ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ୍ବ ଟାକୁଆରେ ତିଆରି ହୋଇଥିବା ପିଠା ଖାଇ ଗୋଟିଏ ପରିବାର ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ମଇନାପଦର ଗାଁରେ। ଗ୍ରାମର ଡମ୍ବରୁ ସାନ୍ତାଙ୍କ ନାତୁଣୀ ଏବଂ ଦୁଇ ବୋହୂଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଝରିଗାଁ ବିଡିଓ ଓ ତହସିଲଦାର ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୋମବାର ରାତିରେ ଡମ୍ବରୁ ସାନ୍ତାଙ୍କ ଘରେ ଆମ୍ବ ଟାକୁଆ ପିଠା ହୋଇଥିଲା। ଏହାକୁ ପରିବାରର ସମସ୍ତେ ଖାଇଥିଲେ। ହେଲେ ହଠାତ୍ ଅସୁସ୍ଥ ହୋଇ ଯାଇଥିଲେ ଡମ୍ବରୁଙ୍କ ନାତୁଣୀ। ତାଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଦୁଇ ବୋହୂ ମଧ୍ୟ ଅସୁସ୍ଥ ହୋଇଯାଇଥିଲେ। ସେମାନଙ୍କୁ ବି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତିନି ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଆଜି ସକାଳେ ଦୁଇ ବୋହୂ ସାଧୁମଣି ସାନ୍ତା ଏବଂ ନମିତା ସାନ୍ତାଙ୍କର ମୃତ୍ୟୁ ହୋଇଥିଲା। ଦୁଇ ବୋହୂଙ୍କର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଜି ସନ୍ଧ୍ୟାରେ ଡମ୍ବରୁଙ୍କ ନାତୁଣୀଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Comment