ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁରଟରେ ‘ଓଡ଼ିଶା ପର୍ବ’ର ତୃତୀୟ ସଂସ୍କରଣ
  • ନୂଆଦିଲ୍ଲୀ ପରେ ପ୍ରଥମ ଥର ପାଇଁ ସୁରଟରେ ଏହି ଉତ୍ସବ
  • ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଜୋରଦାର ପ୍ରସ୍ତୁତି
  • ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେବେ ଦର୍ଶକ
  • ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ

ଓଡ଼ିଆ ସଂସ୍କୃତି, ପରମ୍ପରା, ସଙ୍ଗୀତ ଓ ଲୋକନୃତ୍ୟର ଗୌରବମୟ ଗାଥାକୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଗୁଜରାଟର ସୁରଟଠାରେ ଅନୁଷ୍ଠିତ ହେବ ‘ଓଡ଼ିଶା ପର୍ବ’। ନୂଆଦିଲ୍ଲୀର ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ‘ଓଡ଼ିଆ ସମାଜ’ ପକ୍ଷରୁ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ। ଗତ ଦୁଇ ବର୍ଷ ଧରି ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ’ ଆୟୋଜନ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳ ଗୁଜରାଟର ସୁରଟଠାରେ ଏହି ଉତ୍ସବ ଆୟୋଜନ କରିବା ପାଇଁ ‘ଓଡ଼ିଆ ସମାଜ’ ପ୍ରସ୍ତୁତି ଚଳାଇଛି।

ସୁରଟର ସରସଣାସ୍ଥିତ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ କନଭେନ୍‌ସନ୍ ସେଣ୍ଟରରେ ଏହା ଅନୁଷ୍ଠିତ ହେବ। ଏହି ଉତ୍ସବରେ ଓଡ଼ିଶାର ପାରମ୍ପରିକ ଲୋକକଳା, ଓଡ଼ିଶୀ, ଫ୍ୟୁଜନ, ସମକାଳିକ ନୃତ୍ୟ ଆଦି ପରିବଷେଣ କରାଯିବ। ଏହାସହ ଏହି ଉତ୍ସବକୁ ଆସୁଥିବା ଦର୍ଶକମାନେ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ମଧ୍ୟ ନେଇପାରିବେ। ଏଥିପାଇଁ ସ୍ୱତନ୍ତ୍ର ଫୁଡ୍ ଷ୍ଟଲର ମଧ୍ୟ ବ୍ୟବସ୍ଥା କରାଯାଉଛି।

ଓଡ଼ିଶା ପର୍ବର ମୁଖ୍ୟ ଆକର୍ଷଣ

ଗୁଜୁରାଟରେ ପ୍ରଥମ ଥର ପାଇଁ ‘ଓଡ଼ିଶା ପର୍ବ’ ଆୟୋଜନ କରାଯାଉଥିବାରୁ ଏହାକୁ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ୧ ଲକ୍ଷ ୨୬ ହଜାର ବର୍ଗଫୁଟ ଅଞ୍ଚଳ ପରିବ୍ୟାପ୍ତ ଜାଗା ରେ ଏହି ରଙ୍ଗାରଙ୍ଗ ଉତ୍ସବ ଆୟୋଜନ କରାଯାଉଛି। ଓଡ଼ିଶା ପର୍ବର ପ୍ରବେଶ ପଥକୁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ସଦୃଶ ତୋରଣରେ ସୁସଜ୍ଜିତ କରାଯିବ। ସ୍ୱାଧୀନତା ସଂଗ୍ରାମରେ ଝାସଦେଇଥିବା ଓଡ଼ିଆ ମାଟିର ବରପୁତ୍ରମାନଙ୍କର ବୀରତ୍ୱର ଗାଥାକୁ ପ୍ରଚାର କରାଯିବ। ଏହାସହ ଜଗନ୍ନାଥ ମହାପ୍ରସାଦ ଏବଂ ଭୋଗ ବିକ୍ରି ପାଇଁ ସ୍ୱତନ୍ତ୍ର ଷ୍ଟଲର ବ୍ୟବସ୍ଥା କରାଯିବ ବୋଲି ‘ଓଡ଼ିଆ ସମାଜ’ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଆ ଖାଦ୍ୟରେ ମହକିବ ଉତ୍ସବସ୍ଥଳ

‘ଓଡ଼ିଶା ପର୍ବ’କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏବଂ ଦର୍ଶକଙ୍କୁ ଉତ୍ସବ ସହ ବାନ୍ଧି ରଖିବା ପାଇଁ ସ୍ୱତନ୍ତ୍ର ଖାଦ୍ୟ ଷ୍ଟଲର ବ୍ୟବସ୍ଥା କରାଯାଉଛି। ଏହି ଷ୍ଟଲରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେବେ ଦର୍ଶକ। ଏହି ଖାଦ୍ୟ ଷ୍ଟଲରେ ପାହାଳ ଏବଂ ସାଲେପୁରର ପ୍ରସିଦ୍ଧ ମିଠା, ପାରମ୍ପରିକ ପିଠା, କଟକର ପ୍ରସିଦ୍ଧ ଦହିବରା ଆଳୁଦମ, ଜଗତସିଂହପୁରର ବରା, ଆଳୁଚପ୍ ଏବଂ ଘୁଗୁନି, ବାରିପଦାର ମୁଢ଼ି ମସଲାର ମଜା ନେଇପାରିବେ ଦର୍ଶକ। ଏହାସହ ବ୍ରହ୍ମପୁର ବଡ଼ି, ପାମ୍ପଡ଼ ଓ ଆଚାର ମଧ୍ୟ ଏହି ଷ୍ଟଲରେ ଉପଲବ୍ଧ ହେବ।

ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ

ଓଡ଼ିଶାରେ ହସ୍ତତନ୍ତ ଏବଂ ହସ୍ତକଳା ସାମଗ୍ରୀର ଅଭାବ ନାହିଁ। ଓଡ଼ିଆ କାରିଗରମାନେ ତିଆରି କରୁଥିବା ଏହି ସାମଗ୍ରୀର ଚାହିଦା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରହିଛି। ଏଣୁ ଏହି ହସ୍ତତନ୍ତ ଏବଂ ହସ୍ତକଳା ସାମଗ୍ରୀକୁ ‘ଓଡ଼ିଶା ପର୍ବ’ରେ ସ୍ଥାନୀତ କରିବା ଲାଗି ଆୟୋଜକମାନେ ପ୍ରୟାସ କରିଛନ୍ତି। ଏଥିପାଇଁ ୧୫ଟି ଷ୍ଟଲ ଖୋଲିାଯିବ ବୋଲି ଜଣାପଡ଼ିଛି। ଏହି ଷ୍ଟଲରେ କୋଟପାଡ଼, ବରପାଲ୍ଲି, ବରଗଡ଼, ବ୍ରହ୍ମପୁର, ସୋନପୁରର ପ୍ରସିଦ୍ଧ ହାଣ୍ଡଲୁମ୍ ଶାଢ଼ି ଓ ଡ୍ରେସ୍ ଉପଲବ୍ଧ ହେବ। ଏହାଛଡ଼ା ଖୋର୍ଦ୍ଧା ଲୁଙ୍ଗି ଓ ଗାମୁଛା ମଧ୍ୟ ଏହି ଷ୍ଟଲରେ ସ୍ଥାନ ପାଇବ।

ବିଭିନ୍ନ ହସ୍ତକଳା ସାମଗ୍ରୀ ଢୋକ୍ରା, ତାରକସି, ପଟ୍ଟଚିତ୍ର, କାଠ ତିଆରି ସାମଗ୍ରୀ ମଧ୍ୟ ଓଡ଼ିଶା ପର୍ବ ଷ୍ଟଲରେ ସ୍ଥାନ ପାଇବ। ଓଡ଼ିଶା ଏବଂ ସୁରଟ ଆଖପାଖ ଅଞ୍ଚଳର ପୁରସ୍କାରପ୍ରାପ୍ତ ବୁଣାକାର ଓ ଶିଳ୍ପୀମାନଙ୍କୁ ଏହି ଉତ୍ସବରେ ଅଗ୍ରାଧିକାର ଦିଆଯିବ।

ପାରମ୍ପରିକ ଓ ଆଧୁନିକ ନାଚ, ଗୀତରେ କମ୍ପିବ ମଞ୍ଚ

ଓଡ଼ିଶା ପର୍ବକୁ ଅଧିକ ରଙ୍ଗିନ କରିବା ପାଇଁ ଏବଂ ଦର୍ଶକଙ୍କୁ ମନୋରଞ୍ଜନ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ବହୁ ପ୍ରତିଷ୍ଠିତ କଳାକାରମାନେ ଏହି ମଞ୍ଚରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଆମନ୍ତ୍ରିତ କରାଯାଇଛି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶୀ, ଷ୍ଟାଣ୍ଡ ଅପ୍ କମେଡି, ମେଲୋଡି ଭଳି ରଙ୍ଗାରଙ୍ଗା ସୋ’ ଅନୁଷ୍ଠିତ ହେବ। ଓଲିଉଡ ଅଭିନେତା କୁନା ତ୍ରିପାଠୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଅଭିଜିତ ମଜୁମଦାର, କ୍ରିଷ୍ଣା ବେଉରା ପ୍ରମୁଖ ଏହି ଓଡ଼ିଶା ପର୍ବ ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ କରିବେ।

ଏହାସହ ସମ୍ବଲପୁରୀ, ପାଇକ, ପଶୁମୁଖା, ରଣପା, ଯୋଡ଼ିଶଙ୍ଖ ନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯିବ। ବଣ୍ଡା ଜନଜାତିଙ୍କ ନୃତ୍ୟ, ଓଷାକୋଠି ଓ ପୁତୁଳା ନୃତ୍ୟ ମଧ୍ୟ ଏହି ମଞ୍ଚରେ ପରିବେଷଣ କରାଯିବ।

Comment