ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ଦିନରେ ହିଁ ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ଚାର୍ଜ ସିଟ ଓ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ।
ମଧ୍ୟ ପ୍ରଦେଶର ଏହି ବିରଳ ଘଟଣା। ଗୋଟିଏ ଦିନରେ ହିଁ ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ଚାର୍ଜସିଟ ଓ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ।
ଚାର୍ଜସିଟ ଦାଖଲ ହେବାର ମାତ୍ର ୨୪ ଘଣ୍ଟା ଭିତରେ ହିଁ କୋର୍ଟ ପକ୍ଷରୁ ଦଣ୍ଡ ଘୋଷଣା କରାଯାଇଛି। ଜଣେ ଶିଶୁ କନ୍ୟାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗୁରୁବାର ଦିନ ସ୍ଥାନୀୟ ପୋଲିସ ପକ୍ଷରୁ ଚାର୍ଜସିଟ ଦାଖଲ କରା ଯାଇଥିଲା। ଆଉ ଶୁକ୍ରବାର ଦିନ ଦୋଷୀକୁ ଦଣ୍ଡ ମିଳିଛି। ଦୁଷ୍କର୍ମ ଘଟଣାର ତ୍ୱରିତ ବିଚାର କ୍ଷେତ୍ରରେ ଭାରତରେ ବୋଧହୁଏ ଏହା ପ୍ରଥମ ଘଟଣା।
ସ୍ୱାଧୀନତା ଦିବସ ଦିନର ଘଟଣା। ନିଜର ଶିଶୁ କନ୍ୟାକୁ ପଡୋଶୀ ଘରର ଜଣେ ୧୪ ବର୍ଷର ବାଳକର ଜିମାରେ ଛାଡ଼ି କାମକୁ ବାହାରି ଯାଇଥିଲେ ବାପା ମା। କାମରୁ ଫେରିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ଶିଶୁଟି ଉପରେ ଯୌନ ଅତ୍ୟାଚାର ହୋଇଛି।
ଉଜ୍ଜଇନ ପୋଲିସର କହିବା ଅନୁଯାୟୀ ଦୁଷ୍କର୍ମ ପରେ ନାବାଳକଟି ଫେରାର ହୋଇଯାଇଥିଲା। କିନ୍ତୁ ପୋଲିସ ଛାନଭିନ କରିବା ସହିତ ପାଖ ଏକ ଗାଁରେ ରହୁଥିବା ସମ୍ପର୍କୀୟଙ୍କ ଘରୁ ତାକୁ ଗିରଫ କରାଯାଇଥିଲା।
୧୬ ତାରିଖରେ ପୋଲିସ ଚାର୍ଜ ସିଟ ଦାଖଲ କରିଥିବା ବେଳେ ୧୭ ତାରିଖ ଦିନ ସ୍ଥାନୀୟ ସେସନ୍ସ କୋର୍ଟର ବିଚାରପତି ତୃପ୍ତି ପାଣ୍ଡେ ଅଳ୍ପ କେଇ ଘଣ୍ଟାର ବ୍ୟବଧାନ ପରେ ରାୟ ଶୁଣାଇଥିଲେ। ଦୋଷୀ ନାବାଳକକୁ ସ୍ଥାନୀୟ ଏକ ଜୁଭେନାଇଲ ହୋମକୁ ପଠାଇଦିଆଯାଇଛି। ସେଠାରେ ସେ ଦୁଇ ବର୍ଷ କଟକଣା ଭିତରେ ରହିବ।
















