ଓଡ଼ିଶାଲାଇଭ୍‍ ବ୍ୟୁରୋ

ବ୍ୟାଙ୍କ ସୁରକ୍ଷା ଦିଗରେ କେନ୍ଦ୍ର ଗୃହ ବିଭାଗର ନୂଆ ନିର୍ଦ୍ଦେଶାବଳୀ ଜାରିଆସନ୍ତା ଫେବ୍ରୁଆରି ମାସରୁ ରାତି ୯ଟା ପରେ କୌଣସି ଏଟିଏମରେ ଟଙ୍କା ଭର୍ତ୍ତି କରାଯିବ ନାହିଁ

ଏଟିଏମ୍‌ ଏବଂ ଏଟିଏମରେ ଟଙ୍କା ଭରିବା ପାଇଁ ନିୟୋଜିତ କ୍ୟାସ୍‌ ଭ୍ୟାନରୁ ଚୋରି ଓ ଡକାୟତି ରୋକିବା ଦିଗରେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ବ୍ୟାଙ୍କ ସୁରକ୍ଷା ସଂପର୍କିତ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ଅନୁସାରେ ଆସନ୍ତା ଫେବ୍ରୁଆରି ମାସରୁ ରାତି ୯ଟା ପରେ କୌଣସି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯିବ ନାହିଁ। ଗ୍ରାମାଞ୍ଚଳ ଏଟିଏମ୍‌ରେ ସନ୍ଧ୍ୟା ୬ଟା ପରେ ଏବଂ ନକ୍‌ସଲ ପ୍ରଭାବିତ ଅଞ୍ଚଳର ଏଟିଏମରେ ଅପରାହ୍‌ଣ ୪ଟା ପରେ ଟଙ୍କା ନ ଭରିବା ପାଇଁ ନିର୍ଦ୍ଦେଶ ରହିଛି।

ପୁଣେର କସ୍‌ମସ୍‌ ବ୍ୟାଙ୍କରୁ ସାଇବର ହ୍ୟାକିଂ ଜରିଆରେ ୯୪ କୋଟିରୁ ଅଧିକ ଟଙ୍କା ଠକି ନିଆଯିବା ଘଟଣାର ସପ୍ତାହକ ପରେ ବ୍ୟାଙ୍କ ସୁରକ୍ଷା ସଂପର୍କରେ ସରକାର ଏକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିରେ ମୁଖ୍ୟତଃ ଏଟିଏମ୍‌ ଏବଂ କ୍ୟାସ୍‌ ଭ୍ୟାନ୍‌ର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

ଏଥିରେ କୁହାଯାଇଛି ଯେ, ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ସହିତ ଏହାର ତଦାରଖ ଏବଂ ଯାଞ୍ଚ ଦାୟିତ୍ୱରେ ଥିବା ବେସରକାରୀ ସଂସ୍ଥାଗୁଡ଼ିକ ଦିନର ପ୍ରଥମାର୍ଦ୍ଧରେ ହିଁ ବ୍ୟାଙ୍କରୁ ଟଙ୍କା ସଂଗ୍ରହ କରିବେ। ଟଙ୍କା ନେବାଆଣିବା ବେଳେ ସଶସ୍ତ୍ର ସୁରକ୍ଷା କର୍ମୀ ଉପସ୍ଥିତ ରହିବେ। ଟଙ୍କା ଗଣିବା ଏବଂ ବିଡ଼ା ବାନ୍ଧିବା ବେଳେ ସତର୍କତା ଅବଲମ୍ବନ ପାଇଁ ବେସରକାରୀ ସୁରକ୍ଷା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଏଥିପାଇଁ ଟଙ୍କା ନିଆଯାଉଥିବା ବ୍ୟାଙ୍କ ଅଫିସ୍‌କୁ ଦୁଇ ଭାଗରେ ବିଭକ୍ତ କରାଯିବ। ଗୋଟିଏ ଭାଗରେ ଦୈନନ୍ଦିନ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଭାଗରେ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଟଙ୍କା ଗଣି ରଖାଯିବ।

କ୍ୟାସ୍‌ ଭ୍ୟାନ୍‌ର ସୁରକ୍ଷା ପାଇଁ ଅନ୍ୟୂନ ଦୁଇ ଜଣ ସଶସ୍ତ୍ର କର୍ମୀ ରହିବେ ବୋଲି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି। ଜଣେ ଡ୍ରାଇଭରଙ୍କ ପାଖରେ ବସିବେ ଏବଂ ଅନ୍ୟ ଜଣେ ଗାଡ଼ିର ପଛପଟେ ରହିବେ। ସେହିପରି ଟଙ୍କା ନିଆଯାଉଥିବା ଭ୍ୟାନରେ ଦୁଇ ଜଣ ଏଟିଏମ୍‌ ଅଧିକାରୀ ରହିବେ। ଭ୍ୟାନରୁ ଟଙ୍କା ନେଇ ଏଟିଏମ୍‌ରେ ଭର୍ତ୍ତି କରାଯିବା ବେଳେ ସଶସ୍ତ୍ର ସୁରକ୍ଷା କର୍ମୀ ଉପସ୍ଥିତ ରହିବେ। କ୍ୟାସ୍‌ ଭ୍ୟାନ୍‌ ନିକଟରେ ସବୁ ସମୟରେ ସଶସ୍ତ୍ର ସୁରକ୍ଷା କର୍ମୀ ପହରା ଦେବେ।

କ୍ୟାସ୍‌ ଭ୍ୟାନ୍‌ରେ ସିସିଟିଭି କ୍ୟାମେରା ଲଗାଇବାକୁ ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି। ଭ୍ୟାନର ଆଗପଟେ, ପଛପଟେ ଏବଂ ଭ୍ୟାନ୍‌ ଭିତରେ ଗୋଟିଏ ଲେଖାଏଁ ତିନିଟି କ୍ୟାମେରା ରହିବ। ଏଥିରେ ପାଞ୍ଚ ଦିନର ଭିଡିଓ ରଖିବା ଭଳି ବ୍ୟବସ୍ଥା କରାଯିବ। ଏହା ସହିତ ଜିପିଏସ୍‌ ଟ୍ରାକିଂ, ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା,ଏମର୍ଜେନ୍‌ସି ଲାଇଟ୍‌ ବ୍ୟବସ୍ଥା, ଆକ୍ରମଣର ମୁକାବିଲା ପାଇଁ ଆଲାର୍ମ ଏବଂ ଅଟୋ ଡାଏଲର ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଯୁକ୍ତି ବେଳେ ସୁରକ୍ଷା କର୍ମୀଙ୍କ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି।

Comment