ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ଛାତରେ ଫାଟ ସୃଷ୍ଟି ହେବା ଫଳରେ ଛାତରୁ ପାଣି ଗଳୁଛି। ଏହାର ମରାମତି ନେଇ ଆଲୋଚନା ଚାଲିଛି।

ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ଛାତରେ ଫାଟ। ଛାତର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଛି। ବୁଧବାରଦିନ ଏଏସ୍‌ଆଇ ପକ୍ଷରୁ ଯାଞ୍ଚ କରାଯିବା ପରେ ଏହି ସୂଚନା ଦିଆଯାଇଛି।

ନାଟମଣ୍ଡପର ମୁଖ୍ୟ ବିମ୍‌ ଫାଟି ଦୁଇଖଣ୍ଡ ହୋଇଯାଇଛି। କିନ୍ତୁ ତାହାକୁ ସପୋର୍ଟ ଦେଇ ରହିଥିବା ଲୁହା ବିମ୍‌ର ସ୍ଥିତି ଠିକ୍‌ ଅଛି। ଏହି ବିମ୍‌କୁ ଟେକି ଧରିଥିବା ୪ଟି ମୁଖ୍ୟ କଲମ ମଧ୍ୟରୁ ୨ଟିର କ୍ୟାପିଟାଲ ଫାଟି ଯାଇଛି। ଫଳରେ ନାଟମଣ୍ଡପ ଭିତରେ ପାଣି ଗଳି ଚୂନ ଛାଡ଼ୁଛି।

ବୁଧବାର ଦିନ ବିମ୍‌ ଓ କଲମକୁ ବିଶେଷଜ୍ଞମାନେ ଯାଞ୍ଚ୍ କରି ଏହାର ମରାମତି କିଭଳି ହେବ ତାହାକୁ ନେଇ ଏଏସ୍‌ଆଇ, ବିଶେଷଜ୍ଞ ଏବଂ କୋର୍‌ କମିଟି ମଧ୍ୟରେ ଆଲୋଚନା ଚାଲିଛି।

ନାଟମଣ୍ଡପରେ ସମୁଦାୟ ୧୬ଟି କଲମ ରହିଛି। ସେଥିମଧ୍ୟରୁ ମଧ୍ୟସ୍ଥଳରେ ୪ଟି ମୁଖ୍ୟ କଲମ ରହିଛି। ସେଥିରୁ ୩ଟି କଲମର କ୍ୟାପିଟାଲରେ ଫାଟ ରହିଥିବା ଦେଖିବାକୁ ମିଳିଛି। ଏହାକୁ ସଂଯୋଗ କରୁଥିବା ଏକ ବିମ୍‌ ଦୁଇଖଣ୍ଡ ଅବସ୍ଥାରେ ରହିଛି।

ପୂର୍ବରୁ ଗରୁଡ଼ ସ୍ତମ୍ବ ସମ୍ମୁଖ ବିମ୍‌ରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଏକ ବିମ୍‌ରେ ଫାଟ ପଦାକୁ ଆସିଛି। ସେହିପରି ନାଟମଣ୍ଡପର ବିଭିନ୍ନ ସ୍ଥାନରୁ ପାଣି ଗଳୁଥିବା ବେଳେ ପଲସ୍ତରା ମଧ୍ୟ ଦୁର୍ବଳ ସ୍ଥିତିରେ ଅଛି।

ଏଏସ୍‌ଆଇ ଓ କୋର୍‌ କମିଟି ସହିତ ମାଡ୍ରାସ ଆଇଆଇଟିର ପ୍ରଫେସର ଅରୁଣ ମେନନ୍‌ ଓ ଅମ୍ଳାନ ସେନ୍‌ଗୁପ୍ତା, ଆଇଆଇଟି ଖଡଗପୁରର ପ୍ରଫେସର ଏସ୍‌କେ ଭଟ୍ଟାଚାର୍ଯ୍ୟ, ଯୁଗ୍ମ ଡିଜି ଜାହ୍ନବୀ ଶର୍ମା, ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବାଞ୍ଚଳ) ନନ୍ଦିନୀ ସାହୁ, ରାଜ୍ୟ ପ୍ରତ୍ନତତ୍ତ୍ଵ ସଂସ୍ଥାର ପୂର୍ବତନ ଅଧୀକ୍ଷକ ବିଜୟ କୁମାର ରଥ, ଏଏସ୍‌ଆଇର ପ୍ରାକ୍ତନ ନିର୍ଦ୍ଦେଶକ ଅଶୋକ କୁମାର ପଟେଲ, ପ୍ରାକ୍ତନ ଯୁଗ୍ମ ଡିଜି ଏସ୍‌ବି ଓତା ପ୍ରମୁଖ ସାମିଲ ହୋଇଥିଲେ। ସେମାନେ ନାଟମଣ୍ଡପର ଭାରା ଉପରେ ଚଢି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ।

Comment