ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପିଇସି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ୨୦୧୯ରେ ନୂଆ ମୁହଁକୁ ଦିଆଯିବ ଅଗ୍ରାଧିକାର
  • ୨୦୧୪ରେ ଜିତିଥିବା ସବୁ ବିଧାୟକଙ୍କୁ ମିଳିବ ଟିକେଟ
  • ଅମାନତ ହାରିଥିବା ନେତାଙ୍କୁ ମିଳିବନି ଟିକେଟ

ରାହୁଲ ଗାନ୍ଧିଙ୍କଠାରୁ ଗୁରୁମନ୍ତ୍ର ପାଇ ଫେରିବା ପରେ ୨୦୧୯ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଖୋଜିଛନ୍ତି ପିସିସି ସଭାପତି ଏବଂ ପ୍ରଭାରୀ। କଂଗ୍ରେସ ଭବନରେ ପିଇସି ବୈଠକ ଡାକି କଏ କଂଗ୍ରେସ ଟିକେଟ ପାଇବ ଏବଂ କାହାର କଟିବ ସେନେଇ ଦିନ ସାରା ମନ୍ଥନ କରିଛନ୍ତି। ୧୫ ଦିନ ଭିତରେ ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ବୈଠକରୁ ଜଣାପଡ଼ିଛି।

୨୦୧୯ ପାଇଁ କଂଗ୍ରେସ ନୂଆ ଫର୍ମୁଲା ଆପଣାଇଛି। ନୂଆ ମୁହଁକୁ ୨୦୧୯ରେ ପ୍ରାର୍ଥୀ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏହାସହ ୨୦୧୪ରେ ଯେଉଁମାନେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ୨୦୧୯ରେ ପୁଣି ଟିକେଟ ମିଳିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହାସହ ଜିତିବା ସମ୍ଭାବନା ଥିବା ନେତାଙ୍କୁ କଂଗ୍ରେସ ଟିକେଟ ଦେବ ବୋଲି ନିରଞ୍ଜନ କହିଛନ୍ତି।

୨୦୧୪ ନିର୍ବାଚନରେ ଯେଉଁମାନେ ଅମାନତ ହାରିଛନ୍ତି ସେମାନଙ୍କୁ ଟିକେଟ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନିରଞ୍ଜନ।

“ଜିତିବା ସମ୍ଭାବନା ଥିବା ଲୋକଙ୍କୁ କଂଗ୍ରେସ ଟିକେଟ ମିଳିବ। କାହାର ଲବିରେ ଏଥର ଟିକେଟ ମିଳିବ ନାହିଁ। ଯେଉଁମାନେ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଯୋଡ଼ି ହୋଇ ରହିଥିବେ ସେମାନଙ୍କୁ ହିଁ ଏଥର କଂଗ୍ରେସ ପ୍ରାର୍ଥୀ କରିବ”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଗତ ଶନିବାର ଦିନ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କରିଥିଲେ ମାରାଥନ ବୈଠକ। ସବୁ ରାଜ୍ୟର ପିସିସି ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଭେଟି ଆଲୋଚନା କରିଥିଲେ ରାହୁଲ। ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଜିତେନ୍ଦ୍ର ସିଂ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।

ଦିଲ୍ଲୀରୁ ଫେରିବା ପରେ ରବିବାରଠାରୁ ଓଡ଼ିଶା କଂଗ୍ରେସ ଭବନରେ ଚାଲିଛି ମାରାଥନ ବୈଠକ। ଏହି ବୈଠକରେ କଂଗ୍ରେସ ୨୦୧୯ ପାଇଁ ପ୍ରାର୍ଥୀ ଖୋଜୁଛି। କାହାକୁ ଟିକେଟ ଦେଲେ କଂଗ୍ରେସ ୨୦୧୯ରେ ବିଜେଡି ଏବଂ ବିଜେପିକୁ ଟକ୍କର ଦେବ ସେନେଇ ତୁଙ୍ଗ ନେତାମାନେ ବସି ଆଲୋଚନା କରୁଛନ୍ତି। ଏହାସହ ରାହୁଲ ଗାନ୍ଧିଙ୍କ ମନ୍ତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବୈଠକରେ ଆଲୋଚନା ହୋଇଛି।

ନିରଞ୍ଜନ ପିସିସି ସଭାପତି ହେବା ପରେ ସ୍ପଷ୍ଟ କରିଥିଲେ ଯେ ୨୦୧୯ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ୫୦ ପ୍ରତିଶତ ଟିକେଟ ଚୂଡ଼ାନ୍ତ କରାଯିବ ବୋଲି ପିସିସି ସଭାପତି କହିଥିଲେ। କିନ୍ତୁ ପିସିସି ଟିମ୍ ଗଠନ କରିବାରେ ବିଳମ୍ବ ହେବାରୁ ପ୍ରାର୍ଥୀ ତାଲିକା ଘୁଞ୍ଚି ଯାଇଛି।

ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୫୦ ପ୍ରତିଶତ ଟିକେଟ ଫାଇନାଲ କରାଯିବ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି।

କିଛିଦିନ ତଳେ ପିସିସି ସଭାପତି ‘ୱାନ ଫ୍ୟାମିଲି, ୱାନ ଟିକେଟ’ କଥା କହିଥିଲେ। ଅର୍ଥାତ୍ ବଂଶବାଦ ରାଜନୀତିରେ ପୂର୍ଣ୍ଣଛେଦ ପକାଇ ପରିବାରର ଜଣଙ୍କୁ ଟିକେଟ ଦିଆଯିବ ବୋଲି କହିଥିଲେ।

Comment