ମାଲକାନଗିରିରୁ ଇଶ୍ଵର ପଟ୍ଟନାୟକ

ମାଲକାନଗିରି ବ୍ଲକ ଅନ୍ତର୍ଗତ ବୈଲାପାରି ଗ୍ରାମରେ ବସବାସ କରୁଥିବା ସ୍ଵାଧିନତା ସଂଗ୍ରାମୀ ସମାରୁ ଦୁରୁଆଙ୍କ ପରିବାର। ଦୁଇ ମୁଠା ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଏହି ପରିବାର।

ମାଲକାନଗିରି: ସ୍ଵାଧିନତା ସଂଗ୍ରାମୀଙ୍କ କଥା ମନକୁ ଆସିଲେ ଆମ ଛାତି ଗର୍ବରେ ଫାଟିପଡେ। ସେମାନଙ୍କ ଆଗାମୀ ପିଢ଼ିଙ୍କୁ ନେଇ ଆମେ ଭାବୁ ସେମାନେ କେତେ ଭାଗ୍ୟବାନ ଅଟନ୍ତି। ହେଲେ ଏମିତି ଜଣେ ସ୍ଵାଧିନତା ସଂଗ୍ରାମୀଙ୍କ ପରିବାର ଏବେ ଆମେ ଦେଖାଇବାକୁ ଯାଉଛୁ ଯାହା ଦେଖିଲେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ। ଏହି ପରିବାର ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ବୈଲାପାରି ଗ୍ରାମରେ ବସବାସ କରୁଥିବା ସ୍ଵାଧିନତା ସଂଗ୍ରାମୀ ସମାରୁ ଦୁରୁଆଙ୍କ ପରିବାର। ଦୁଇ ମୁଠା ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଏହି ପରିବାର।

ଦେଶ ସ୍ଵାଧିନତା ପାଇଁ ସଂଘର୍ଷ କରୁଥିଲେ ସ୍ଵାଧିନତା ସଂଗ୍ରାମୀ। ନିଜ ଜୀବନକୁ ବାଜି ଲଗାଇ ଲଢୁଥିଲେ ଦେଶ ପାଇଁ। ହେଲେ ଆଜି ତାଙ୍କ ପରିବାର ବା ଆଗାମୀ ପିଢି ହୋଇଯାଇଛନ୍ତି ସମସ୍ତଙ୍କ ପାଇଁ ଅଲୋଡା। ଅଭାବ ଅନଟନ ମଧ୍ୟରେ ଗତି କରୁଛନ୍ତି ଏହି ପରିବାର। ଆମେ କହୁଛୁ ଖୋଦ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ବୈଲାପାରିରେ ରହୁଥିବା ସ୍ଵାଧିନତା ସଂଗ୍ରାମୀ ସମାରୁ ଦୁରୁଆଙ୍କ ପରିବାର କଥା। ଦେଖନ୍ତୁ ଏହି ଦୃଶ୍ୟକୁ ଟିକେ। ଏକୌଣସି ଗରିବ ଆଦିବାସୀଙ୍କ ଘର ନୁହେଁ। ଏହି ପରିବାର ଜଣେ ପୂର୍ବ ସଦସ୍ୟ ସାମିଲ ହୋଇଥିଲେ ସ୍ଵାଧିନତା ସଂଗ୍ରାମରେ।

୧୯୪୨ ମସିହା ଅଗଷ୍ଟ ୨୧ରେ ଲକ୍ଷ୍ମଣ ନାୟକଙ୍କ ଡାକରାରେ ସାମିଲ ହୋଇଥିଲେ ମାଥିଲି ଥାନା ଘେରାଉ ଓ ଗୋରାସେନାଙ୍କୁ ଦେଶରୁ ବିତାଡିତ କରିବାକୁ ଆନ୍ଦୋଳନରେ। ହଜାର ହଜାର ଆଦିବାସୀ ସଂଗ୍ରାମୀଙ୍କ ନେତା ସାଜିଥିଲେ ସମାରୁ ଦୁରୁଆ। ଏହି ଆଦିବାସୀ ଲଢୁଆଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ ଗୋରା ପୋଲିସ। ଅନେକ ସେଠାରେ ହିଁ ଟଳିପଡିଥିଲେ। ହେଲେ ଭାଗ୍ୟବସତଃ ବଞ୍ଚିଯାଇଥିଲେ ସମାରୁ ଦୁରିଆ। ଏହି ଘଟଣାର ନେତୃତ୍ଵ ନେଇଥିବାରୁ ଲକ୍ଷ୍ମଣ ନାୟକଙ୍କ ସହ ସମାରୁ ମଧ୍ୟ ଗିରଫ ହୋଇ ବ୍ରହ୍ମପୁର ଜେଲକୁ ପଠାଇଦିଆଯାଇଥିଲା। ପରେ ଜେଲରୁ ମୁକୁଳିବା ପରେ ବୈଲାପାରି ଗ୍ରାମରେ ପରିବାର ସହ ଆସି ରହିଲେ ସମାରୁ ଦୁରୁଆ। ସମାରୁ ବଞ୍ଚିଥିବା ଯାଏଁ ସଂଗ୍ରାମୀ ଭତ୍ତା ପାଇ ଆସୁଥିଲେ।

୧୯୯୫ ମସିହାରେ ତାଙ୍କ ମୃତ୍ୟୁ ପରେ ପରିବାର ଏବେ ଦାଣ୍ଡର ଭିକାରୀ ପାଲଟିଯାଇଛନ୍ତି। ସମାରୁଙ୍କ ସ୍ତ୍ରୀ ସମ୍ବାରୀ ଦୁରୁଆ ଏବେ ୮୦ବର୍ଷର ବୃଦ୍ଧା, ପୁଅ ହରି ଦୁରୁଆ ରୋଗରେ ଆକ୍ରାନ୍ତ ହୋଇ ଅକର୍ମା। ଏହି ଦୁଇ ଜଣକୁ ଏବେ ସମ୍ଭାଳୁଛନ୍ତି ସମାରୁଙ୍କ ୧୨ ବର୍ଷିଆ ନାତୁଣୀ ବାମି ମାଡକାମି।

ସ୍ଵାମୀ ଜଣେ ସ୍ଵାଧିନତା ସଂଗ୍ରାମୀ ହୋଇଥିବାରୁ ଛାତି ଗର୍ବରେ ଫାଟିପଡୁଥିଲା ପତ୍ନୀ ସମ୍ବାରୀ ଦୁରୁଆଙ୍କର। ହେଲେ ଏହି ଗର୍ବ ଆଉ ବେଶି ଦିନ ରହିଲା ନାହିଁ। ଗୋଟିଏ ବୋଲି ପୁଅ ହରି ଦୁରୁଆ ରୋଗାଗ୍ରସ୍ତ ହୋଇ ଅକର୍ମଣ୍ୟ ହୋଇ ପଡିଲା। ଏହି କାରଣରୁ ସେ ଅବିବାହିତ ହୋଇ ଜୀବନଯାପନ କରିବାକୁ ପଡୁଛି। ଗୋଟିଏ ଝିଅ ପଦ୍ମାକୁ ବାହା କରିଥିଲେ ଝରାପାଲି ଗ୍ରାମର ଚନ୍ଦ୍ର ମାଡକାମିଙ୍କ ସହ। ତାଙ୍କର ଔରଷରୁ ଜନ୍ମ ହୋଇଥିବା ଝିଅ ବାମିକୁ ୫ବର୍ଷ ହୋଇଥିଲା ଉଭୟ ଚାଲିଯାଇଥିଲେ ଆରପାରିକୁ। ପୁଅ ଓ ନାତୁଣୀଙ୍କ ବୋଝ ପଡିଲା ବୃଦ୍ଧା ସମ୍ବାରୀଙ୍କ ଉପରେ। ଏବେ ପରିସ୍ଥିତି ଏମିତି ହେଲା ଯେ ନାତୁଣୀ ବାମି ନିଜ ଆଇ ଓ ମାମୁଁଙ୍କ ବୋଝ ବୋହିବାକୁ ପଡୁଛି।

ଏକ ଭଙ୍ଗା କୁଡିଆରେ ଆଉ ମାସକୁ ୩୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତାରେ କଟୁଛି ଏମାନଙ୍କ ଜୀବନଯାପନ। ୧୨ବୟସର ବାମି ପାଠ ପଢିବା ସହ କାମଦାମ କରି ପରିବାର ଚଳାଉଛି। ପରିବାରର ଏପରି ଅବସ୍ଥାକୁ ଆହା କହିବାକୁ କେହି ନାହିଁ। ନେତା, ସରକାରୀବାବୁ ଗାଁକୁ ଆସନ୍ତି ସମାରୁଙ୍କ ପରିବାର କଥା ଶୁଣନ୍ତି। ହେଲେ ସାହାଯ୍ୟ ପାଇଁ କିଛି ପଦକ୍ଷେପ ନେଉନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।

Comment