ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ୨୦୧୬-୧୭ରେ ହୋଇଥିଲା ୫.୬୧ କୋଟି ଆୟକର ରିଟର୍ଣ୍ଣ
  • ୨୦୧୭-୧୮ରେ ୬.୯୨ କୋଟିର ଆୟକର ରିଟର୍ଣ୍ଣ
  • ଗତ ବର୍ଷଠାରୁ ୧.୩୧ କୋଟି ଅଧିକ
  • ୨୦୧୭-୧୮ରେ ୧.୦୬ କୋଟି ନୂଆ ରିଟର୍ଣ୍ଣ ଦାଖଲ
  • ଉତ୍ତର-ପୂର୍ବାଞ୍ଚଳରେ ୧.୮୯ ଲକ୍ଷ ନୂଆ ରିଟର୍ଣ୍ଣ ଫାଇଲ

୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ରେକର୍ଡ ପରିମାଣର ପ୍ରାୟ ୧୦.୦୩ ଲକ୍ଷ କୋଟି ଟଙ୍କାର ଆୟକର ସଂଗ୍ରହ ହୋଇଛି। ଗୌହାଟିରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଏନେଇ ତଥ୍ୟ ରଖିଛି ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି)।

ପୂର୍ବାଞ୍ଚଳ ଜୋନର ଆୟକର ପ୍ରଶାସକମାନଙ୍କର ଏକ ସମ୍ମିଳନୀରେ ସିବିଡିଟିର ସଦସ୍ୟ ସାବ୍ରି ଭଟ୍ଟଶାଳୀ କହିଛନ୍ତି ଯେ, ୨୦୧୭-୧୮ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ୬.୯୨ କୋଟି ଆୟକର ରିଟର୍ଣ୍ଣ ଦାଖଲ ହୋଇଥିଲା, ଯାହା ଗତ ବର୍ଷଠାରୁ ୧.୩୧ କୋଟି ଅଧିକ। ୨୦୧୬-୧୭ ଆର୍ଥିକ ବର୍ଷରେ ୫.୬୧ କୋଟି ଆୟକର ରିଟର୍ଣ୍ଣ ଦାଖଲ ହୋଇଥିଲା।

ଆୟକର ବିଭାଗ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧.୦୬ କୋଟି ନୂଆ ରିଟର୍ଣ୍ଣ ଦାଖଲ ହୋଇଛି। ଚଳିତ ବର୍ଷ ପାଇଁ ଏହି ସଂଖ୍ୟାରେ ୧.୨୫ କୋଟି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍ତର-ପୂର୍ବାଞ୍ଚଳରେ ୧.୮୯ ଲକ୍ଷ ନୂଆ କରଦାତା ଆୟକର ରିଟର୍ଣ୍ଣ ଫାଇଲ କରିଛନ୍ତି।

ଉତ୍ତର-ପୂର୍ବାଞ୍ଚଳରେ ଆୟକର ବିଭାଗର ପ୍ରିନ୍ସପାଲ୍ ଚିଫ୍ କମିସନର ଏଲ୍ ସି ଯୋଶୀ ରାଣେ କହିଛନ୍ତି ଯେ ୨୦୧୭-୧୮ ବର୍ଷରେ ଉତ୍ତର-ପୂର୍ବାଞ୍ଚଳରୁ ୭,୦୯୭ କୋଟି କର ସଂଗୃହୀତ ହୋଇଛି। ଗତବର୍ଷର ୬,୦୮୨ କୋଟି ତୁଳନାରେ ଏହା ୧୬.୭ ପ୍ରତିଶତ ଅଧିକ। ରାଣେଙ୍କ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଉତ୍ତର-ପୂର୍ବାଞ୍ଚଳରୁ ୮,୩୫୭ କୋଟି ଆୟକର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହାକି ଗତ ବର୍ଷ ତୁଳନାରେ୧୭,୭୫ ପ୍ରତିଶତ ଅଧିକ।

ରାଣେ ଆହୁରି କହିଛନ୍ତି, ଧାର୍ଯ୍ୟ ଆୟକର ସଂଗ୍ରହ ଲକ୍ଷ୍ୟ ହାସଲ, କରଦାତାଙ୍କ ସଂଖ୍ୟା ବୃଦ୍ଧି ଏବଂ ଉନ୍ନତ ସେବା ପ୍ରଦାନ କରିବାକୁ ଆୟକର ବିଭାଗ ପ୍ରତିଶ୍ରୁତିବଦ୍ଧ। ଉତ୍ତର-ପୂର୍ବାଞ୍ଚଳର ୨୯ଟି ଷ୍ଟେସନ ମଧ୍ୟରୁ ୨୨ଟିରେ ଆୟକର ସେବା କେନ୍ଦ୍ର ଖୋଲାଯାଇଛି। କରଦାତାଙ୍କୁ ସେବା ପ୍ରଦାନ କରିବାକୁ ଆଭ୍ୟନ୍ତରୀଣ ଅଞ୍ଚଳରେ ନୂଆ ଅଫିସ୍ ଖୋଲାଯାଉଛି।

ସାରା ଦେଶର କଥା କହିଲେ, ସରକାରଙ୍କ ପ୍ରତ୍ୟକ୍ଷ କର ସଂଗ୍ରହ ୧୯.୩ ପ୍ରତିଶତ ବଢିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୬.୯୫ ଲକ୍ଷ କୋଟିରେ ପହଞ୍ଚିଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କର୍ପୋରେଟ୍ ଆୟକର ସଂଗ୍ରହ ୧୯.୨ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ବ୍ୟକ୍ତିଗତ ଆୟକର ସଂଗ୍ରହ ୧୮.୬ ପ୍ରତିଶତ ବଢିଛି। ଏପ୍ରିଲ୍ ୨୦୧୭ରୁ ୨୦୧୮ ଜାନୁୟାରୀ ମଧ୍ୟରେ ମୋଟ ଆୟକର ସଂଗ୍ରହ ପରିମାଣ ଗତବର୍ଷ ତୁଳନାରେ୧୩.୩ ପ୍ରତିଶତ ବଢି ୮.୨୧ ଲକ୍ଷ କୋଟିରେ ପହଞ୍ଚିଥିଲା। ପ୍ରତ୍ୟକ୍ଷ କର ସଂଗ୍ରହରେ ସେପରି କୌଣସି ସମସ୍ୟା ନ ଥିବାବେଳେ ପରୋକ୍ଷ କର ସଂଗ୍ରହ ଏବେ ବି ଚିନ୍ତାର କାରଣ ରହିଛି ବୋଲି କହିଛନ୍ତି ଅର୍ଥ ମନ୍ତ୍ରାଳୟର ଅଧିକାରୀ ।

Comment