ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜେଲରେ ଆୟୋଜିତ ଏକ ଗାନ୍ଧି ଓ ଗାନ୍ଧିବାଦ ସଂପର୍କିତ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନାଗପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅଣ୍ଡରୱାର୍ଲଡ ଡନ୍‌ ଅରୁଣ ଗାୱଲି।

ଭିନ୍ନ ଏକ କାରଣରୁ ଏବେ ଚର୍ଚ୍ଚାରେ ରହିଛନ୍ତି ନାଗପୁର ସେଣ୍ଟ୍ରାଲ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅଣ୍ଡରୱାର୍ଲଡ ଡନ୍‌ ଅରୁଣ ଗାୱଲି। ନିକଟରେ ଜେଲ୍‌ରେ ଆୟୋଜିତ ଗାନ୍ଧି ଓ ଗାନ୍ଧିବାଦ ସଂପର୍କିତ ପରୀକ୍ଷାରେ ସେ ପ୍ରଥମ ସ୍ଥାନ  ଅଧିକାର କରିଛନ୍ତି। ପରୀକ୍ଷା ପୂର୍ବରୁ ଗାନ୍ଧିଙ୍କ ସଂପର୍କିତ ବିଭିନ୍ନ ବହି ପଢ଼ି ପ୍ରସ୍ତୁତ ହୋଇଥିଲେ ଗାୱଲି।

ଦିନ ଥିଲା ସାରା ମୁମ୍ବାଇର ଅପରାଧ ଜଗତରେ ରାଜୁତି କରୁଥିଲେ ଅରୁଣ ଗାୱଲି। କୁଖ୍ୟାତ ଅଣ୍ଡରୱାର୍ଲଡ ଡନ୍‌ରୂପେ ପରିଚିତ ଥିଲେ। ଏବେ ସେ ଗାନ୍ଧିବାଦୀ। କେତେକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ନାଗପୁର ସେଣ୍ଟ୍ରାଲ ଜେଲ୍‌ରେ ଆୟୋଜିତ ଗାନ୍ଧିବାଦ ସଂପର୍କିତ ପରୀକ୍ଷାରେ ପ୍ରଥମ ହୋଇଛନ୍ତି ଅରୁଣ।

ସ୍ୱେଚ୍ଛାସେବୀ ସଂସ୍ଥା ସହଯୋଗ ଟ୍ରଷ୍ଟ, ସର୍ବୋଦୟ ଆଶ୍ରମ ଏବଂ ମୁମ୍ବାଇ ସର୍ବୋଦୟ ମଣ୍ଡଳ ଦ୍ୱାରା ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ପରୀକ୍ଷାରେ ଭାଗ ନେବା ବାଧ୍ୟତାମୂଳକ ହୋଇ ନ ଥିଲେ ହେଁ ଜେଲର ୧୬୦ ଜଣ ଅନ୍ତେବାସୀପରୀକ୍ଷା ଦେଇଥିଲେ। ପରୀକ୍ଷା ପୂର୍ବରୁ ଅନ୍ତେବାସୀମାନଙ୍କୁ ମହାତ୍ମା ଗାନ୍ଧିଙ୍କ ଜୀବନୀ ଏବଂ ଜୀବନ ଦର୍ଶନ ସମ୍ବଳିତ ଅନେକ ବହି ଦିଆଯାଇଥିଲା। ଏହି ପରୀକ୍ଷାରେ ମୋଟ ୮୦ରୁ ୭୪ ନମ୍ବର ରଖିଛନ୍ତି ଗାୱଲି।

୨୦୦୭ରେ ଜଣେ ଶିବ ସେନା କର୍ପୋରେଟରଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ ଅରୁଣ ଗାୱଲି। ଏହି ମାମଲାରେ ୨୦୧୨ ମସିହାରେ ସେ ଓ ଅନ୍ୟ ୧୧ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମ ଥର ପାଇଁ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗାୱଲି। ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।

ମୁମ୍ବାଇର ଦଗଡ଼ି ଚାଲ ଅଞ୍ଚଳରେ ଡାଡି ନାଁରେ ଜଣାଶୁଣା ଥିଲେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅରୁଣ ଗାୱଲି। ପରେ ଅପରାଧ ଜଗତରୁ ବିଦାୟ ନେଇ ନିଜର ରାଜନୈତିକ ଦଳ ଗଢ଼ିଥିଲେ। ତାଙ୍କ ଜୀବନୀ ଉପରେ ହିନ୍ଦୀ ସିନେମା ମଧ୍ୟ ନିର୍ମିତ ହୋଇଥିଲା। ଅର୍ଜୁନ ରାମପାଲ ଅଭିନୀତ ଏହି ସିନେମାର ନାଁ ଥିଲା ଡାଡି। ସେ ଦିନର ସେହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଆଜି ଗାନ୍ଧିବାଦୀ।

Comment