ତିନିଟି ସ୍ଥାନରେ ଯଥାକ୍ରମେ ପୁଣେ, ନବୀ ମୁମ୍ବାଇ ଓ ଗ୍ରେଟର ମୁମ୍ବାଇ ରହିଛି। ଚତୁର୍ଥରେ ଆନ୍ଧ୍ରପ୍ରଦେଶର ତିରୁପତି, ପଞ୍ଚମରେ ଚଣ୍ଡୀଗଡ଼, ଷଷ୍ଠରେ ମହାରାଷ୍ଟ୍ରର ଠାଣେ, ସପ୍ତମରେ ଛତିଶଗଡ଼ର ରାୟପୁର, ଅଷ୍ଟମରେ ମଧ୍ୟ ପ୍ରଦେଶର ଇନ୍ଦୋର, ନବମରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଏବଂ ଦଶମରେ ରହିଛି ମଧ୍ୟପ୍ରଦେଶର ଭୋପାଳ। ତାଲିକାର ଶେଷ ଅର୍ଥାତ୍‌ ୧୧୧ ନମ୍ବରରେ ରହିଛି ଉତ୍ତରପ୍ରଦେଶର ରାମପୁର।

ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍‌ସ ପ୍ରସ୍ତୁତି ପ୍ରକ୍ରିୟା

ଦେଶର ବିଭିନ୍ନ ସହରରେ ଜୀବନ ଧାରଣର ସ୍ଥିତି ଆକଳନ ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଜୁନ୍‌ରେ ନିଷ୍ପତ୍ତି ନେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବାକୁ ଏ ବର୍ଷ ଜାନୁଆରିରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୁଖ୍ୟତଃ ୪ଟି ପ୍ରସଙ୍ଗ ଭିତ୍ତିରେ ପ୍ରସ୍ତୁତ ହୋଇଛି ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍‌ସ। ସେଗୁଡ଼ିକ ହେଲା ଅନୁଷ୍ଠାନ ଭିତ୍ତିକ, ସାମାଜିକ, ଅର୍ଥନୈତିକ ଏବଂ ବ୍ୟାବହାରିକ।

ଏହି ପ୍ରସଙ୍ଗ ଆଧାରରେ ଗଠିତ ୧୫ଟି ବର୍ଗର ମାପଦଣ୍ଡ ଭିତ୍ତିରେ ବିଭିନ୍ନ ସହରରେ ଜୀବନ ଧାରଣର ସ୍ଥିତି ଆକଳନ କରାଯାଇଛି। ଅନୁଷ୍ଠାନ ଭିତ୍ତିକ ପ୍ରସଙ୍ଗରେ ସରକାରୀ ଓ ପ୍ରଶାସନିକ ଅନୁଷ୍ଠାନର କାର୍ଯ୍ୟକାରିତା ଆକଳନ କରାଯାଇଛି। ସାମାଜିକ ପ୍ରସଙ୍ଗରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ନିରାପତ୍ତା ଏବଂ ସହରର ଐତିହ୍ୟ ଓ ସ୍ୱାତନ୍ତ୍ର୍ୟ ବଜାୟ ରଖିବା ଦିଗରେ ପଦକ୍ଷେପ ସମୂହକୁ ବିଚାରକୁ ନିଆଯାଇଛି।

ସେହିପରି ଅର୍ଥନୈତିକ ପ୍ରସଙ୍ଗରେ ସହରର ଅର୍ଥନୈତିକ ସ୍ଥିତି, ନିଯୁକ୍ତି ହାର, ଗୃହ ନିର୍ମାଣ, ବୃକ୍ଷରୋପଣ, ସାଧାରଣ ଲୋକଙ୍କ ପାଇଁ ଥିବା ଖୋଲା ସ୍ଥାନ ସହିତ ବିଦ୍ୟୁତ ଶକ୍ତି ଯୋଗାଣ ସଂପର୍କରେ ଅନୁଧ୍ୟାନ କରାଯାଇଛି। ସହରର ବାସ୍ତବ ବା ବ୍ୟାବହାରିକ ସ୍ଥିତି ଆକଳନ ପାଇଁ ପରିବହନ ଏବଂ ଗମନାଗମନ କ୍ଷେତ୍ରରେ ଥିବା ସୁବିଧା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପ୍ରଦୂଷଣ ହାର ପ୍ରଭୃତିକୁ ବିଚାର କରାଯାଇଛି। ଏସବୁ ପ୍ରସଙ୍ଗରେ ବିଭିନ୍ନ ସହରର ପ୍ରଶାସନ ଏବଂ ପୌର ପ୍ରଶାସନ ଦେଇଥିବା ତଥ୍ୟ ଏବଂ ପ୍ରାୟ ୬୦ ହଜାର ଲୋକଙ୍କ ପ୍ରତ୍ୟକ୍ଷ ମତାମତକୁ ବିଶ୍ଳେଷଣ କରାଯାଇ ‘ଇଜ୍‌ ଅଫ୍‌ ଲିଭିଂ ଇଣ୍ଜେକ୍‌ସ’ ପ୍ରସ୍ତୁତ ହୋଇଛି। ୧୫ଟି ବର୍ଗରେ ମିଳିଥିବା ତଥ୍ୟ ଭିତ୍ତିରେ ପୁଣେ ସର୍ବୋତ୍ତମ ବାସଯୋଗ୍ୟ ସହରର ମାନ୍ୟତା ପାଇଛି। ୧୦୦ରୁ ୫୮.୧୧ ପଏଣ୍ଟ ପାଇଛି ପୁଣେ।

ଅଷ୍ଟାଦଶ ସ୍ଥାନରେ ଭୁବନେଶ୍ବର

ଏହି ତାଲିକାର ୧୮ ନମ୍ବର ସ୍ଥାନରେ ରହିଛି ଭୁବନେଶ୍ୱର। ବିଭିନ୍ନ ପ୍ରସଙ୍ଗ ଅନ୍ତର୍ଗତ ମାପଦଣ୍ଡକୁ ବିଚାରକୁ ନେଲେ ସର୍ବସାଧାରଣଙ୍କ ପାଇଁ ଥିବା ଖୋଲା ସ୍ଥାନ କ୍ଷେତ୍ରରେ ଭୁବନେଶ୍ୱରର ସ୍ଥାନପ୍ରଥମ। କିନ୍ତୁ ଶାସନ ବ୍ୟବସ୍ଥାରେ ଏହା ୨୫ତମ ସ୍ଥାନରେ ରହିଛି। ସେହିପରିପରିବହନ ଓ ଗମନାଗମନ କ୍ଷେତ୍ରରେ ଏହା ଦଶମ ସ୍ଥାନ ଅଧିକାର କରିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଏକାଦଶ ସ୍ଥାନରେ ରହିଛି। ସୁରକ୍ଷା ଓ ନିରାପତ୍ତାରେ ୧୭, ପରିଚିତି ଓ ସଂସ୍କୃତି କ୍ଷେତ୍ରରେ ୧୯, ଅର୍ଥନୀତି ଏବଂ ନିଯୁକ୍ତିରେ ୧୮ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ୩୩ତମ ସ୍ଥାନରେ ରହିଛି। ଯେଉଁ କ୍ଷେତ୍ରରେ ଭୁବନେଶ୍ୱର ସବୁଠାରୁ ପଛରେ ରହିଛି ତାହା ହେଲା ବିଦ୍ୟୁତ ଯୋଗାଣ। ଏ କ୍ଷେତ୍ରରେ ୪୦ତମ ସ୍ଥାନରେ ରହିଛି ଭୁବନେଶ୍ୱର।

୬୫ତମ ସ୍ଥାନରେ ଦିଲ୍ଲୀ

୧୧୧ଟି ସହରର ଏହି ତାଲିକାରେ ରାଜଧାନୀ ଦିଲ୍ଲୀ ରହିଛି ୬୫ ନମ୍ବର ସ୍ଥାନରେ। କୁହାଯାଉଛି, ବିଭିନ୍ନ ସଂସ୍ଥାରୁ ସଂଗୃହୀତ ତଥ୍ୟ ସଂକଳନରେ ତ୍ରୁଟିବିଚ୍ୟୁତି ଏହାର କାରଣ ହୋଇପାରେ। କେବଳ ଦିଲ୍ଲୀ ନୁହେଁ, ଏହାର ଆଖପାଖରେ ଥିବା ସହର ଗୁରୁଗ୍ରାମ, ଗାଜିଆବାଦ ଓ ଫରିଦାବାଦ ବି ତାଲିକାର ନିମ୍ନ ଭାଗରେ ରହିଛନ୍ତି। ସେହିପରି ଅନ୍ୟ ସହର ମଧ୍ୟରେ ଚେନ୍ନାଇ ରହିଛି ୧୪ତମ ସ୍ଥାନରେ, ୨୭ରେ ହାଇଦ୍ରାବାଦ, ବେଙ୍ଗାଳୁରୁ ୫୮ତମ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶର ବାରାଣସୀର ସ୍ଥାନ ୩୩।

ପଶ୍ଚିମବଙ୍ଗ ଏହି ଅନୁଧ୍ୟାନରେ ଭାଗ ନେଇ ନ ଥିବାରୁ ରାଜଧାନୀ କୋଲକାତା ବା ରାଜ୍ୟର ଅନ୍ୟ କୌଣସି ସହରର ମାନ୍ୟତା ପ୍ରକାଶ ପାଇନାହିଁ।

Comment